ସେଣ୍ଟ ଲରେନ୍ସ ନଦୀରୁ ୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର, ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ
ଟରୋଣ୍ଟୋ: କାନାଡା-ଆମେରିକା ସୀମା ନିକଟସ୍ଥ ଏକ ନଦୀରୁ ୮ ପ୍ରବାସୀଙ୍କ ମୃତଦେହ ଉଦ୍ଧାର । ମୃତକଙ୍କ ମଧ୍ୟରେ ଏକ ଭାରତୀୟ ପରିବାର ଥିବା ଜଣାପଡିଛି । ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବାବେଳେ ସେଣ୍ଟ ଲରେନ୍ସ ନଦୀରେ ବୁଡ଼ି ଏମାନଙ୍କ ମୃତ୍ୟୁ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଅଧିକାରୀମାନେ ପୋଷ୍ଟମର୍ଟମ ଏବଂ ଟକ୍ସିକୋଲୋଜି ରିପୋର୍ଟକୁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ।
କାନାଡାର ସମ୍ବାଦ ସଂସ୍ଥା ‘ସିବିସି’ ଏବଂ ‘ସିଟିଭି’ ମୁତାବକ ଗୁରୁବାର ସକାଳେ କାନାଡାର ତଟରକ୍ଷୀ ବାହିନୀ ସହାୟତାରେ ବିମାନ ଦ୍ବାରା ତଲାସି ଅଭିଯାନ ବେଳେ କ୍ୟୁବେକ୍ ଅଞ୍ଚଳରେ ଏକ ଓଲଟି ପଡିଥିବା ଡ଼ଙ୍ଗା ନିକଟରେ ମୃତଦେହ ଉଦ୍ଧାର କରାଯାଇଥିଲା ।
ଏକ ସାମ୍ବାଦିକ ସମ୍ମିଳନୀରେ ଆକ୍ୱେସାନେ ମୋହାକ୍ ପୋଲିସ ଡେପୁଟି ଚିଫ୍ ଲି-ଆନ୍ ଓ’ବ୍ରାଇନ୍ କହିଛନ୍ତି ଯେ ଏହି ୮ ଜଣ ବ୍ୟକ୍ତି ଦୁଇଟି ପରିବାରର ବୋଲି ଜଣାପଡିଛି। ଗୋଟିଏ ପରିବାର ରୋମାନିଆର ଏବଂ ଅନ୍ୟଟି ଭାରତର। ଏମାନେ କାନାଡାରୁ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।’ ବେଆଇନ ଭାବେ ଆମେରିକାରେ ପ୍ରବେଶ କରିବାକୁ ଚେଷ୍ଟା କରିବା ପରେ ଦୁଇ ଶିଶୁଙ୍କ ସମେତ ଆଠ ଜଣଙ୍କର କାନାଡା-ଆମେରିକା ସୀମା ନିକଟରେ ଥିବା ଏକ ଗଭୀର ଜଳାଶୟ ମୃତଦେହ ମିଳିଥିବା ପୋଲିସ କହିଛି।
