ମନୋରଂଜନ ଥିଲେ ସାହିତ୍ୟ ସଂସ୍କୃତି ଓ ସଂଗଠନର ତ୍ରିବେଣୀ ସଙ୍ଗମ
କଟକ : ସାମ୍ବାଦିକ ମନୋରଂଜନ ନନ୍ଦ ଥିଲେ ସାହିତ୍ୟ, ସଂସ୍କୃତି ଓ ସଂଗଠନର ତ୍ରିବେଣୀ ସଙ୍ଗମ ବୋଲି ମନୋରଂଜନଙ୍କ ତୃତୀୟ ମାସିକ ସ୍ମୃତିଚାରଣ ସଭାରେ ବକ୍ତାମାନେ ପ୍ରକାଶ କରିଥିଲେ । ଖାନନଗରସ୍ଥ ଲେଖକ ସହଯୋଗ ସମିତି ସଭାଗୃହ କାଳିଭବନରେ ଅନୁଷ୍ଠିତ ସ୍ୱର୍ଗତ ମନୋରଂଜନଙ୍କ ସ୍ମୃତିଚାରଣ ସଭାରେ ଚିତରଂଜନ ନନ୍ଦ, ରୁମଝୁମ୍ ନାୟକ, ମୁକୁନ୍ଦ ଶତପଥୀ ପ୍ରମୁଖ ବିଗତ ଦିନର ସ୍ମୃତିଚାରଣ କରି ଓଡିଶାର ଜଣେ ଆଗଧାଡିର ସାମ୍ବାଦିକ ତଥା ପ୍ରାବନ୍ଧିକ ମନୋରଂଜନଙ୍କ କୃତ୍ତି ଅବିସ୍ମରଣୀୟ ବୋଲି କହିଥିଲେ । ସ୍ମୃତି ସଭାର ଆବାହକ ମାନସ କୁମାର ନନ୍ଦ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ଅବସରରେ ତାଙ୍କର ସ୍ମୃତିରେ ପ୍ରକାଶିତ ପୁସ୍ତିକା ‘ଅମ୍ଲାନ ପ୍ରତିଭା’ ଓ ତାଙ୍କର ମାନସ ସନ୍ତାନ ‘ବିଭାବନା’ ପତ୍ରିକାର ବିଷୁବ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ସଂଯୋଜିକା ବିଶ୍ୱମିତ୍ରା ମିଶ୍ର ଓ ବସନ୍ତ କୁମାରୀ ନନ୍ଦଙ୍କ ସଂଯୋଜନାରେ ନମିତା ମହାନ୍ତି, ସୁଶୀଳ କୁମାର ନନ୍ଦ, ରେଣୁବାଳା ସ୍ମୃତି ସଂସଦର ସଭାନେତ୍ରୀ ସଂଯୁକ୍ତା ମିଶ୍ର, ଅଜିତ କୁମାର ମହାପାତ୍ର, ଗୈାତମ ଚନ୍ଦ୍ର କର, ଲକ୍ଷ୍ମୀଧର ମହାରଣାଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । କବି ମୈତ୍ରୀ ଭୁଷଣ ଖୁଣ୍ଟିିଆ ଧନ୍ୟବାଦ ଅର୍ପଣ କରିଥିଲେ ।
