ଇଷ୍ଟକୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା
ବାଲେଶ୍ୱର : ପଶ୍ଚିମବଙ୍ଗର ଗେଓଖାଲି ଠାରୁ ଭଦ୍ରକର ଚାରବାଟିଆ ଓ ଧାମରା ପର୍ଯ୍ୟନ୍ତ ଲମ୍ବିଥିବା ଇଷ୍ଟକୋଷ୍ଟ କେନାଲର ପୁନଃରୁଦ୍ଧା ପାଇଁ ଇଷ୍ଟକୋଷ୍ଟ କେନାଲ ପୁନଃରୁଦ୍ଧାର ମଞ୍ଚ ପକ୍ଷରୁ ଦାବି କରାଯାଇଛି । ଏହି ପରିପ୍ରେକ୍ଷୀରେ ମଞ୍ଚର କର୍ମକର୍ତ୍ତାମାନେ ବାଲେଶ୍ୱର ଏମ୍ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ଦିଲ୍ଲୀରେ ପହଞ୍ଚି କେନ୍ଦ୍ର ଜାହାଜ, ବନ୍ଦର, ପରିବହନ, ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କ ସହ ପୁନଃରୁଦ୍ଧାର ସମ୍ପର୍କରେ ଆଲୋଚନା କରିଥିଲେ ।
ଜାତୀୟ ଜଳପଥ ନଂ. ୫ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଯାହା ତାଳଚେର ଠାରୁ ଧାମରା ପର୍ଯ୍ୟନ୍ତ ପରିବ୍ୟାପ୍ତ, ତାହାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶବିଶେଷ ଯାହା ପଶ୍ଚିମବଙ୍ଗର ଗେଓଖାଲି ଠାରୁ ଭଦ୍ରକର ଚାରବାଟିଆ ଓ ଧାମରା ନିମନ୍ତେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ପାଇଁ ବିଶେଷ ପ୍ରାବଧାନ ହୋଇପାରି ନାହିଁ ।
ଏମ୍ପି ଶ୍ରୀ ଷଡ଼ଙ୍ଗୀ ଏହାର ଟେକ୍ନୋଫିଜିବିଲିଟି ରିପୋର୍ଟ ନିତ୍ୟାନ୍ତ ଆବଶ୍ୟକ ଥିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱ୍ୱାଲଙ୍କୁ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ସୋନୋୱାଲ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ଏଥି ନିମନ୍ତେ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଲୋଚନା ସମୟରେ ମଞ୍ଚର ଆବାହକ ଶୁଭଙ୍କର ମହାପାତ୍ର, ସଂଯୋଜକ ବିଜୟଦାସ ଅଧିକାରୀ ଓ ତ୍ରିଭୁବନ ଦାସ ଉପସ୍ଥିତ ଥିଲେ । ସୂଚନା ଯେ, ଇଷ୍ଟକୋଷ୍ଟ କେନାଲର ପୁନଃରୁଦ୍ଧାର ହେଲେ ପଶ୍ଚିମବଙ୍ଗର ତମୁଲୁକ ଓ ମେଦିନପୁର ଜିଲା ଏବଂ ଓଡ଼ିଶାର ବାଲେଶ୍ୱର ଓ ଭଦ୍ରକ ଜିଲାରେ ବାଣିଜ୍ୟିକ ବିକାଶ ସଙ୍ଗେ ବହୁବିଧ ଲାଭ ହୋଇପାରିବ । ପୂର୍ବରୁ ଇଷ୍ଟକୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ପଶ୍ଚିମବଙ୍ଗ ଏମ୍ପି ଦିଲ୍ଲୀପ ଘୋଷ, ଶିଶିର ଅଧିକାରୀ, ଦିବ୍ୟେନ୍ଦୁ ଅଧିକାରୀ ଓ ଭଦ୍ରକ ଏମ୍ପି ମଞ୍ଜୁଲତା ମଣ୍ଡଳ ମଧ୍ୟ ଦାବି ଜଣାଇଥିବାର ଜଣାପଡ଼ିଛି ।
