୭୫ ବର୍ଷରେ ପାଦ ଥାପିଲା ରାଜଧାନୀ ! ଜାଣନ୍ତୁ କାହିଁକି ଭୁବନେଶ୍ୱର ନାମ?
୭୫ ବର୍ଷରେ ପାଦ ଥାପିଛି ରାଜଧାନୀ ଭୁବନେଶ୍ୱର । ମନ୍ଦିର ମାଳିନୀରୁ ସ୍ମାର୍ଟ ସିଟି । ଏକାମ୍ର କ୍ଷେତ୍ରରୁ ରାଜ୍ୟର ରାଜଧାନୀ । ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ ଭାବେ ଗଠିତ ହୋଇଥିବା ଏହି ମାୟାନଗରୀକୁ ଆଜି ୭୫ ବର୍ଷ ପୂରିଛି । ଯାତ୍ରା ଭିତରେ ବଢିଛି ସହରର କାୟା, ବଦଳିଛି ପରିବେଶ । ସବୁଜ ବଳୟରୁ କଂକ୍ରିଟ ଜଙ୍ଗଲରେ ପରିଣତ ହୋଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହାରି ମଧ୍ୟରେ ।
ଗତ ୧୯୪୮ ଏପ୍ରିଲ୧୩ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁ ଓଡ଼ିଶାବାସୀଙ୍କୁ ଭେଟି ଦେଇଥିଲେ ନୂଆ ରାଜଧାନୀ । ୩ଟି ରାଜସ୍ୱ ଗ୍ରାମ ଏବଂ ୧୫ ହଜାର ଲୋକସଂଖ୍ୟାରୁ ଆରମ୍ଭ ହୋଇଥିବା ରାଜଧାନୀ ପ୍ରତିଷ୍ଠାର ୧୦ବର୍ଷ ମଧ୍ୟରେ ଏହାର ଜନସଂଖ୍ୟା ୪୦ ହଜାରକୁ ବୃଦ୍ଧି ପାଇବା ସହ କ୍ଷେତ୍ରଫଳ ୧୩୨ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଥିଲା । ଭୁବନେଶ୍ୱର ଏହି ୭୫ ବର୍ଷ ଭିତରେ ନେଇଛି ବିଶାଳ ନଗରୀର ରୂପ । ସେତେବେଳେ ରାଜଧାନୀ ସବୁଜିମାରେ ପରିପୂର୍ଣ୍ଣ ଥିଲା । ସେହି ଜଙ୍ଗଲକୁ ସଫା କରି ସହରର ଶିଳାନ୍ୟାସ କରାଯାଇଥିଲା । ମନ୍ଦିର ମାଳିନୀ ଭୁବନେଶ୍ୱର ଏବଂ ସ୍ମାର୍ଟ ସିଟି । ଦେଶର ସ୍ପୋର୍ଟସ୍ ହବ ସହ ପୂର୍ବ ଭାରତର ଶିକ୍ଷା କେନ୍ଦ୍ର ପାଲଟିଛି ଭୁବନେଶ୍ବର । ରାଜଧାନୀ ଭୁବନେଶ୍ବର ଚାରିପଟକୁ ବଢିବାରେ ଲାଗିଛି । ଚେହେରା ବଦଳିଛି, ନୂଆ ପରିଚୟ ମିଳିଛି ।
ଭୁବନେଶ୍ୱର ନାମ କାହିଁକି ?
ଭୁବନେଶ୍ୱର ନାମଟି ଶିବଙ୍କ ଅନ୍ୟନାମ ତ୍ରିଭୁବନେଶ୍ୱର ନାମରୁ ଆସିଅଛି । ଭୁବନେଶ୍ୱର ୩୦୦୦ ବର୍ଷ ଆଗରୁ ମହାମେଘ ବାହନ ଚେଦି ବଂଶଦ୍ୱାରା ଆରମ୍ଭ ହୋଇଥିଲା ଯେଉଁମାନଙ୍କ ରାଜଧାନୀ ବର୍ତ୍ତମାନର ଭୁବନେଶ୍ୱର ପାଖ ଶିଶୁପାଳଗଡ଼ରେ ଥିଲା । ଭୁବନେଶ୍ୱର ତୋଷାଳୀ, କଳିଙ୍ଗ ନଗରୀ, ନଗର କଳିଙ୍ଗ, ଏକାମ୍ର କାନନ, ଏକାମ୍ର କ୍ଷେତ୍ର ଏବଂ ମନ୍ଦିର ମାଳିନୀ ନଗରୀ ନାମରେ ପ୍ରସିଦ୍ଧ । ଦେଶ ସ୍ୱାଧୀନ ହେବାର ପରବର୍ଷ, ୧୯୪୮ ମସିହାରେ ଓଡ଼ିଶାର ରାଜଧାନୀ କଟକରୁ ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା । ଭୁବନେଶ୍ୱର ଏବଂ କଟକ ଏକାସାଙ୍ଗେ ଓଡ଼ିଶାର ଟ୍ୱିନ ସିଟି ବା ଦୈତ ସହର ଭାବେ ଜଣାଶୁଣା ।
୧୯୪୬ ମସିହାରେ, ଭୁବନେଶ୍ୱରକୁ ଏକ ମନହୋର ନଗରୀରେ ଗଢ଼ି ତୋଳିବାର ନକ୍ସା ପ୍ରସ୍ତୁତ କରିଥିଲେ ଜର୍ମାନୀର ସ୍ଥପତି ଓ ପ୍ଲାନର “ଅଟୋ କଏନ୍ସବର୍ଗର” । ୧୯୪୮ ମସିହା ଅପ୍ରେଲ ୧୩ତାରିଖ ଦିନ ଭୁବନେଶ୍ୱରରେ ନୂଆ ରାଜଧାନୀର ପ୍ରତିଷ୍ଠା ଫଳକ ତତ୍କାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କରକମଳରେ ସ୍ଥାପିତ ହୋଇଥିଲା । ସେହି ପ୍ରତିଷ୍ଠା ଫଳକଟି ବର୍ତ୍ତମାନ ବିଧାନ ସଭା ସନ୍ନିକଟ ପାଚେରୀ ନିକଟରେ ଲାଗିଛି । ୧୯୪୮ରୁ ପ୍ରତିବର୍ଷ ଅପ୍ରେଲ ୧୩ ତାରିଖ ଦିନ, “ଭୁବନେଶ୍ୱର ପ୍ରତିଷ୍ଠା ଦିବସ” ଭାବରେ ପାଳନ କରାଯାଏ ।ସେତେବେଳେ ପ୍ରସ୍ତୁତ କରାଯାଇଥିବା ନକ୍ସା ଅନୁଯାୟୀ, ପ୍ରଥମ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱର ଜନସଂଖ୍ୟା ପନ୍ଦର ହଜାରରୁ ବଢ଼ି ଚାଳିଶ ହଜାର ଓ ସହରର କ୍ଷେତ୍ରଫଳ ଶହେ ବତିଶ ବର୍ଗ କିଲୋମିଟର ହେବ ବୋଲି ଆକଳନ କରାଯାଇଥିଲା ।
ଭୁବନେଶ୍ୱରରେ ଛଅଟି ୟୁନିଟ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଏକ ବିଜ୍ଞାପିତ ଅଞ୍ଚଳ ହେବା ମଧ୍ୟ ସେହି ନକ୍ସାରେ ଥିଲା । ଏହି ଯୋଜନାକୁ “ଓଡ଼ିଶା ସହର ଯୋଜନା ଆଇନ” ୧୯୫୬ ଅନୁସାରେ କାର୍ଯ୍ୟକାରି କରାଗଲା । ଭୁବନେଶ୍ୱର ପାଇଁ ଜଣେ “ବିଶେଷ ଯୋଜନା ଅଧିକାରୀ”ଙ୍କୁ ନିଯୁକ୍ତ କରାଗଲା । ଜନସଂଖ୍ୟା ବୃଦ୍ଧି ସହ ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲିଟି ଗଠନ କରାଗଲା । ପରେ ଭୁବନେଶ୍ୱର ମୁନିସିପାଲିଟି ସହ ଖୋର୍ଦ୍ଧା, ଜଟଣୀ ବିଜ୍ଞାପିତ ଅଞ୍ଚଳକୁ ନେଇ “ଭୁବନେଶ୍ୱର ଆଞ୍ଚଳିକ ଉନ୍ନୟନ ସଂସ୍ଥା(ବ୍ରିଟ)” ଗଠନ କରାଗଲା । ପରବର୍ତ୍ତୀ ସମୟରେ, ଭୁବନେଶ୍ୱରରେ ମୁନିସିପାଲ କର୍ପୋରେସନ ଓ ସନ୍ନିକଟ ଗାଁଗୁଡିକୁ ନେଇ ଭୁବନେଶ୍ୱର ଉନ୍ନୟନ ସଂସ୍ଥା (ବିଡିଏ) ଗଠନ କରାଗଲା ।
