ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୮ ବର୍ଷରେ ରାଜ୍ୟକୁ ମିଳିଛି ୩୨୪କୋଟି ୩୨ଲକ୍ଷ ଟଙ୍କା
ଭୁବନେଶ୍ୱର : ରାଜ୍ୟରେ ୨୦୧୫ରୁ ୨୦୨୨ (୮ ବର୍ଷ) ମଧ୍ୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ପ୍ରଶିକ୍ଷଣ ନିମନ୍ତେ କେନ୍ଦ୍ର ସରକାର ୩୨୪ କୋଟି ୩୨ ଲକ୍ଷ ଟଙ୍କା ଯୋଗାଇ ଦେଇଥିବା ଜଣାପଡ଼ିଛି।
ଲୋକସଭାରେ ସାଂସଦ ଡକ୍ଟର ଜୟନ୍ତ କୁମାର ରାୟ ଏବଂ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଅଣତାରକା ପ୍ରଶ୍ନରେ କେନ୍ଦ୍ର କୌଶଳ ବିକାଶ ଏବଂ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଏହା କହିଛନ୍ତି। ସାଂସଦ ଦ୍ୱୟ ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ କେତେ ସଂଖ୍ୟକ କୌଶଳ ବିକାଶ କେନ୍ଦ୍ର ସ୍ଥାପନ କରାଯାଇଛି ଏବଂ ଏଥିପାଇଁ କେତେ ଅର୍ଥ ଆବଣ୍ଟନ କରାଯାଇଛି ସେ ନେଇ ପ୍ରଶ୍ନ କରିଥିଲେ। ଏଥିସହିତ ଏହି ଯୋଜନାରେ ମହିଳାମାନଙ୍କୁ ସାମିଲ କରିବା ଲାଗି ନିଆଯାଇଥିବା ପଦକ୍ଷେପ ଓ ବିଶେଷଭାବେ ବଲାଙ୍ଗୀରରେ ଏହାର ସ୍ଥିତି ସମ୍ପର୍କରେ କରାଯାଇଥିବା ପ୍ରଶ୍ନରେ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଚନ୍ଦ୍ରଶେଖର କହିଛନ୍ତି, ଓଡ଼ିଶାର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା, ଜନଶିକ୍ଷଣ ସଂସ୍ଥାନ ଯୋଜନା, ସିଟିଏସ୍ ମାଧ୍ୟମରେ ଏହି ପ୍ରଶିକ୍ଷଣ ଦିଆଯାଉଛି। ୨୦୧୮-୧୯ ଆର୍ଥିକ ବର୍ଷରୁ ଚଳିତ ବର୍ଷ ଫେବୃଆରୀ ୧୫ ସୁଦ୍ଧା ଓଡ଼ିଶାକୁ ୪୫ କୋଟି ୩୦ ଲକ୍ଷ ଟଙ୍କା ଦିଆଯାଇଥିବା ସେ କହିଛନ୍ତି।
ଏ କ୍ଷେତ୍ରରେ ଅଧିକରୁ ଅଧିକ ମହିଳାମାନଙ୍କୁ ସାମିଲ କରିବା ଲାଗି ପ୍ରତ୍ୟେକ ମହିଳା ପ୍ରତିଯୋଗୀଙ୍କୁ ମାସିକ ୧ ହଜାର ଟଙ୍କା ଯାତାୟାତ ଖର୍ଚ୍ଚ ଦିଆଯାଉଛି। ବଲାଙ୍ଗୀର ଲୋକସଭା ଆସନ ଅନ୍ତର୍ଗତ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକରୁ ୨୦୧୫ ଠାରୁ ଏ ପର୍ଯ୍ୟନ୍ତ ୫ ହଜାର ୨୧୯ ଜଣ ନିଯୁକ୍ତି ପାଇଛନ୍ତି। ସୂଚନା ଅନୁଯାୟୀ, ରାଜ୍ୟରେ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ୧.୦ରେ ୪୫୧ଟି କେନ୍ଦ୍ର, ୨.୦ରେ ୩୮୭ ଏବଂ ୩.୦ରେ ୨୧୮ଟି କେନ୍ଦ୍ର କାର୍ଯ୍ୟ କରୁଛି। ଏହାଛଡ଼ା ୨୯ଟି ଜନଶିକ୍ଷଣ ସଂସ୍ଥାନ ଏବଂ ୫୧୩ଟି ଆଇଟିଆଇ ମାଧ୍ୟମରେ ଏହି ପ୍ରଶିକ୍ଷଣ ଯୋଗାଇ ଦିଆଯାଉଥିବା ମନ୍ତ୍ରୀ କହିଛନ୍ତି।
