ଆଜି ଠାରୁ ଆଇପିଏଲ-୨୦୨୩, ଉଦଘାଟନୀ ସମାରୋହରେ କମ୍ପିବ ଷ୍ଟାଡିୟମ
ମୁମ୍ବାଇ : ପଡିଆ ପ୍ରସ୍ତୁତ, ଟିମ ବି ପ୍ରସ୍ତୁତ । ଆଉ କେଇ ଘଣ୍ଟାର ଅପେକ୍ଷା । ଆଜିଠୁ ଆରମ୍ଭ ହେଉଛି ଫଟାଫଟ କ୍ରିକେଟର ମହାସମର । ଛକା ଚୌକା ସାଙ୍ଗକୁ ଦେଖିବାକୁ ମିଳିବ କ୍ରିକେଟର ଭରପୂର ଏଣ୍ଟରଟେନମେଣ୍ଟ ଆଇପିଏଲ-୨୦୨୩ ସଂସ୍କରଣ। ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଏବଂ ଗୁଜୁରାଟ ଟାଇଟନ୍ସ । ତେବେ ଏହାପୂର୍ବରୁ ଉଦଘାଟନୀ ସମାରୋହରେ କମ୍ପିବ ସାରା ଷ୍ଟାଡିୟମ । ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ମିନିଟ ସମୟରେ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଉଦଘାଟନୀ ସମାରୋହ ସନ୍ଧ୍ୟା ୬ଟାରେ ଆରମ୍ଭ ହେବ । ତେବେ ଏହାକୁ ଷ୍ଟାର ସ୍ପୋର୍ଟରେ ସିଧା ପ୍ରସାରଣ କରାଯିବ ଏବଂ ମୋବାଇଲ ଜରିଆରେ ଜିଓ ସିନେମା ଆପ୍ ଏବଂ ୱେସାଇଟରେ ଅନଲାଇନ ଲାଇଭ ମଧ୍ୟ ଦେଖିପାରିବେ ଦର୍ଶକ ।
ଉଦଘାଟନୀ ସମାରୋହରେ ସୁପରହିଟ ଗୀତ ସାଙ୍ଗକୁ ଦମଦାର ଡାନ୍ସରେ ଝୁମିବ ସାରା ଭାରତ । କାରଣ ଏହି ସମାରୋହରେ ଯୋଗ ଦେବେ ଭାରତର ପପୁଲାର ସିଙ୍ଗର ଅରିଜିତ ସିଂହ । ନିଜ ଗୀତ ମାଧ୍ୟରେ ଆଜିର ଯୁବବର୍ଗଙ୍କ ଖୁବ ପସନ୍ଦ ପାଲଟିଛନ୍ତି । ଅରିଜିତ । ତାଙ୍କ ସହିତ ସମାରୋହରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ମଧ୍ୟ ଯୋଗ ଦେବେ । ଅନେକ ଲୋକଙ୍କ ପ୍ରିୟ ହିରୋଇନ ତମନ୍ନା ଏହି ସମାରୋହରେ ଗ୍ଲାମରର ତଡକା ଲଗାଇବେ । ଏହି ଦୁଇ ସୁପରଷ୍ଟାରଙ୍କ ଉପସ୍ଥିତିକୁ ନେଇ ଫ୍ୟାନ୍ସମାନଙ୍କୁ ନିଶ୍ଚିତ କରିଛି ଆଇପିଏଲ ।
ପ୍ରଥମ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସର ଲଢ଼େଇ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ସହ ହେବ। ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ଗୁଜରାଟ ଗତବର୍ଷ ଆଇପିଏଲରେ ଡେବ୍ୟୁ କରିବା ସହ ଚାମ୍ପିୟନ ହୋଇଥିଲା। ଚେନ୍ନାଇ ଗତ ସଂସ୍କରଣରେ ଗୁଜରାଟକୁ ଭେଟିଥିଲେ ମଧ୍ୟ ଦଳକୁ ହାରିବାକୁ ପଡ଼ିଥିଲା। ତେଣୁ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଗୁଜରାଟ ଠାରୁ ଚେନ୍ନାଇ ଏଥର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ୨୦୧୯ର ଆଇପିଏଲ ପରମ୍ପରା ପୁଣି ୨୦୨୩ରେ ଫେରିଛି। ୨୦୧୯ ପରେ ଆଇପିଏଲରେ ପ୍ରଚଳିତ ଥିବା ହୋମ ଓ ଏୱେ ସୂଚୀ ୨୦୨୩ରେ ପୁଣି ଲାଗୁ ହେବ। ଏହାର ଅର୍ଥ ସବୁ ଦଳ ନିଜ ନିଜ ହୋମଗ୍ରାଉଣ୍ଡ ସହ ଅନ୍ୟ ସ୍ଥାନରେ ମଧ୍ୟ ମ୍ୟାଚ୍ ଖେଳିବେ। ୨୦୨୦ରେ ବିସିସିଆଇ ଓ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମହାମାରୀ କରୋନା ଯୋଗୁ ଆଇପିଏଲର ଭେନ୍ୟୁ ଚିହ୍ନଟ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ଆଇପିଏଲ ୨୦୨୦ ସଂସ୍କରଣକୁ ଭାରତକୁ ୟୁଏଇକୁ ସ୍ଥାନାନ୍ତର କରାଯାଇଥିଲା। ୨୦୨୧ ଆଇପିଏଲ ଭାରତରେ ଖେଳାଯିବାକୁ ସ୍ଥିର ହୋଇଥିଲା। ତେବେ ଟୁର୍ଣ୍ଣାମେଣ୍ଟର ପ୍ରଥମାର୍ଦ୍ଧ ପରେ କରୋନା ଯୋଗୁ ଏହାକୁ ଅଧାର ବନ୍ଦ କରାଯାଇଥିଲା। ଏହାପରେ ଦ୍ୱିତୀୟ ଭାଗ ୟୁଏଇରେ ଖେଳାଯାଇଥିଲା। ଗତବର୍ଷ ମହାମାରୀ ଯୋଗୁ କଟକଣା ମଧ୍ୟରେ ଭାରତରେ ଆଇପିଏଲ ଖେଳା ଯାଇଥିଲା। କେବଳ ୮ଟି ଭେନ୍ୟୁ- ମୁମ୍ବାଇ, ନଭି ମୁମ୍ବାଇ, କୋଲକାତା, ପୁଣେ ଓ ଅହମଦାବାଦରେ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହୋଇଥିଲା।
ହେଲେ ୨୦୨୩ରେ ସ୍ଥିତି ବଦଳିଛି। ପ୍ରତି ଟିମ ସେମାନଙ୍କ ହୋମ ଗ୍ରାଉଣ୍ଡରେ ମ୍ୟାଚ୍ ଖେଳିବାର ସୁଯୋଗ ପାଇବେ। ଇଡେନ ଗାର୍ଡେନସ(କୋଲକାତା ନାଇଟ ରାଇଡର୍ସ), ଏମ ଚିଦାମ୍ବରମ ଷ୍ଟାଡିମ(ଚେନ୍ନାଇ ସୁପର କିଙ୍ଗସ), ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ ଷ୍ଟାଡିୟମ (ଲକ୍ଷ୍ନୌ ସୁପର ଜିଆଣ୍ଟସ), ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମ(ସନରାଇଜର୍ସ ହାଇଦ୍ରାବାଦ), ଅରୁଣ ଜେଟଲୀ ଷ୍ଟାଡିୟମ(ଦିଲ୍ଲୀ କ୍ୟାପିଟାଲ୍ସ), ୱାଙ୍ଖେଡେ ଷ୍ଟାଡିୟମ (ମୁମ୍ବାଇ ଇଣ୍ଡିଆନ୍ସ), ନରେନ୍ଦ୍ର ମୋଦି ଷ୍ଟାଡିୟମ (ଗୁଜରାଟ ଟାଇଟନ୍ସ) ଓ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ (ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର) ହେଉଛି ୮ଟି ଦଳର ହୋମ ଗ୍ରାଉଣ୍ତ। ରାଜସ୍ଥାନ ରୟାଲ୍ସର ଦୁଇଟି ଘରୋଇ ଭେନ୍ୟୁ ରହିଛି। ଗୋଟିଏ ହେଲା ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ ଓ ଗୌହାଟୀର ବର୍ସାପରା ଷ୍ଟାଡିମ। ଜୟପୁରରେ ୫ଟି ଓ ଗୌହାଟୀରେ ୨ଟି ମ୍ୟାଚ୍ ଖେଳାଯିବ। ପଞ୍ଜାବ କିଙ୍ଗସର ଦୁଇଟି ହୋମ ଗ୍ରାଉଣ୍ଡ ହେଲା ମୋହାଲିରେ ଥିବା ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମ ଓ ଧର୍ମଶାଲାରେ ଥିବା ହିମାଚଳପ୍ରଦେଶ ଆସୋସିଏସନ ଷ୍ଟାଡିୟମ। ମୋହାଲିରେ ୫ଟି ଓ ଧର୍ମଶାଲାରେ ୨ଟି ଆଇପିଏଲ ମ୍ୟାଚ୍ ପଞ୍ଜାବ ଖେଳିବ।
