ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ଆୟୁର୍ବେଦ ଚିକିତ୍ସା
କଟକ : ପ୍ରତ୍ୟେକ ବ୍ୟକ୍ତିର ଶାରୀରିକ ସୁସ୍ଥତା ସହିତ ମାନସିକ ଓ ସାମାଜିକ ସୁସ୍ଥତା ରହିଲେ ହିଁ ତାଙ୍କୁ ସୁସ୍ଥ ବ୍ୟକ୍ତି କୁହାଯାଇଥାଏ ବୋଲି ୧୯୫୦ ଏପ୍ରିଲ ୭ ତାରିଖଠୁ ପ୍ରତିବର୍ଷ ପାଳିତ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଲକ୍ଷ୍ୟ ବୋଲି କୁହାଯାଇଛି । ଏହି ଅବସରରେ କଟକ ଝାଞ୍ଜିରୀମଙ୍ଗଳାଠାରେ ଆୟୋଜିତ ଏକ ଆୟୁର୍ବେଦୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡି.ଲିଟ୍ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଧର୍ମ, ଅର୍ଥ, କାମ ଓ ମୋକ୍ଷପ୍ରାପ୍ତି ପାଇଁ ଆରୋଗ୍ୟ ଓ ସୁସ୍ଥ ରହିବା ନିହାତି ଆବଶ୍ୟକ ବୋଲି ପ୍ରକାଶ କରିବା ସହିତ ସ୍ୱାସ୍ଥ୍ୟ ହେଉଛି ମଣିଷର ସୁଖ ଓ ସୁସ୍ଥତାର ମୂଳପିଣ୍ଡ ବୋଲି ମତପୋଷଣ କରିଥିଲେ । ପ୍ରତିଦିନ ସିଝା ପାଣି ପିଇବା, ବ୍ୟାୟାମ, କପାଳଭାତି ଓ ଯୋଗ ଭଳି ପରିଶ୍ରମ କାର୍ଯ୍ୟ କରିବା ସହିତ ସବୁଜ ପନିପରିବା ସେବନ କରି ପାଶ୍ୱର୍ ପ୍ରତିକ୍ରିୟା ବିହୀନ ଆୟୁର୍ବେଦ ଔଷଧ ସେବନ କରିବାକୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ସୁଲତା ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ସୁଲତା ପଣ୍ଡା, ଅଭିପ୍ସାର ସଂପାଦକ ସଂଗ୍ରାମ କେଶରୀ ନାୟକ, ବନାରସ୍ ଆୟୁର୍ବେଦ ମେଡିକାଲ କଲେଜର ପଂଚକର୍ମ ବିଭାଗର ସହକାରୀ ପ୍ରଫେସର ଡାକ୍ତର ଦିବ୍ୟଜ୍ୟୋତି ମହାରଣା, ସ୍ୱାସ୍ଥ୍ୟ ବିଶେଷଜ୍ଞ ସ୍ୱସ୍ତି ମହାପାତ୍ର, ସୋନାଲି ମିଶ୍ର, ଧରିତ୍ରୀ ଦାସ, କୃଷ୍ଣଚନ୍ଦ୍ର ନାୟକ ଏବଂ ପ୍ରୀତିମୟୀ ମନ୍ତ୍ରୀ ପ୍ରମୁଖ ଯୋଗଦେଇ ସ୍ୱାସ୍ଥ୍ୟ ହିଁ ଶ୍ରେଷ୍ଠ ସଂପଦ ହୋଇଥିବାରୁ ଆମେ ପ୍ରଥମେ ସ୍ୱାସ୍ଥ୍ୟରକ୍ଷା ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।
