ଅଣ୍ଡିରା ଛୁଆହାତୀର ମୃତଦେହ ଠାବ ଘଟଣା : ବନବିଭାଗ ଓ ସ୍ପେଶାଲ ଟାକ୍ସ ଫୋର୍ସ ଦ୍ୱାରା ତଦନ୍ତ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟରେ ୧୦୦ରୁ ଊର୍ଦ୍ଧ୍ୱ ହାତୀ ରହିଛନ୍ତି । ଦିନେ ହାତୀ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଥିବା କୁଳଡିହା ଅଭୟାରଣ୍ୟ ଏବେ ହାତୀ ପାଇଁ ବିପଦ ସାଜିଛି । ଏହି ପରିପ୍ରେକ୍ଷୀରେ ଗତ ବୁଧବାର କୁଲଡ଼ିହା ଅଭୟାରଣ୍ୟର ଝରଣାଘାଟି ସେକ୍ସନ ପୁରୁଣାପାଣି ବିଟ୍ ଡାଙ୍ଗରପୋଖରୀ ନିକଟ ଜଙ୍ଗଲ ଭିତରେ ବନ କର୍ମଚାରୀ ପାଟ୍ରୋଲିଂ କରୁଥିବା ବେଳେ ଏକ ଅଣ୍ଡିରା ଛୁଆହାତୀର ମୃତଦେହ ଠାବକରି ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ । ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗୁରୁବାର ପୂର୍ବାହ୍ନରେ ସ୍ପେଶାଲ ଟାକ୍ସ ଫୋର୍ସର ଦୁଇ ଅଧିକାରୀ, ବାରିପଦା ଆର୍ସିସିଏଫ୍ ପ୍ରକାଶ ଗୋଗିନାନି, ବାଲେଶ୍ୱର ଡିଏଫ୍ଓ ଖୁସବନ୍ତ ସିଂହ, ବାଲେଶ୍ୱର ଏସିଏଫ୍ ସୋଭନ ଦିଗନ୍ତ ଚାନ୍ଦ, କୁଲଡ଼ିହା ରେଞ୍ଜର ଅନନ୍ତ କୁମାର ଜେନା ଓ ସ୍ଥାନୀୟ ଫରେଷ୍ଟର ସମେତ ଅନ୍ୟ ବନ କର୍ମଚାରୀ ଓ ୩ ଜଣ ପଶୁ ଚିକିତ୍ସକ, ସ୍ଥାନୀୟ ପଞ୍ଚାୟତର ଲୋକ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ôଚ ହାତୀ ମୃତ୍ୟୁର ପ୍ରାଥମିକ ତଦନ୍ତ କରିଥିଲେ । ହାତୀଟିର ବୟସ ୧୦ ବର୍ଷ ମଧ୍ୟରେ ହେବ ଏବଂ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଇଥିଲା । ପରେ ବ୍ୟବଚ୍ଛେଦ କରି ପୋଡ଼ି ଦେଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡିଏଫଓ ଖୁସବନ୍ତ ସିଂହ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୧୪ ମାସ ଭିତରେ କୁଲଡ଼ିହା ଅଭୟାରଣ୍ୟରେ କ୍ରମାଗତ ଭାବେ ୮ଟି ହାତୀଙ୍କ ମୃତ୍ୟୁ ହେଲାଣି । ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । କେତେବେଳେ ଅସୁସ୍ଥତା କାରଣରୁ ତ କେତେବେଳେ ଶିକାରୀଙ୍କ ଦ୍ୱାରା ଯାଉଛି ହାତୀଙ୍କ ଜୀବନ । ହାତୀ ବଂଶ ଲୋପ ପାଉଥିବାରୁ ବନାଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ସ୍ଥାନୀୟ ଲୋକେ ବନବିଭାଗର ଅପାରଗତାକୁ ନେଇ ପ୍ରଶ୍ନ କରିଛନ୍ତି ।
