ମାର୍ଚ୍ଚରେ ୨ କୋଟିରୁ ଉର୍ଦ୍ଧ ଟଙ୍କା ଲୁଟିଛନ୍ତି ସାଇବର ଠକ
ଭୁବନେଶ୍ୱର : ଗତ ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଟଙ୍କା ଲୁଟିଛନ୍ତି ସାଇବର ଠକ । କେବଳ ଅନ୍ଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଂଟ ନାଁରେ ୧.୫୫ କୋଟି ଟଙ୍କା ଠକେଇ ହୋଇଛି । ସେହିପରି ଓଟିପି, କେୱାଇସି ଅପଡେଟ୍ ଲିଙ୍କରେ କ୍ଲିକ୍ ନାଁରେ ୬୫ ଲକ୍ଷ ଟଙ୍କା ଚଳୁ ହୋଇଛି । ଟେଲିଗ୍ରାମ ବ୍ୟବହାର ଜରିଆରେ ଠକେଇ କରାଯାଉଥିବା ନୂଆ ତରିକା ମଧ୍ୟ ଧରାପଡ଼ିଛି ବୋଲି ଭୁବନେଶ୍ୱର ସାଇବର ଥାନା ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ଅନେକ ଶିକ୍ଷିତ ଲୋକଙ୍କୁ ୱାର୍କ ଫମ୍ ହୋମ୍ କରି ରୋଜଗାର କରିବାର ଲୋଭ ଦେଖାଇ ଠକୁଛନ୍ତି ଲୁଟେରା । ସେହିପରି ଅଧିକ ରିଟର୍ଣ୍ଣ ମୋହ ଦେଖାଇ ଲୁଟ୍ ଭଳି ସର୍ବାଧିକ ୧୪ଟି ମାମଲା ରୁଜୁ ହୋଇଛି । ସାଇବର ଥାନା ଗଠନର ଦେଢ଼ ବର୍ଷ ଭିତରେ ଗତ ଅଗଷ୍ଟ ମାସରେ ସର୍ବାଧିକ ଠକେଇ ମାମଲା ରେକର୍ଡ କରାଯାଇଛି । ଏହି ସମୟ ଭିତରେ ମୋଟ ଠକେଇ ଫୋନ୍ କଲ ୪୦୫ଟି, ଓଟିପି ଠକେଇ ୨୧୭ଟି, ସାମାଜିକ ଗଣମାଧ୍ୟମ ଜରିଆରେ ୧୦୫ଟି ଠକେଇ ହୋଇଛି । ଚଳିତବର୍ଷ ଜାନୁଆରୀରେ ୧ କୋଟି ୮୭ ହଜାର ଟଙ୍କା, ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା ।
