ବାଲେଶ୍ୱରରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ
- ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ଆଇନ ସମ୍ପର୍କରେ ଲୋକଙ୍କୁ କରିବ ସଚେତନ
ବାଲେଶ୍ୱର : ବାଲେଶ୍ୱର ସ୍ଥିତ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରାର ଶୁଭାରମ୍ଭ ହୋଇଛି । ଅତିରିକ୍ତ ଜିଲାପାଳ ସୁଧାକର ନାୟକ ପତାକା ଦେଖାଇ ଶୋଭାଯାତ୍ରାକୁ ଶୁଭାରମ୍ଭ କରିବା ସହିତ ଏହିଭଳି ସଚେତନତା କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ଆଇନରେ ଥିବା ବିଭିନ୍ନ ନିୟମ ସହିତ ଉଦ୍ଧାର ହେଉଥିବା ଶିଶୁ ଶ୍ରମିକଙ୍କ ପୁନଃର୍ବାସ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଏହି ରଥ ସମଗ୍ର ଜିଲାରେ ଜନସାଧାରଣଙ୍କୁ ସଚେତନ କରିବ । ଏଥିସହିତ ନିଜର ଶିଶୁମାନଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ମାତାପିତାଙ୍କୁ ଏହାର ଅପକାରିତା ସମ୍ପର୍କରେ ଅବଗତ ସହ ଶିଶୁ ଶ୍ରମିକ ନିୟୋଜିତ ହେଉଥିବା ସ୍ଥାନମାନଙ୍କରେ ଏହି ଶୋଭାଯାତ୍ରା ସଚେତନତା ସୃଷ୍ଟି କରିବ । ବିଶେଷ କରି ଶିଶୁ ଶ୍ରମିକଙ୍କୁ ଉଦ୍ଧାର ସହ ସେମାନଙ୍କ ଶିକ୍ଷା ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ବେଳେ ଶିଶୁ ଶ୍ରମିକ ନିୟୋଜନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ ।
ଜିଲା ଶ୍ରମ ଅଧିକାରୀ ବୃନ୍ଦାବନ ସେଠୀ ପୌରହିତ୍ୱ କରିବା ସହିତ ସଚେତନତା ଶୋଭାଯାତ୍ରା କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ସୂଚନା ଦେଇଥିଲେ । ସମଗ୍ର ଜିଲାକୁ ଶିଶୁ ଶ୍ରମିକ ମୁୁକ୍ତ ପାଇଁ ଜାରି ରହିଥିବା ଅଭିଯାନ ଅନ୍ତର୍ଗତ ଏହି ଶୋଭାଯାତ୍ରା ଜିଲାର ୪ଟି ବ୍ଲକ ସହ ପୌରପାଳିକା ଓ ଏନ୍ଏସି ଗୁଡ଼ିକରେ ବୁଲି ଲୋକଙ୍କୁ ସଚେତନ କରିବ । ୧୪ବର୍ଷରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜନ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ୧୫ ରୁ ୧୮ବର୍ଷର ଶିଶୁଙ୍କୁ କୌଣସି ବିପଦଜନକ କାର୍ଯ୍ୟରେ ନିୟୋଜିତ କରାଯାଇପାରିବ ନାହିଁ । ଏପରି ସ୍ଥଳେ ଶିଶୁଙ୍କୁ ଶ୍ରମିକ ଭାବେ ନିୟୋଜିତ କରୁଥିବା ବ୍ୟକ୍ତିଙ୍କୁ ୫୦ହଜାର ଟଙ୍କା ଜୋରିମାନା ସହିତ ୨ବର୍ଷ ଯାଏ କାରାଦଣ୍ଡରେ ଦଣ୍ଡିତ କରାଯିବା ନେଇ ଆଇନରେ ବ୍ୟବସ୍ଥା ରହିଛି ବୋଲି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ପ୍ରଶାସନିକ ଅଧିକାରୀ ଅଜୟ କୁମାର ପ୍ରଧାନ, ଜିଲା ସହକାରୀ ଶ୍ରମ ଅଧିକାରୀ ଦୀପ୍ତିରଞ୍ଜନ ସାହୁ, ନୀଳଗିରି ସହକାରୀ ଶ୍ରମ ଅଧିକାରୀ ଯଶୋବନ୍ତ ଅମାତ, ସଦର ସହକାରୀ ଶ୍ରମ ଅଧିକାରୀ ଶ୍ରୀହରି ସୟନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
