ବୈଶାଖୀ ମହୋତ୍ସବ-୮ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର : ବାଲେଶ୍ୱର ସଦର ବ୍ଲକ ଈଶାଣୀ ଗ୍ରାମର ଉଡ଼ାଯାତ୍ରା ପଡ଼ିଆରେ ବୈଶାଖୀ ମହୋତ୍ସବ-୮ ନିମନ୍ତେ ଶନିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଅନୁଷ୍ଠାନର ସଭାପତି ଆଇନଜୀବୀ ଅଶୋକ କୁମାର ସେନାପତି ଅଧ୍ୟକ୍ଷତା କରି ବିଗତ ୭ବର୍ଷ ଧରି ଏହି ଉତ୍ସବ ଏକନିଷ୍ଠ ଶ୍ରମ ଓ ସାଧନା ବଳରେ ସଫଳତାର ସହ ସମ୍ପାଦନା ହୋଇଆସୁଥିବାବେଳେ ଏହି ଉଡ଼ାଯାତ୍ରା ପଡ଼ିଆ ‘ଲବଣ ସତ୍ୟାଗ୍ରହ ସ୍ମାରକୀ ଷ୍ଟାଡ଼ିୟମ୍’ ଭାବରେ ସର୍ବସାଧାରଣରେ ବିଦିତ ହୋଇପାରିଛି । ଏହାର ଉନ୍ନତୀକରଣ ପାଇଁ ରେମୁଣା ବିଧାୟକ ତାଙ୍କ ହାତପାଣ୍ଠିରୁ ଦୁଇଥର ମୋଟ୍ ୩ଲକ୍ଷ ୫୦ହଜାର ଟଙ୍କା ପ୍ରଦାନ କରିସାରିଛନ୍ତି । ଏହି ୫ ଦିନିଆ ବୈଶାଖୀ ମହୋତ୍ସବ-୮ର ୩୭ବର୍ଷର ଉଡ଼ାଯାତ୍ରାରେ ପ୍ରଥମଥର ପାଇଁ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମିଳିତ ଆନୁକୂଲ୍ୟରେ ପୁରୀର ଗୋଟିପୁଅ ନୃତ୍ୟ, ସ୍କୁଲ୍ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଚିତ୍ରାଙ୍କନ, ବକ୍ତୃତା ଓ ନୃତ୍ୟ ପ୍ରତିଯୋଗିତା ହେବା ସହ ମହିଳାମାନଙ୍କ ଦ୍ୱାରା ଶଙ୍ଖ, ହୁଳହୁଳି, ଝୋଟି, ମୁରୁଜ ଆଦି ପ୍ରତିଯୋଗିତାର କାର୍ଯ୍ୟକ୍ରମ ରହିଥିବାର ପ୍ରକାଶ କରିଥିଲେ ।
ମହୋତ୍ସବ କମିଟିର ସାଧାରଣ ସମ୍ପାଦକ ଭାଗବତ ସାହୁ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରି ବୈଶାଖୀ ମହୋତ୍ସବ-୮ର ରୂପରେଖ ଉପସ୍ଥାପନ କରିଥିଲାବେଳେ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ ସଭାପତି କବି ଶ୍ରୀଦେବ ସଞ୍ଚାଳନ କରିଥିଲେ । ବୈଠକରେ ସାରଗାଁ ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ ମନ୍ମଥ ମାଝୀ, ପୂର୍ବତନ ସରପଞ୍ଚ ଆଇନଜୀବୀ ରବୀନ୍ଦ୍ର କୁମାର ନାୟକ, ପୂର୍ବତନ ସରପଞ୍ଚ ନରେନ୍ଦ୍ର ଦାସ, ମହୋତ୍ସବ କମିଟିର ଉପଦେଷ୍ଟା ଭାସ୍କର ଚନ୍ଦ୍ର ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ସେଠୀ, ଉପ-ସଭାପତି ଲକ୍ଷ୍ମୀଧର ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ରାଉତ, ସାରିକା କର, ଖବରଦାତା ମନୋଜ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । କମିଟିର ଅନ୍ୟତମ ଉପ-ସଭାପତି ସୁରେଶ ଚନ୍ଦ୍ର ମାଝୀ, ପ୍ରଫୁଲ୍ଲ ନାୟକ, ଦୀନବନ୍ଧୁ ଦାସ, ଡମ୍ବରୁଧର ଦାସ, ସନାତନ ବେହେରା, ମମତା ଦାସ, ଜନାର୍ଦ୍ଦନ ବିନ୍ଧାଣୀ, ରମେଶ ବେହେରା, ଅଞ୍ଜନ କୁମାର ଦାସ, ହିମାଂଶୁ ପରିଡ଼ା, ରବୀନ୍ଦ୍ର ମଢ଼ୁଆଳ, ଦୀନବନ୍ଧୁ ବେହେରା, ମଧୁସୂଦନ ନାୟକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ ।
