ପ୍ରଧାନମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଚିଠି, ରେଳ ଯାତ୍ରାରେ ବରିଷ୍ଠଙ୍କ ପାଇଁ ୫୦% ରିହାତି ବ୍ୟବସ୍ଥା ପୁଣି ଲାଗୁ କରିବାକୁ ଦାବି
ନୂଆଦିଲ୍ଲୀ: ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କ ପାଇଁ ୫୦ ପ୍ରତିଶତ ରିହାତି ବ୍ୟବସ୍ଥା ପୁଣି ଲାଗୁ କରିବାକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଭାରତୀୟ ରେଳବାଇ ବରିଷ୍ଠ ନାଗରିକଙ୍କ ପାଇଁ ରିହାତି ଟିକେଟ୍ ସୁବିଧା ବନ୍ଦ କରିଦେଇଛି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୨୦୨୦ରେ ଏନେଇ ଲୋକସଭାରେ ସୂଚନା ଦେଇଥିଲେ ।
ଚିଠିରେ କହିଛନ୍ତି ଯେ, ବରିଷ୍ଠ ନାଗରିକମାନଙ୍କୁ ରେଳ ଯାତ୍ରାରେ ୫୦% ରିହାତି ମିଳୁଥିଲା, ଦେଶର କୋଟି କୋଟି ବୟସ୍କ ବ୍ୟକ୍ତି ଏହା ଦ୍ବାରା ଉପକୃତ ହେଉଥିଲେ । କିନ୍ତୁ ଆପଣଙ୍କ ସରକାର ଏହି ସୁବିଧା ବନ୍ଦ କରିଦେଇଛନ୍ତି। ଏହା ଦୁର୍ଭାଗ୍ୟଜନକ। ଲୋକସଭାରେ ରେଳମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ଏହି ନିଷ୍ପତ୍ତି ଦ୍ବାରା ଆପଣଙ୍କ ସରକାର ୧୬୦୦ କୋଟି ଟଙ୍କା ସଞ୍ଚୟ କରିବ । ସରକାର ଏହା ଖର୍ଚ୍ଚ କଲେ ଗରିବ ହୋଇଯିବେ ନାହିଁ। ଏହାଛଡ଼ା କେଜ୍ରିୱାଲ ଦିଲ୍ଲୀରେ ତାଙ୍କ ସରକାର ସମୟରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ବିଭିନ୍ନ ରିହାତି ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି।
କରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ଦେଶବ୍ୟାପୀ ଲକଡାଉନ୍ ପରେ ସରକାର ବରିଷ୍ଠ ନାଗରିକଙ୍କ ପାଇଁ ରେଳ ରିହାତି ବ୍ୟବସ୍ଥା ୨୦ ମାର୍ଚ୍ଚ ୨୦୨୦ରେ ପ୍ରତ୍ୟାହାର କରିଥିଲେ। ଏବେ ସ୍ଥିତି ସ୍ୱାଭାବିକ ହୋଇଥିବା ବେଳେ ରେଳବାଇର ରାଜସ୍ବ ଆୟ ମଧ୍ୟ ବଢ଼ିଛି । ସଂସଦୀୟ କମିଟି ରେଳ ମନ୍ତ୍ରଣାଳୟକୁ ଏହାର ପୁନର୍ବିଚାର କରିବାକୁ ଅନୁରୋଧ କରିଛି।
କୋଭିଡ୍ ପୂର୍ବରୁ ଭାରତୀୟ ରେଳବାଇ ୬୦ ବର୍ଷରୁ ଅଧିକ ବୟସର ପୁରୁଷ ଯାତ୍ରୀଙ୍କୁ ୪୦ ପ୍ରତିଶତ ଓ ୫୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ମହିଳା ଯାତ୍ରୀଙ୍କୁ ୫୦ ପ୍ରତିଶତ ରିହାତି ପ୍ରଦାନ କରୁଥିଲା। ଏହି ରିହାତି ମେଲ୍ / ଏକ୍ସପ୍ରେସ / ରାଜଧାନୀ / ଶତାବ୍ଦୀ / ଦୂରନ୍ତୋ ଟ୍ରେନର ସମସ୍ତ ଶ୍ରେଣୀର ଭଡ଼ାରେ ଦିଆଯାଉଥିଲା । କିନ୍ତୁ କେନ୍ଦ୍ର ସରକାର ମାର୍ଚ୍ଚ ୨୦, ୨୦୨୦ରେ ଏହି ସୁବିଧା ବନ୍ଦ କରିଦେଇଥିଲେ।
