୧୭ରୁ ସମୂହ ଛୁଟିରେ ଯିବେ ଏସସିବିର ଫାର୍ମାସିଷ୍ଟ
କଟକ : ଓଡିଶା ଫାର୍ମାସିଷ୍ଟ ସେବା ସଂଘର ଆହ୍ୱାନ କ୍ରମେ ୫ ଦଫା ଦାବି ପୂରଣ ପାଇଁ ଏସସିବି ମେଡିକାଲ କଲେଜ ହସ୍ପିଟାଲ ସମେତ ମାନସିକ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଦନ୍ତ ଚିକିତ୍ସାଳୟ, ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଏଆରଟି ସେଣ୍ଟର ଓ ଶିଶୁଭବନରେ କାର୍ଯ୍ୟରତ ସମସ୍ତ ଫାର୍ମାସିଷ୍ଟ ଆସନ୍ତା ୧୭ରୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ସମୂହ ଛୁଟି ନେବା ଲାଗି ଆଜି ଅଧୀକ୍ଷକ ଏବଂ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଛୁଟି ଦରଖାସ୍ତ ଦେଇଛନ୍ତି । ଦୀର୍ଘ ୧୦ ବର୍ଷ ଧରି ଫାର୍ମାସିଷ୍ଟ କ୍ୟାଡର କାର୍ଯ୍ୟକାରୀ ନ ହେବା, ମୂଳ ଦରମା ଗ୍ରେଡ ପେ ବୃଦ୍ଧି, ପଦବୀର ନାମ ପରିବର୍ତ୍ତନ, ୨୦୧୩ ପୂର୍ବରୁ ଠିକାରେ କାର୍ଯ୍ୟ କରିଆସୁଥିବା ସମସ୍ତ ଫାର୍ମାସିଷ୍ଟମାନଙ୍କ କାର୍ଯ୍ୟକାଳକୁ ବରିଷ୍ଠତା ଭିତ୍ତିରେ ବିବେଚନା ସହ ଆର୍ôଥକ ସୁବିଧା ଦେବା ଏବଂ ଏମଏଚୟୁ, ଆରବିଏସକେ ଫାର୍ମାସିଷ୍ଟମାନଙ୍କୁ ରେଗୁଲାର ନିଯୁକ୍ତି ଦେବା ଆଦି ୫ ଦଫା ଦାବି ବହୁ ବର୍ଷ ଧରି ସରକାରଙ୍କ ନିକଟରେ ବିଚାରାଧୀନ ଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଫାର୍ମାସିଷ୍ଟମାନଙ୍କ ଦାବି ପୂରଣ ପାଇଁ କୈାଣସି ପଦକ୍ଷେପ ନ ନେବାରୁ ଫାର୍ମାସିଷ୍ଟମାନେ ବାଧ୍ୟ ହୋଇ ସମୂହ ଛୁଟି ନେବେ ବୋଲି ଘୋଷଣା କରିଛନ୍ତି । ଏସସିବି ରାଜ୍ୟର ପ୍ରମୁଖ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ହୋଇଥିବାରୁ ଏଠାର ସମସ୍ତ ନିରାମୟ, କେନ୍ଦ୍ରୀୟ ଔଷଧ ଭଣ୍ଡାର, ସମସ୍ତ ଅସ୍ତ୍ରୋପଚାର ଗୃହ ଏଥିପାଇଁ ପ୍ରଭାବିତ ହେବ । ଏଥିଲାଗି ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିବା ସହ ସମୂହ ଛୁଟିରେ ଯାଇ ଦାବି ପୂରଣ ନ ହେବା ଯାଏଁ ଧାରଣାରେ ବସିବେ ବୋଲି ଏସସିବି ଶାଖାର ମୁଖ୍ୟ ଉପଦେଷ୍ଟା ଦିଲ୍ଲିପ କୁମାର ସାହୁ, ସହଯୋଗୀ ଅଶୋକ କୁମାର ସାହୁ, ସୁକାନ୍ତ କୁମାର ଦାସ, ରଜନୀକାନ୍ତ ଦା. ବିଶ୍ୱନାଥ ଭୋଳ, ଏସସିବି ଶାଖାର ସଭାପତି ନଳିନୀ ସାହୁ, ସଂପାଦକ ନିରଂଜନ ସାହୁ, ସାରଦା ପ୍ରସନ୍ନ ବେହେରା, ଅନ୍ତୁ ମୁର୍ମୁ, ସୁଧାଂଶୁ ଶେଖର ବାରିକ, ରଶ୍ମିତା ରାଉତ ପ୍ରମୁଖ ଜଣାଇଛନ୍ତି ।
