ତିରୁଅନନ୍ତପୁରମ୍-କେସରଗଡ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ତିରୁଅନନ୍ତପୁରମ୍ : ତିରୁଅନନ୍ତପୁରମ୍-କେସରଗଡ ବନ୍ଦେଭାରତ ଏକ୍ସପ୍ରେସକୁ ମଙ୍ଗଳବାର ନୀଳ ପତାକା ଦେଖାଇ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫଳରେ ଟ୍ରାକରେ ଦୌଡିଲା ୧୬ତମ ବନ୍ଦେଭାରତ ଏକ୍ସପ୍ରେସ୍ । କେରଳରେ ଏହା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ।
ଏହି ଟ୍ରେନ୍ ତିରୁଅନନ୍ତପୁରମ୍ ସେଣ୍ଟ୍ରାଲ ରେଲଓ୍ବେ ଷ୍ଟେସନରୁ କେସରଗଡ଼ ମଧ୍ୟରେ ଚାଲିବ । କେରଳର ୧୧ଟି ଜିଲ୍ଲାରେ ଦୌଡିବ ଏହି ଦ୍ରୁତଗାମୀ ଟ୍ରେନ୍ । ତିରୁଅନନ୍ତପୁରମରୁ ବାହାରି କୋଲ୍ଲାମ, କୋଟ୍ଟାୟମ, ଏର୍ଣ୍ଣାକୁଲମ୍ ଟାଉନ, ତ୍ରିଶୁର, ଶୋରାନୁର, କୋଝିକୋଡି, କନ୍ନରୁ ଦେଇ କେସରଗଡ଼ରେ ପହଞ୍ଚିବ । ଏହି ଟ୍ରେନ୍ ୮ଘଣ୍ଟା ୫ମିନିଟରେ ଯାତ୍ରା ଶେଷ କରିବ । ରାଜଧାନୀ ଏକ୍ସପ୍ରେସ ଠାରୁ ଦ୍ରୁତଗତିରେ ଧାଇଁବ ବନ୍ଦେ ଭାରତ ଏକ୍ସପ୍ରେସ୍ । ଏହି ଟ୍ରେନରେ ସାଧାରଣ ଟିକେଟ୍ ଫେୟାର ୧୫୨୦ ଟଙ୍କା ରହିବ । ଯେଉଁଥିରେ ଖାଦ୍ୟ ଶୁଳ୍କ ୩୦୮ ଟଙ୍କା ମିଶିକରି ରହିଛି । ଏକ୍ସକ୍ୟୁଟିଭ୍ କ୍ଲାସରେ ଦାମ୍ ୨୮୧୫ ଟଙ୍କା ରହିଛି । ଏଥିରେ ଯାତ୍ରା କରୁଥିବା ଯାତ୍ରୀ ନୋ ଫୁଡ୍ ଅପସନକୁ ବାଛିପାରିବେ ।
୧୬ତମ ବନ୍ଦେ ଭାରତ ଏକ୍ସପ୍ରେସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଶନ କେରଳ ଯାତ୍ରାରେ ରାଜ୍ୟବାସୀଙ୍କୁ ଭେଟି ଦେଇଛନ୍ତି । ଅନ୍ୟପଟେ ମଙ୍ଗଳବାର ତିରୁଅନନ୍ତପୁର ସେଣ୍ଟ୍ରାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ୩୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ସେହିପରି ପିଏମ୍ ଆଜି ଦେଶର ପ୍ରଥମ ଓ୍ବାଟର ମେଟ୍ରୋକୁ ଦେଶବାସୀଙ୍କୁ ସମର୍ପିତ କରିଛନ୍ତି ।
