ଆଜି ବିଧାନସଭାରେ ଡ୍ରାଇଭରଙ୍କ ଆନ୍ଦୋଳନ ନେଇ ବିବୃତି ରଖିବେ ମନ୍ତ୍ରୀ
ଭୁବନେଶ୍ୱର : ବିଧାନସଭାରେ ଡ୍ରାଇଭରଙ୍କ ଆନ୍ଦୋଳନକୁ ନେଇ ଗତ ଗୁରୁବାର ଶୂନ୍ୟକାଳରେ ବିରୋଧୀ ଗୃହକୁ ଅଚଳ କରିଥିଲେ। ବାରମ୍ବାର ମୁଲତବୀ ହେବା ଫଳରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ। ସର୍ବଦଳୀୟ ବୈଠକର ନିଷ୍ପତି ଅନୁସାରେ ଆଜି ପରିବହନ ମନ୍ତ୍ରୀ ଗୃହରେ ଡ୍ରାଇଭରଙ୍କ ଆନ୍ଦୋଳନ ନେଇ ବିବୃତି ରଖିବେ ।
ବିଧାନସଭାର ପ୍ରଶ୍ନକାଳ ଗୁରୁବାର ସ୍ୱାଭାବିକ ଚାଲିଥିଲେ ହେଁ ଶୂନ୍ୟକାଳ କିନ୍ତୁ ଅଶାନ୍ତ ହୋଇପଡ଼ିଥିଲା। ବିରୋଧୀଙ୍କ ହୋହଲ୍ଲା, ହଟ୍ଟଗୋଳ ଯୋଗୁଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ବିରୋଧୀ ଦଳର ସଭ୍ୟମାନେ ଚାଳକଙ୍କ ସମସ୍ୟା ଉଠାଇଥିଲେ। ସରକାରଙ୍କଠାରୁ ଉତ୍ତର ଦାବି କରିଥିଲେ। ହଟ୍ଟଗୋଳ ଅବ୍ୟାହତ ରହିବାରୁ ବାଚସ୍ପତି ବିକ୍ରମକେଶରୀ ଆରୁଖ ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ। ପ୍ରବଳ ହଟ୍ଟଗୋଳରୁ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୪୨ରୁ ଗୃହକୁ ୧୦ ମିନିଟ ପାଇଁ ମୁଲତବୀ ରଖିଥିଲେ। ଗୃହକାର୍ଯ୍ୟ ପୁନର୍ବାର ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଥିଲେ, ଚାଳକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଛନ୍ତି। ସେମାନଙ୍କୁ ନ୍ୟାୟ ଦେବା ଦରକାର। ବିଭାଗୀୟ ମନ୍ତ୍ରୀଙ୍କୁ ଡାକି ଏ ଦିଗରେ ସମାଧାନର ବାଟ ବାହାର କରିବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତ ଗୃହରେ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିବା ସହିତ ଗୃହକୁ ମୁଲତବୀ ରଖିଥିଲେ। ସର୍ବଦଳୀୟ ବୈଠକ ପରେ ବାଚସ୍ପତି କହିଥିଲେ ଯେ, ଗୃହର ସଭ୍ୟମାନେ ଚାଳକ ସଂଘ ଆନ୍ଦୋଳନ ନେଇ ଯେଉଁ ଉଦବେଗ ପ୍ରକାଶ କରୁଛନ୍ତି, ତାହା ଦୃଷ୍ଟିକୁ ଆସିଛି। ଚାଳକ ମହାସଂଘ ସହିତ ଆଲୋଚନା କରି ଏ ସଂକ୍ରାନ୍ତରେ ଶୁକ୍ରବାର ପରିବହନ ମନ୍ତ୍ରୀ ଗୃହରେ ବିବୃତି ରଖିବେ ବୋଲି ବାଚସ୍ପତି ରୁଲିଂ ଦେଇଥିଲେ। ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ।
ସେହିପରି ବିଧାନସଭା ପ୍ରଶ୍ନ କାଳରେ ଆଜି ଶକ୍ତି, ଶିଳ୍ପ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କାରଣ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ, ବିଜ୍ଞାନ ଓ କାରିଗରୀ, ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଆଲୋଚନା ରହିଛି । ଅପରାହ୍ନରେ ଜଳ ସଂପଦ ବିଭାଗର ଖର୍ଚ୍ଚଦାବି ଆଲୋଚନା ରହିଛି।
