ପଞ୍ଚଲିଙ୍ଗେଶ୍ୱର ସଂରକ୍ଷିତ ଜଙ୍ଗଲରୁ ପ୍ରଥମ କରି ଠାବ ହେଲା ପାଏଡ଼ ଥ୍ରଶ ପକ୍ଷୀ
ନୀଳଗିରି : ଓଡ଼ିଶାରେ ପ୍ରଥମ କରି ବାଲେଶ୍ୱର ଜିଲା ପଞ୍ଚଲିଙ୍ଗେଶ୍ୱରର ସଂରକ୍ଷିତ ଜଙ୍ଗଲରୁ ଠାବ ହେଲା ପାଏଡ଼ ଥ୍ରଶ ପକ୍ଷୀ । ଏହାକୁ ବିଶିଷ୍ଟ ପକ୍ଷୀବିତ୍ ଓ କୁଳଡ଼ିହା ଗାଇଡ୍ ମନୋରଞ୍ଜନ ଦାସ ଚିହ୍ନଟ କରିଛନ୍ତି । ଏହି ପକ୍ଷୀର ଉଭୟ ପୁରୁଷ ଓ ମହିଳା ଦେଖିବାକୁ ମିଳିଛି । କୁଲଡ଼ିହା ପକ୍ଷୀ ସାରଣୀରେ ଆଉ ଏକ ବିଦେଶ ଗତ ପକ୍ଷୀ ଯୋଡ଼ି ହୋଇଛି । ଯାହା ଏହାର ବିବିଧତାକୁ ଅନନ୍ୟ କରିବା ସହିତ ଅଭୟାରଣ୍ୟର ସୁନ୍ଦରତାକୁ ଦ୍ୱିଗୁଣିତ କରୁଛି ।
ପାଏଡ ଥ୍ରଶର ବୈଜ୍ଞାନିକ ନାମ ହେଉଛି ଗିଓକିଚଲା ୱାର୍ଡ଼ି (Geokichla Wardii) ଓ ଏହା ଥ୍ରଶ ଫ୍ୟାମିଲିର ଅନ୍ତର୍ଭୁକ୍ତ । ଏହି ଥ୍ରସର ପୁରୁଷମାନେ ୨୨ସେମି ସ୍ପଷ୍ଟ ଭାବରେ କଳା ଏବଂ ଧଳା । ଉପର ଭାଗରେ ମୁଖ୍ୟତଃ କଳା, ପେଟ ପାଖରେ ମାଛ କାତି ପରି କଳାଧଳା ରଙ୍ଗର ଆବରଣ ରହିବା ସହିତ, ଆଖି ଉପରେ, ଡେଣା ଏବଂ ଲାଞ୍ଜ ଉପରେ ଧଳାର ପଟି ରହିଥାଏ, ଏହା ସହ ଗୋଡ଼ ହଳଦିଆ ରଙ୍ଗ ହୋଇଥାଏ । ନାରୀ ପକ୍ଷୀ ତଥା କିଶୋର ମାନେ ଦେଖିବାକୁ ପ୍ରାୟ ସମାନ ରହିବା ସହ ବାଦାମୀ ରଙ୍ଗ ଓ ଫିକା ବାଦାମୀ ରଙ୍ଗ ହୋଇଥାଏ । ଥଣ୍ଟଟି ସମ୍ପୂର୍ଣ୍ଣ ବଙ୍କା ହୋଇ ନଥାଏ । ଏହି ପକ୍ଷୀଟି ସାଧାରଣତଃ ଗ୍ରୀଷ୍ମ କାଳରେ ହିମାଳୟ ପାଦ ଦେଶ ତଥା ନେପାଳରେ ଖୁବ୍ ଅଧିକ ଦେଖିବାକୁ ମିଳିଥାଏ । ଏହା ସହ ସେ ଶୀତ କାଳରେ ଦକ୍ଷିଣ ତଥା ଶ୍ରୀଲଙ୍କାରେ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ । ଏମାନେ ପ୍ରାୟତଃ ଏକ ଓ ସାଙ୍ଗ ହୋଇ ଖାଦ୍ୟ ଅନୁସନ୍ଧାନ କରିଥାନ୍ତି । ଏମାନେ କୀଟ, ପତଙ୍ଗ ଏବଂ ଫଳ ଖାଇବାକୁ ଅଧିକ ପସନ୍ଦ କରନ୍ତି ।
