୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୧୩ ହଜାର ୮୯ ଜଣ ଛାତ୍ରଛାତ୍ରୀ
ନୂଆଦିଲ୍ଲୀ : ଦେଶରେ ଥିବା ଆଇଆଇଟି, ଏନ୍ଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଏମ୍ସ ଏବଂ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ୨୦୧୭ରୁ ୨୦୨୧ ମଧ୍ୟରେ ୭ ହଜାର ୩୯୬ ଜଣ ଛାତ୍ର ଏବଂ ୫ ହଜାର ୬୯୩ ଜଣ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଆଜି ଲୋକସଭାରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଗତ ୫ ବର୍ଷରେ ଓଡ଼ିଶାରେ ଥିବା ଆଇଆଇଟି, ଏନ୍ଆଇଟି, ଆଇଆଇଏମ୍ ଏବଂ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କୌଣସି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିନାହାଁନ୍ତି। କେବଳ ୨୦୨୦ରେ ଭୁବନେଶ୍ୱର ଏମ୍ସରେ ଜଣେ ଆତ୍ମହତ୍ୟା କରିଥିବା ସେ ସୂଚନା ଦେଇଛନ୍ତି। ଉଚ୍ଚତର ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ ଆତ୍ମହତ୍ୟା ପ୍ରବଣତା ରୋକିବା ଲାଗି ଆଇଆଇଟି ବମ୍ବେ ପକ୍ଷରୁ ବନ୍ଧୁ ନାମକ ୱେବସାଇଟ୍ ଆରମ୍ଭ କରାଯାଇଥିବାବେଳେ ସଚେତନତା କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀମାନଙ୍କ ଲାଗି ବିଭିନ୍ନ ସେଲ୍ ଓ କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଦେଶର ଉଚ୍ଚତର ପ୍ରତିଷ୍ଠାନ ଗୁଡ଼ିକରେ ୧୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।
ଦେଶରେ ଥିବା ଆଇଆଇଟି, ଏନ୍ଆଇଟି, ଆଇଆଇଏମ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏମ୍ସରେ ୨୦୧୮ରେ ୨୦, ୨୦୧୯ରେ ୨୦, ୨୦୨୦ରେ ୧୩, ୨୦୨୧ରେ ୧୦ ଓ ୨୦୨୨ରେ ୨୫ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି।
