ମହିଳା ସଶକ୍ତିକରଣ ଓ ସୁରକ୍ଷା ବାର୍ତ୍ତା ନେଇ ସାଇକେଲ ଆରୋହୀଙ୍କ ଭାରତ ଯାତ୍ରା
ବାଲେଶ୍ୱର : ମଧ୍ୟପ୍ରଦେଶ ରାଜ୍ୟ ରାଜଗଡ଼ ଜିଲା ବାସିନ୍ଦା ସୁଶ୍ରୀ ମାଲଭିୟ ମହିଳା ସଶକ୍ତିକରଣ ଓ ସୁରକ୍ଷା ବାର୍ତ୍ତା ନେଇ ଶୁକ୍ରବାର ରାତିରେ ବାଲେଶ୍ୱର ପହଞ୍ଚିଛନ୍ତି । ବାଲେଶ୍ୱର ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ନିର୍ଦ୍ଦେଶରେ ଜିଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା ତାଙ୍କୁ ସ୍ୱାଗତ ଜଣାଇ ଜିଲାପାଳଙ୍କୁ କାର୍ଯ୍ୟାଳୟରେ ପହଞ୍ଚାଇଥିଲେ । ଶନିବାର ଜିଲାପାଳ ଶ୍ରୀ ଶିନ୍ଦେ ଓ ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ତାଙ୍କ ଯାତ୍ରା କାଳର ଉପଲବ୍ôଧ ବାବଦରେ ଆଲୋଚନା କରିବା ସହ ଯାତ୍ରାର ସଫଳତା କାମନା କରିଥିଲେ ।
ମହିଳା ସଶକ୍ତିକରଣ, ସୁରକ୍ଷା ଓ ପର୍ଯ୍ୟଟନ କ୍ଷେତ୍ରରେ ମହିଳାମାନଙ୍କର ଅଧିକ ସମ୍ପୃକ୍ତି ଉପରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଏକକ ମହିଳା ସାଇକେଲ ଆରୋହୀ ସୁଶ୍ରୀ ଆଶା ମାଲଭିୟ ସମ୍ପ୍ରତି ସାଇକେଲ ଯୋଗେ ସର୍ବଭାରତ ଯାତ୍ରାରେ ବାହାରିଛନ୍ତି । ମଧ୍ୟପ୍ରଦେଶ ରାଜ୍ୟ ରାଜଗଡ଼ ଜିଲା ବାସିନ୍ଦା ସୁଶ୍ରୀ ମାଲଭିୟ ମଧ୍ୟପ୍ରଦେଶ ପର୍ଯ୍ୟଟନ ବୋର୍ଡ଼ ପ୍ରୋତ୍ସାହନରେ ମଧ୍ୟପ୍ରଦେଶ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଗତ ୨୦୨୨ ନଭେମ୍ବର ୧ ତାରିଖରେ ରାଜଧାନୀ ଭୋପାଳରୁ ଏହି ଯାତ୍ରା ଆରମ୍ଭ କରି ଅଦ୍ୟାବଧି ୧୦ଟି ରାଜ୍ୟର ୧୦,୪୧୦ କିଲୋମିଟର ଦୂରତା ଅତିକ୍ରମ କରି ଆସି ଓଡ଼ିଶାରେ ପହଞ୍ଚିଛନ୍ତି । ଓଡ଼ିଶାର ଯାଜପୁର, ଭଦ୍ରକ ଜିଲା ଦେଇ ସେ ଗତ ଶୁକ୍ରବାର ରାତିରେ ବାଲେଶ୍ୱର ଠାରେ ପହଞ୍ଚିଥିଲେ ।
ପ୍ରକାଶ ଥାଉକି ସୁଶ୍ରୀ ମାଲଭିୟ ମୋଟ୍ ୨୮ଟି ରାଜ୍ୟର ପ୍ରାୟ ୨୫,୦୦୦ କିଲୋ ମିଟର ଦୂରତା ଅତିକ୍ରମ କରି ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦିଲ୍ଲୀ ଠାରେ ତାଙ୍କ ଯାତ୍ରା ସମାପନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ତଦନୁଯାୟୀ ଯାତ୍ରା ଚାଲୁ ରଖିଛନ୍ତି । ସେ ବ୍ୟକ୍ତିଗତ ଭାବେ ଜଣେ କ୍ରୀଡ଼ାବିତ୍ ଏବଂ ପର୍ବତାରୋହୀ । ତାଙ୍କର ଯାତ୍ରା କାଳରେ ଅଦ୍ୟାବଧି ସେ ୭ଜଣ ମୁଖ୍ୟମନ୍ତ୍ରୀ, ୮ଜଣ ରାଜ୍ୟପାଳ, ୪ଜଣ ରାଜ୍ୟ ପୋଲିସ ମୁଖ୍ୟ, ୧୨୮ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ, ୧୨୮ଜଣ ଭାରତୀୟ ପୋଲିସ ସେବା ଅଧିକାରୀଙ୍କୁ ଭେଟିବା ସହିତ ମହିଳା ସଶକ୍ତିକରଣ ଓ ସୁରକ୍ଷା ଉପରେ ୯୦ଟି କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ତାଙ୍କର ବାଲେଶ୍ୱର ଜିଲା ସାଇକେଲ ଯାତ୍ରା ସମୟରେ ଜିଲା ପ୍ରଶାସନ ତରଫରୁ ସୁରକ୍ଷା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯାଇଥିଲା ।
