ଶ୍ରୀଜୀଉଙ୍କ ଗୁପ୍ତ ସେବା, ଫିଟିଲା ଓଦା ବସ୍ତ୍ର
- ଅଣସର ସମୟରେ ଶ୍ରୀ ଅଲାରନାଥ ଦର୍ଶନ
ପୁରୀ : ସ୍ନାନ ମଣ୍ଡପରେ ଶ୍ରୀଜୀଉମାନେ ୧୦୮ ଗରା ଅଭିମନ୍ତ୍ରିତ ଅଧିବାସ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ହୋଇ ଏବେ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି । ଅତ୍ୟଧିକ ସ୍ନାନ ଯୋଗୁଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଲାଗିବସ୍ତ୍ର ଓଦା ହୋଇଥିଲା । ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ସେବାରେ ଥିବା ପାଳିଆ ଦଇତାପତି ମାନେ ଏହି ଓଦା ବସ୍ତ୍ରକୁ ଫିଟାଇଛନ୍ତି । ଦେଉଳ ବୈଦ୍ୟଙ୍କ ପରାମର୍ଶ କ୍ରମେ ଶ୍ରୀଜୀଉଙ୍କ ଚେରମୂଳିଭିତିକ ଆୟୁର୍ବେଦ ଚିକିତ୍ସା କରାଯାଉଛି । ଶ୍ରୀଜୀଉଙ୍କ ଶ୍ରୀଅଙ୍ଗ ଫିଟା ନୀତି ଆସନ୍ତାକାଲି ଅନୁଷ୍ଠିତ ହେବ ବୋଲି ଦଇତାପତିଙ୍କ ସୂତ୍ରରୁ ଜଣାପଡିଛି । ପ୍ରଭୁଙ୍କ ଗୋପନ ନୀତି ଅନୁଷ୍ଠିତ ହେଉଛି । ସ୍ନାନ ପୂର୍ଣ୍ଣିମା ଠାରୁ ନବଯୌବନ ଦର୍ଶନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଓ ଅଣସର ବିଧି ୧୫ ଦିନ ଧରି ପାଳିତ ହୋଇଥାଏ । ଓଦା ବସ୍ତ୍ର ଫିଟା, ଶ୍ରୀଅଙ୍ଗ ଫିଟା, ଫୁଲୁରୀ ତେଲ ଲାଗି, ଓଷ ଲାଗି, ଖଳି ଲାଗି, ଚକା ଅପସର, ଖଡ଼ି ଲାଗି ଆଦି ନୀତି ଅନୁଷ୍ଠିତ ହୋଇଥାଏ ।
ସୂଚନା ଯେ, ମହାପ୍ରଭୁ ମହାବାହୁ ସ୍ନାନ ବେଦୀ ରେ ୧୦୮ ଗଡୁ ଜଳରେ ସ୍ନାନ କରିବା ପରେ ଜ୍ୱର ରେ ପିଡୀତ ହୋଇ ଏବେ ଅଣସର ପିଣ୍ଡି ରେ ଅବସ୍ଥାନ କରିଛନ୍ତି । ଏହି ସମୟରେ ଭକ୍ତ ଶ୍ରୀ ଜିଉଙ୍କୁ ଦର୍ଶନ ନପାଇ ବ୍ରହ୍ମଗିରି ର ଶ୍ରୀ ଅଲାରନାଥ ଦେବ ଙ୍କୁ ଦର୍ଶନ କରିବା ପରମ୍ପରା ରହିଛି । କରୋନା କଟକଣା ଯୋଗୁଁ ଶ୍ରୀମନ୍ଦିର ଓ ଶ୍ରୀଅଲାରନାଥ ମନ୍ଦିର ରେ ସାଧାରଣ ଭକ୍ତ ଦର୍ଶନ ବନ୍ଦ ରହିଛି । କଥିତ ଅଛି ବର୍ଷକ ଯାକ ଶ୍ରୀମନ୍ଦିର ରେ ଶ୍ରୀଜିଉ ଙ୍କୁ ଦର୍ଶନ କଲେ ଯେତିକି ପୁଣ୍ୟ ମିଳିଥାଏ ଅଣସର ସମୟରେ ଚତୁର୍ଦ୍ଧାମୂର୍ତି ନାରାୟଣ ଶ୍ରୀଅଲାରନାଥ ଦେବଙ୍କୁ ଦର୍ଶନ କଲେ ସମାନ ପୁଣ୍ୟ ଫଳ ମିଳିଥାଏ । ଶ୍ରୀଅଲାରନାଥ ଖିରୀ ପ୍ରିୟ ଠାକୁର । ଭକ୍ତର ଭାବ କୁ ପ୍ରଭୁ ବୁଝି ପାରନ୍ତି । ଶ୍ରୀ ଅଲାରନାଥ ପୀଠ ରେ ଶ୍ରୀମନ୍ଦିର ପରି ଅନେକ ଯାନି ଯାତ୍ରା ପର୍ବପର୍ବାଣୀ ଓ ନୀତିକାନ୍ତି ଅନୁଷ୍ଠିତ ହୋଇଆସୁଛି । ସବୁଠାରୁ ବଡ ଗୁରୁତ୍ୱପୂର୍ଣ୍ଣ ବିଷୟ ଶ୍ରୀ ଅଲାରନାଥ ଙ୍କ ନାମରେ ଥିବା ଭୂ ସଂପତି ଗୁଡିକ କେତେକ ପ୍ରଭାବଶାଳୀ ବ୍ୟକ୍ତି ଦଖଲ ରେ ରହିବା ସହ ଘରଦ୍ୱାର କରିଛନ୍ତି । ଏହି ସବୁ ସମସ୍ୟା କୁ ସମାଧାନ କରିବା ପାଇଁ ବ୍ରହ୍ମଗିରି ଅଂଚଳ ବାସୀ ଦାବି କରିଛନ୍ତି ।
