ଆଇପିଏଲ-୨୦୨୩ : ଟସ୍ ଜିତି ଲକ୍ଷ୍ନୌର ବୋଲିଂ ନିଷ୍ପତ୍ତି, ବ୍ୟାଟିଂ କରିବ ଚେନ୍ନାଇ
ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୩ର ସୋମବାର ଷଷ୍ଠ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ସନ୍ଧ୍ୟା ୭ଟା ୩୦ରେ ଏହି ମ୍ୟାଚ ଖେଳାଯିବ । ଏହା ଉଭୟ ଦଳର ଦ୍ୱିତୀୟ ମ୍ୟାଚ । ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜ୍ରାଟ ଟାଇଟାନ୍ସଠାରୁ ପରାଜୟର ସମ୍ମୁଖୀନ ହୋଇଥିଲା । ଏଭଳି ପରିସ୍ଥିତିରେ ଚେନ୍ନାଇ ତା’ର ହୋମ୍ ଗ୍ରାଉଣ୍ଡରେ ଲକ୍ଷ୍ନୌଠାରୁ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିବ। ଅନ୍ୟପକ୍ଷରେ ଲକ୍ଷ୍ନୌ ଏକ ଭଲ ଆରମ୍ଭ କରିଛି। କେ.ଏଲ୍. ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ପ୍ରଥମ ମ୍ୟାଚରେ ଦିଲ୍ଲୀକୁ ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହିତ ଲକ୍ଷ୍ନୌର ଆତ୍ମାବିଶ୍ୱାସ ବଢ଼ିବା ସହ ଚେନ୍ନାଇକୁ ହରାଇ କ୍ରମାଗତ ଦ୍ୱିତୀୟ ମ୍ୟାଚ ଜିତିବା ଉଦ୍ଦେଶ୍ୟରେ ପଡ଼ିଆକୁ ଓହ୍ଲାଇବ ବୋଲି ଆଶା କରାଯାଉଛି। ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ।
ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସିଏସକେ ଘରୋଇ ଗ୍ରାଉଣ୍ଡରେ ସିଜନର ପ୍ରଥମ ମ୍ୟାଚ୍ ଖେଳିବ । ୪ବର୍ଷ ପରେ ଘରୋଇ ସମର୍ଥକଙ୍କ ଗହଣରେ ଦଳ ବିଜୟଧାରାକୁ ଫେରିବା ନେଇ ପ୍ରୟାସ କରିବ ଦଳ । ଅନ୍ୟପଟେ ସୁପର ଜାଏଣ୍ଟ୍ସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ ଜୋରଦାର ପ୍ରସ୍ତୁତି କରିଛି ।
ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ସିଜିନର ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା । ମଧ୍ୟକ୍ରମ ବ୍ୟାଟର ଏବଂ ବୋଲରଙ୍କ ବିଫଳତା ଦଳ ପରାଜୟର ମୁଖ୍ୟ କାରଣ ସାଜିଥିଲା । ସେପଟେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ସୁପର ଜାଏଣ୍ଟ୍ସ ବୃହତ ବିଜୟ କରି ସିଜନ ଆରମ୍ଭ କରିଥିଲା । ସୋମବାର ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ । ଟାଇଟନ୍ସ ବିପକ୍ଷ ମ୍ୟାଚ୍ରେ ସୁପରକିଙ୍ଗ୍ସ ୧୭୮ରନ୍ର ଲଢ଼ୁଆ ସ୍କୋର କରିଥିଲା । କିନ୍ତୁ ଇମ୍ପାକ୍ଟ ପ୍ଲେୟାର ନିୟମର ଫାଇଦା ଉଠାଇବାରେ ବିଫଳ ହୋଇଥିଲା । ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଦଳ ପେସ୍ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଖେଳାଇଥିଲା । ସେ ୩.୨ ଓଭରରେ ୫୧ରନ୍ ଖର୍ଚ୍ଚ କରିଥିଲେ । ତେଣୁ ଆଜିର ମ୍ୟାଚରେ ଧୋନିଙ୍କୁ ଉପଯୁକ୍ତ ଇମ୍ପାକ୍ଟ ପ୍ଲେୟାର ଚୟନ କରିବାକୁ ପଡ଼ିବ । ଯୁବ ବ୍ୟାଟର ଋତୁରାଜ ଗାଏକୱାଡଙ୍କୁ ଛାଡ଼ି ଅନ୍ୟ ସମସ୍ତ ବ୍ୟାଟର ନିରାଶ କରିଥିଲେ । ଋତୁରାଜ ୫୦ବଲ୍ରୁ ୯୨ ରନ୍ ସଂଗ୍ରହ କରିଥିଲେ । ବିଜୟଧାରାକୁ ଫେରିବାକୁ ହେଲେ ମଧ୍ୟକ୍ରମ ବ୍ୟାଟରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। କ୍ୟାପିଟାଲ୍ସକୁ ହରାଇବା ପରେ କେ.ଏଲ୍ ରାହୁଲଙ୍କ ସୁପର ଜାଏଣ୍ଟ୍ସର ମନୋବଳ ଦ୍ୱିଗୁଣ ରହିଛି । ଆଜି ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା କମ୍ ରହିଛି । କ୍ୟାପିଟାଲ୍ସ ବିପକ୍ଷରେ ଦଳର ଇମ୍ପାକ୍ଟ ପ୍ଲେୟାର ରଣନୀତି ବେଶ୍ ସଫଳ ହୋଇଥିଲା । ଆୟୁଷ ବାଦୋନୀଙ୍କ ସ୍ଥାନରେ ବୋଲିଂ କରିବାକୁ ଆସି କ୍ରିଷ୍ଣପ୍ପା ଗୋଥମ ୪ ଓଭରରେ ମାତ୍ର ୨୩ରନ୍ ବ୍ୟୟ କରିଥିଲେ । ଫଳରେ ଦଳ ବଡ଼ ବିଜୟ କରିଥିଲା ।
