ଫକୀର ମୋହନ ବିଶ୍ୱବିଦ୍ୟାଳୟରେ “ମାଟଲାବ୍ ଫର୍ ବିଗ୍ନେର୍ସ୍” ଶୀର୍ଷକ ସାତ ଦିବସୀୟ ଜାତୀୟ କର୍ମଶାଳା
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ଆନୁକୂଲ୍ୟରେ “ମାଟଲାବ୍ ଫର୍ ବିଗ୍ନେର୍ସ୍” ଶୀର୍ଷକ ସାତ ଦିବସୀୟ ଜାତୀୟ କର୍ମଶାଳା ଉଦ୍ଘାଟିତ ହୋଇଯାଇଛି । ମାଟଲାବ୍ ହେଉଛି ଏକ କମ୍ପ୍ୟୁଟର ପ୍ରଗ୍ରାମିଂ ସଫ୍ଟୱେର୍ , ଯାହାକୁ ବ୍ୟବହାର କରି ଅତି ବୃହତ୍ତର ଡାଟା ବା ତଥ୍ୟାବଳୀକୁ ସୁଦ୍ଧା ଅନାୟାସରେ ବିଶ୍ଳେଷଣ କରାଯାଇ ସମାଜର ଉନ୍ନତିକରଣ ଦିଗରେ ବ୍ୟବହାର କରାଯାଇ ପାରିବ । ବିଶେଷତଃ ଏହା କମ୍ପୁଟର୍ ସାଇନ୍ସ୍, ଗଣିତ, ପ୍ରଯୁକ୍ତିବିଦ୍ୟା, ଅର୍ଥନୀତି, ଭୂଗୋଳ, ଭୂତତ୍ୱ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଅର୍ଥନୀତି ଆଦି ବିଷୟର ଗବେଷକ ଓ ଛାତ୍ରଛାତ୍ରୀମାନଙ୍କ ସମେତ ଇଂଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉପାଦେୟ ବିଷୟ । ସାମ୍ପ୍ରତିକ ସମୟରେ ଏହାର ଗୁରୁତ୍ୱକୁ ବୁଝି ଏଥିରେ ଓଡ଼ିଶା ଓ ଓଡ଼ିଶା ବାହାରୁ ପ୍ରାୟ ୩୦ ରୁ ଊର୍ଦ୍ଧ୍ୱ ଗବେଷକ ଓ ବିଦ୍ୟାର୍ଥୀ ନାମପଞ୍ଜିକରଣ କରି ଅଂଶଗ୍ରହଣ କରିଛନ୍ତି ।
ଉଦ୍ଘାଟନୀ ଅଧିବେଶନରେ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆଜିର ଏହି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଯୁଗରେ ଆମେ ଯୁଗୀୟ ବିଶେଷତ୍ୱ ଅନୁସାରୀ ବିଦ୍ୟା ଓ ଶିକ୍ଷା ସହିତ ପରିଚିତ ଓ ଅଭ୍ୟସ୍ତ ହୋଇ ନ ପାରିଲେ ପଛୁଆ ହୋଇ ରହିଯିବା, ଯାହାଦ୍ୱାରା ବ୍ୟକ୍ତିଗତ ସ୍ୱାର୍ଥ ବାଧାପ୍ରାପ୍ତ ହେବା ସହିତ ସମୂହସ୍ୱାର୍ଥ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ପ୍ରକାଶ କରିଥିଲେ ଏବଂ ନୂଆନୂଆ ଜ୍ଞାନକୌଶଳ ସହିତ ଗବେଷକ ଓ ବିଦ୍ୟାର୍ଥୀଙ୍କୁ ପରିଚିତ କରାଇ ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କୁ ପାରଦର୍ଶୀ କରାଇବା ପାଇଁ ଫକୀର ମୋହନ ବିଶ୍ୱବିଦ୍ୟାଳୟର ମାନବ ସମ୍ବଳ ବିକାଶ କେନ୍ଦ୍ର ସର୍ବଦା ପ୍ରୟାସ କରିଆସିଛି ବୋଲି ସେ ସୂଚନା ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର୍ ମୁନେଶ୍ ଚନ୍ଦ୍ର ଅଧିକାରୀ କାମ୍ପ୍ୟୁଟରିକ ବିଦ୍ୟା କ୍ଷେତ୍ରରେ ସମ୍ପ୍ରତି ‘ମାଟଲାବ୍’ ର ବ୍ୟବହାର ତଥା ପ୍ରୟୋଗ ଅନେକ ପ୍ରକାରର ଜଟିଳ ତଥ୍ୟସମୂହର ବିଶ୍ଲେଷଣକୁ ସହଜ ଭାବରେ ପ୍ରସ୍ତୁତ କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି, ତେଣୁ ଏହି ସଫ୍ଟୱେୟାର୍ ସମ୍ପର୍କରେ ସମସ୍ତେ ଜାଣିବା ଉଚିତ ବୋଲି ମତ ଦେଇଥିଲେ । ମାନବ ସମ୍ବଳ ବିକାଶ କେନ୍ଦ୍ରର ନିର୍ଦ୍ଦେଶକ ପ୍ରଫେସର ମନୋରଞ୍ଜନ ମିଶ୍ର ଏହି ଜାତୀୟ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ପ୍ରଥମେ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭାବ ଆଦାନପ୍ରଦାନ ହେଉଥିଲା, ବର୍ତ୍ତମାନ ବ୍ୟକ୍ତି ଓ ଜନ୍ତ୍ର ମଧ୍ୟରେ ଭାବ ବିନିମୟ ସମ୍ଭବ ହେଉଅଛି ; ଏହି କ୍ରମରେ ଆଗାମୀ ସମୟରେ ଜନ୍ତ୍ର ଓ ଜନ୍ତ୍ର ମଧ୍ୟରେ ଭାବ ଆଦାନପ୍ରଦାନ କୌଶଳ ବିଷୟରେ ଚିନ୍ତା କରାଗଲାଣି ବୋଲି ମତ ଦେଇଥିଲେ ଏବଂ ଏ ଦିଗରେ ମାଟଲାବ୍ ପରି ସଫ୍ଟୱେୟାର୍ ର ଗୁରୁତ୍ୱ ସମ୍ପର୍କରେ ବୁଝାଇଥିଲେ ।ଏହି ଅବସରରେ ଆଇ ଆଇ. ଟି. ଖଡଗପୁରରୁ ଶ୍ରୀମାନ୍ ଚିନ୍ମୟ ବିଷୟ ବିଶାରଦ ତଥା ଭିତ୍ତି ପ୍ରବକ୍ତା ଭାବରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଏଚ୍. ଆ.ର୍ ଡି. ସି. ର ଉପନିର୍ଦ୍ଦେଶକ ଡ. ଦେବଦତ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଶେଷରେ ଅଧ୍ଯାପକ ଅସୀମ ଅମିତ ପ୍ରଧାନ କୃତଜ୍ଞତା ଜ୍ଞାପନ କରିଥିଲେ । ଆସନ୍ତା ୯ ତାରିଖରେ ଏହି ଜାତୀୟ କାର୍ମଶାଳା ଉଦଯାପିତ ହେବ ।
