ଆଇପିଏଲ ୨୦୨୩ : ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଦିଲ୍ଲୀ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ
ଲକ୍ଷ୍ନୌ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)-୨୦୨୩ର ତୃତୀୟ ମ୍ୟାଚରେ ଶନିବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଖେଳାଳି ଦମଦାର ପ୍ରଦର୍ଶନ କରିଛନ୍ତି । କାଇଲ ମେୟର୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ବଳରେ ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ରେ ୧୯୩ ରନ ସଂଗ୍ରହ କରିଛି। ଫଳରେ ଦିଲ୍ଲୀ ଆଗରେ ୧୯୪ ରନର ବିଜୟ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ ।
ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୧୯୩ ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ଅଧିନାୟକ ଲୋକେସ ରାହୁଲ ମାତ୍ର ୮ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ କାଇଲ୍ ମାୟର୍ସ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳି ଦଳର ମୋର୍ଚ୍ଚା ସମ୍ଭାଳିଥିଲେ। ମେୟର୍ସଙ୍କ ବିସ୍ଫୋରକ ଇନିଂସ ଦିଲ୍ଲୀର ସବୁ ରଣକୌଶଳକୁ ଓଲଟପାଲଟ କରିଦେଇଥିଲା । ସେ ମାତ୍ର ୩୮ଟି ବଲରେ ୭ଟି ଛକା ଓ ୨ଟି ଚୌକା ସହ ୭୩ ରନ କରିଥିଲେ । ସେହିଭଳି ଦୀପକ ହୁଡ୍ଡା ୧୭ରନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ୧୨ରନ କରି ପାଭିଲିୟନ ଫେରିଥିଲେ। ନିକୋଲାସ୍ ପୁରନ ୨୧ ବଲରୁ ୩୬ ରନ୍ର ଉପଯୋଗୀ ଇନିଂସ ଖେଳିଛନ୍ତି। ଆୟୁସ ବାଦୋନୀ ୧୮ ରନ୍ କରି ଆଉଟ ହୋଇଛନ୍ତି । କୃଣାଲ ପାଣ୍ଡ୍ୟା ୧୫ ରନ କରି ଅପରାଜିତ ଥିବା ବେଳେ କ୍ରିଷ୍ଣାପ୍ପା ଗୌତମ ୬ ରନ୍ କରି ଅପରାଜିତ ଅଛନ୍ତି । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଓ ଚେତନ ସକାରିଆ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
