ଓଡ଼ିଶା ଉଠା ଜଳସେଚନ ନିଗମକୁ ‘ନ୍ୟାସନାଲ୍ ୱାଟର ଡାଇଜେଷ୍ଟ୍’ ଓ ରାଜ୍ୟ ଜଳ ସମ୍ପଦ ବିଭାଗକୁ ‘ଇନଫ୍ରା ପାଇନର ପ୍ରୋଜେକ୍ଟ’ ପୁରସ୍କାର
ଭୁବନେଶ୍ୱର : ଓଡ଼ିଶା ଉଠା ଜଳସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ଶ୍ରେଣୀରେ ସମ୍ମାନସ୍ପଦ ‘ନ୍ୟାସନାଲ୍ ୱାଟର ଡାଇଜେଷ୍ଟ୍’ ଓ ରାଜ୍ୟ ଜଳ ସମ୍ପଦ ବିଭାଗକୁ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଉତ୍ତମ ଭିତ୍ତିଭୂମି ନିର୍ମାଣ ଓ ଜଳ ପରିଚାଳନା ପାଇଁ ବେଷ୍ଟ୍ ଇନଫ୍ରା ପାଇନର ପ୍ରୋଜେକ୍ଟ ପୁରସ୍କାର ମିଳିଛି ।
କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ରାଜ୍ୟକୁ ଏହି ଦୁଇ ପୁରସ୍କାର ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରାଯାଇଛି । ଟୁଇଟ୍ରେ ଲେଖା ରହିଛି ଯେ, ଓଡ଼ିଶା ଉଠା ଜଳ ସେଚନ ନିଗମକୁ ଶ୍ରେଷ୍ଠ ଗୋଷ୍ଠୀ ପ୍ରକଳ୍ପ ପୁରସ୍କାର ଓ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ପାଇଁ ବେଷ୍ଟ ଇନଫ୍ରା ପାଇନର ପ୍ରେଜେକ୍ଟ ପୁରସ୍କାର ପାଇଁ ଜଳସମ୍ପଦ ବିଭାଗକୁ ଶୁଭେଚ୍ଛା । ଜଳ ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ହେତୁ ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ମିଳିଛି । ସୂଚନା ଯୋଗ୍ୟ, କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱାତ୍ ଜଳସମ୍ପଦ ରାଜ୍ୟକୁ ଏହି ପୁରସ୍କାର ପ୍ରଦାନ କରିଥିଲେ ।

ସୂଚନା ଯେ, ରାଜ୍ୟ ଜଳ ସମ୍ପଦ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୯୯-୨୦୦୦ ମସିହାରେ ରାଜ୍ୟରେ ୩୫.୯୧ ହେକ୍ଟରର ଜମିରେ ଜଳସେଚନ ହୋଇପାରୁନଥିଲା । ଖରିଫ୍ ଫସଲ ପାଇଁ ୨୪.୮୭ ଲକ୍ଷ ହେକ୍ଟର ଓ ରବି ପାଇଁ ୧୧.୦୪ ଲକ୍ଷ ହେକ୍ଟର ଜମିରେ ଜଳସେଚନ ହେଉଥିଲା । ମାତ୍ର ୨୦୨୧-୨୨ ସୁଦ୍ଧା ରାଜ୍ୟ ଜଳସେଚନ କ୍ଷମତା ବଢ଼଼ିଛି ୬୬.୮୮ ଲକ୍ଷ ହେକ୍ଟରରେ ପହଞ୍ଚିଛି । ତନ୍ମଧ୍ୟରୁ ଖରିଫ୍ ଋତୁରେ ୪୬.୨୭ ଲକ୍ଷ ହେକ୍ଟର ଜମି ଓ ରବି ଋତୁରେ ୨୦.୬୧ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ହୋଇପାରିଛି । ସେହିଭଳି କଳାହାଣ୍ଡିରେ ଥିବା ପ୍ରମୁଖ ଓ ମଧ୍ୟମ ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ଆଦିବାସୀ ଚାଷୀଙ୍କ ପାଇଁ ବରଦାନ ପାଲଟିଛି ।
