୮ ବର୍ଷ ଝିଅର ସାହାଯ୍ୟ ପାଇଁ ଡବ୍ଲୁଟିସି ଫାଇନାଲର ଟି-ସାର୍ଟ ନିଲାମ କରିବେ ଟିମ୍ ସାଉଦି
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ୍ ସାଉଦି ଦେଖାଇଲେ ମାନବିକତା। ବିଶ୍ଵ ଟେଷ୍ଟ ଚାମ୍ପିଆନଶିପ (ଡବ୍ଲୁଟିସି)ର ଫାଇନାଲ୍ ମ୍ୟାଚ୍ରେ ପିନ୍ଧିଥିବା ନିଜର ଏକ ଜର୍ସିକୁ ନିଲାମ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି। ନିଲାମରେ ମିଳିବାକୁ ଥିବା ଅର୍ଥରେ ସେ ଜଣେ ଆଠ ବର୍ଷର ଝିଅର ସାହାଯ୍ୟ କରିବେ। ଏହି ଝିଅଟି କ୍ୟାନ୍ସର ଯୋଗୁଁ ଜୀବନ ମରଣ ସହ ସଂଘର୍ଷ କରୁଛି। ଏହି ସ୍ଵତନ୍ତ୍ର ଜର୍ସିରେ ସାଉଥମ୍ପଟନରେ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ୍ ଜିତିଥିବା ନ୍ୟୁଜିଲାଣ୍ଡ ଦଳର ପୂରା ସଦସ୍ୟଙ୍କ ଦସ୍ତଖତ ରହିଛି।
୩୨ ବର୍ଷୀୟ ସାଉଦି ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଘୋଷଣା କରିଛନ୍ତି। ଏଥିସହ ଜର୍ସିର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ସାଉଦି କହିଛନ୍ତି, ତାଙ୍କ ପରିବାର ବର୍ଷ କି ଦୁଇ ବର୍ଷ ପୂର୍ବେ ଏହି ଝିଅ ବିଷୟରେ ଜାଣିବାକୁ ପାଇଥିଲେ। ଆଠ ବର୍ଷୀୟ ଝିଅ ହାଲି ଏକ ବିରଳ କର୍କଟ ରୋଗରେ ପୀଡିତ। ୨୦୧୮ଠୁ ସେ ରୋଗ ସହ ସଂଘର୍ଷ କରୁଛନ୍ତି। ଝିଅର ସାହାସ ଓ ଧୈର୍ଯ୍ୟ ତାଙ୍କୁ ବହୁତ ପ୍ରଭାବିତ କରିଥିବା ସାଉଦି କହିଛନ୍ତି। ପ୍ରଶଂସକଙ୍କୁ ଜର୍ସିର ବୋଲି ଲଗାଇବା ଏବଂ ଏହି ମୁସ୍କିଲ ସମୟରେ ପରିବାରକୁ ସହାୟତା କରିବାକୁ ସେ ଅନୁରୋଧ କରିଛନ୍ତି। ସାଉଦିଙ୍କ ପୂର୍ବରୁ ଓପନିଂ ବ୍ୟାଟସମ୍ୟାନ ମାର୍ଟିନ ଗୁପଟିଲ୍ ମଧ୍ୟ ଏକ ଝିଅର ସହାୟତା ପାଇଁ ଗତ ବର୍ଷ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ମ୍ୟାଚ୍ର ଏକ ଖାସ୍ ବ୍ୟାଟକୁ ନିଲାମ କରିଥିଲେ।
