ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ ଚିନ୍ତାମଣି ସାହୁ କଥାକାର ସ୍ମୃତି ସମ୍ମାନ
ବାଲେଶ୍ୱର : ବାଲେଶ୍ୱର ଜିଲାର ବିଶିଷ୍ଟ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ଚଳିତବର୍ଷ ଚିନ୍ତାମଣି ସାହୁ କଥାକାର ସ୍ମୃତି ସମ୍ମାନ ପାଇବେ । ଏନେଇ ଭଦ୍ରକର ତିହିଡ଼ି ସ୍ଥିତ ଅଚକର ଚିନ୍ତାମଣି ସାହୁ ସ୍ମୃତି ସଂସଦ ତରଫରୁ ଘୋଷଣା କରାଯାଇଛି । ଆସନ୍ତା ୭ ତାରିଖ ଶୁକ୍ରବାର ଅନୁଷ୍ଠିତ ହେବାକୁ ଥିବା ସ୍ମୃତି ଉତ୍ସବର ଏକ ବର୍ଣ୍ଣାଢ଼୍ୟ ସମାବେଶରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷ ଅତିଥି ଭାବେ ଯୋଗଦେଉଥିବା ବେଳେ ପ୍ରଥମ କରି ଆୟୋଜିତ ହେଉଥିବା ଏହି ସ୍ମୃତି ସମ୍ମାନରେ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ ସମ୍ମାନିତ କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ସୂଚନା ଯେ, ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ ତାଙ୍କର ଦୀର୍ଘବର୍ଷର ସାହିତ୍ୟ ସାଧନାରେ ମଗ୍ନ ରହି ଏଯାବତ୍ ୧୧ଟି ଗଳ୍ପ ସଂକଳନ, ୪ଟି ଉପନ୍ୟାସ ଓ ୩ଟି କାବ୍ୟ/କବିତା ସଂକଳନରେ ଓଡ଼ିଶା ସାହିତ୍ୟକୁ ଋଦ୍ଧିମନ୍ତ କରିବା ସଂଗେ ସଂଗେ ଅଦ୍ୟାବଧି ବେଶ୍ ଚଳଚଞ୍ଚଳ ଓ ଆଦୃତ ଗାଳ୍ପିକ ଭାବେ ପାଠକଙ୍କ ନିକଟରେ ପରିଚିତ । ନିକଟରେ ତାଙ୍କର ‘ଶ୍ରେଷ୍ଠ ଗଳ୍ପ’ ସଙ୍କଳନ ପ୍ରକାଶ ପାଇ ଲେଖକ ମହଲରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି ।
