ମହାନଦୀ ଜଳ ବିବାଦ, ଟ୍ରିବୁନାଲ ଗଠନର ୫ ବର୍ଷ ପରେ ବି ଫଳ ଶୂନ
ଭୁବନେଶ୍ୱର : ଓଡ଼ିଶାର ହୃଦୟରେଖା କୁହାଯାଉଥିବା ମହାନଦୀ ଏଵେ ଦିନକୁ ଦିନ ମହା ସଙ୍କଟ ଦେଇ ଗତି କରୁଛି । ଗୋଟିଏ ପଟେ ମହାନଦୀର ଜଳ ସ୍ରୋତ ଆସ୍ତେ ଆସ୍ତେ କମି କମି ଯାଉଥିବା ବେଳେ ଅନ୍ୟପଟେ ଛତିଶଗଡ଼ ସରକାର ବ୍ୟାରେଜ ଉପରେ ବ୍ୟାରେଜ ନିର୍ମାଣ କରି ଜଳ ସଂରକ୍ଷଣ କରୁଛନ୍ତି । ଅନ୍ୟପଟେ ଟ୍ରିବୁନାଲ ଗଠନର ପାଞ୍ଚ ବର୍ଷ ପରେ ମଧ୍ୟ ନୀରବଦ୍ରଷ୍ଟା ସାଜିଛନ୍ତି ରାଜ୍ୟ ସରକାର । ଆଜି ଛତିଶଗଡ଼ ଓ ରାଜ୍ୟ ସରକାର ମହାନଦୀ ଜଳ ବିବାଦକୁ ନେଇ ଟ୍ରିବୁନାଲ ଗଠନକୁ ପାଞ୍ଚ ବର୍ଷ ବିତିଥିଲେ ମଧ୍ଯ ଏଯାବତ୍ କୌଣସି ସମାଧାନର ବାଟ ବାହାରି ପାରିନାହିଁ ।
୨୦୧୬ ମସିହାରେ ଉଭୟ ସରକାରଙ୍କ ମଧ୍ୟରେ ମହାନଦୀକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦୁଇ ବର୍ଷ ଉଭୟ ରାଜ୍ୟ ଆପୋଷ ଆଲୋଚନାରେ ସମାଧାନର ବାଟ ଖୋଜିଥିଲେ । ବହୁବାର ଆଲୋଚନା ଫେଲ ମାରିବାରୁ ୧୨ ମାର୍ଚ୍ଚ ୨୦୧୮ ମସିହାରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ଜଳ ମନ୍ତ୍ରଣାଳୟ ପକ୍ଷରୁ ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା, ଯାହାର କାର୍ଯ୍ୟକାଳ ତିନି ବର୍ଷ ରହିଥିଲା । ତିନି ବର୍ଷରେ ସମାଧାନର ରାସ୍ତା ନ ବାହାରିବାରୁ ଏହାକୁ ଆହୁରି ୨ ବର୍ଷକୁ ବୃଦ୍ଧି କରାଯାଇଥିଲା । ଯାହାର ସମୟ ଚଳିତ ମାର୍ଚ୍ଚ ମାସ ୧୧ ତାରିଖ ଅର୍ଥାତ୍ ଆଜି ଶେଷ ହୋଇଛି । ଗୋଟିଏ ପରେ ଗୋଟିଏ ତଥ୍ୟ ନେଣଦେଣରେ ବିତିଛି ସାରିଛ ୫ ବର୍ଷ । ଇତି ମଧ୍ଯରେ ଟ୍ରିବ୍ୟୁନାଲ ସଦସ୍ୟଙ୍କ ସହ ଓଡି଼ଶା ଓ ଛତିଶଗଡ଼ ସରକାରଙ୍କ ଜଳ ସମ୍ପଦ ବିଭାଗର ଉଚ୍ଚ ପଦସ୍ତ ଅଧିକାରୀ ଅନେକ ଥର ବିବାଦୀୟ କ୍ଷେତ୍ର ପରିଦର୍ଶନ କରିସାରିଛନ୍ତି । ଜଳ ବଣ୍ଟନ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଓଡିଶା-ଛତିଶଗଡ଼ ଯେଉଁ ଭଳି ଟଣାଓଟରା ହେଉଛନ୍ତି ତାହାକୁ ଦେଖି ଲାଗୁଛି ନିକଟ ଭବିଷ୍ୟତରେ ଏହି ମାମଲାର ସମାଧାନ ପାଇଁ କାହାରି ଆନ୍ତରିକତା ନାହିଁ । ବର୍ଷା ଦିନେ ବନ୍ୟା ଓ ଖରା ଦିନେ ଜଳ ସଙ୍କଟ ସାଜିଲାଣି ମହାନଦୀର ଭାଗ୍ୟ ଓ ଭବିଷ୍ୟତ। ମହାନଦୀରେ ବିପଦ ଦେଖାଦେଲେ ଛତିଶଗଡ଼କୁ ଦୋଷ ଦେଇ ସମୟ ଟାଳିବାରେ ଲାଗିଛି ରାଜ୍ୟ ଜଳ ସମ୍ପଦ ବିଭାଗ। ଛତିଶଗଡ଼ ସରକାର ବି ଖରା, ବର୍ଷା ଓ ଶୀତ ଋତୁରେ ତଳ ମୁଣ୍ଡକୁ ଜଳ ପ୍ରବାହ ତଥ୍ୟ ମାଗିବାରେ ବ୍ୟସ୍ତ । ଉପରମୁଣ୍ଡରୁ ତଳମୁଣ୍ଡକୁ ଆସୁଥିବା ଜଳର ତଥ୍ୟ ଆଦାନପ୍ରଦାନ ନାମରେ କେବଳ ଚାଲିଛି “ଟାଇମ ପାସ” ର ପର୍ବ । ଟ୍ରାବ୍ୟୁନଲର କଚ୍ଛପ ଗତି ବିଚାର ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଓଡିଶା ଜଳ ସମ୍ପଦ ବିଭାଗ ଯେ, ମହାନଦୀ ବିବାଦକୁ ନେଇ ଆଗ ଭଳି ଚିନ୍ତିତ ତାହା ମନେହେଉନାହିଁ । ଟ୍ରିବ୍ୟୁନାଲ ଗଠନରୁ ପାଞ୍ଚ ବର୍ଷ ବିତିଯାଇଥିଲେ ସୁଦ୍ଧା ସ୍ଥିତି “ଯଥା ପୂର୍ବମ ତଥା ପରମ” ରହିଛି । ଟ୍ରିବ୍ୟୁନାଲ ଦୌଡ଼ି ଦୌଡ଼ି ରାଜକୋଷରୁ ଖର୍ଚ୍ଚ ହେଉଛି ଲକ୍ଷ ଲକ୍ଷ ଟଙ୍କା । ସେପଟେ ବିନା ସୂଚନାରେ ଛତିଶଗଡ଼ ମାତ୍ରାଧିକ ପାଣି ଛାଡି଼ ଗତବର୍ଷ ତଳମୁଣ୍ଡରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିବା ବେଳେ ଗ୍ରୀଷ୍ମ ଋତୁରେ ସମ୍ପୂର୍ଣ୍ଣ ପାଣି ବନ୍ଦ କରି ଜଳସଂକଟ ସୃଷ୍ଟି କରିବାକୁ ଯାଉଛି। ହୀରାକୁଦ ଜଳଭଣ୍ଡାରରେ ଏବେ ଜଳପତ୍ତନ ସ୍ତର ରହିଛି ୬୧୮ ଫୁଟ୍। ଯାହାକି ଆସନ୍ତା ବର୍ଷା ଋତୁ ପର୍ଯ୍ୟନ୍ତ କୃଷି, ବିଦ୍ୟୁତ ଶକ୍ତି ଉତ୍ପାଦନ, ଓ ପାନୀୟ ଜଳର ଚାହିଦାକୁ ପୂରଣ କରିବାରେ ଯଥେଷ୍ଟ ହେବ କି ନାହିଁ ସନ୍ଦେହ । ମହାନଦୀର ଭାଗ୍ୟକୁ ଟ୍ରିବ୍ୟୁନାଲ ହାତରେ ଛାଡି଼ ରାଜ୍ୟ ଜଳସମ୍ପଦ ବିଭାଗ ହାତରେ ହାତ ବାନ୍ଧି ବସିଛି ।
ସମୟ ଥାଉ ଥାଉ ରାଜ୍ୟ ସରକାର ସଚେତନ ନହେଲେ ରାଜ୍ୟବାସୀଙ୍କୁ ବର୍ଷା ଋତୁରେ ବନ୍ୟା ଓ ଗ୍ରୀଷ୍ମ ଋତୁରେ ଘୋର ଜଳ ସଂଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ। ରାଜ୍ୟ ଜଳ ସମ୍ପଦ ବିଭାଗର ଅପାରଗତା ଯୋଗୁଁ ଘୋର ବିବାଦରେ ଛନ୍ଦି ହୋଇଛି ମହାନଦୀ । ଏହାର ଜଳ ସ୍ରୋତ କମିବା ଫଳରେ ଜଳଚରଙ୍କ ପାଇଁ ଏହା ବିପଦ ସୃଷ୍ଟି କରୁଛି । ବିରଳ ପ୍ରଜାତିର ମାଛ ସହ ଏହି ମହାନଦୀ ଉପରେ ନିର୍ଭରଶୀଳ ଧୀବର ସମ୍ପ୍ରଦାୟଙ୍କର ଜୀବନ ଜୀବିକା ମଧ୍ୟ ବାଜିରେ ଲାଗିଛି । ତାସହ ଶିଳ୍ପ କମ୍ପାନୀ ମାନଙ୍କୁ ମଧ୍ୟ ରାଜ୍ୟ ସରକାରଙ୍କ ଜଳ ଆବଣ୍ଟନରେ ଅହେତୁକ ଅନୁକମ୍ପା ଦେଖିବାକୁ ମିଳୁଛି । ତୁରନ୍ତ ବିବାଦର ସମାଧାନ ନହେଲେ ମହାନଦୀର ଭାଗ୍ୟ ଭବିଷ୍ୟତ ଘୋର ଅନ୍ଧାର ଚାଲିଯିବ। ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ଆପୋଷ ବୁଝାମଣା ପର୍ଯ୍ୟନ୍ତ ରୀତିମତ ବୈଠକ ସହ କେନ୍ଦ୍ର ସରକାରଙ୍କର ଦୃଢ଼ ହସ୍ତକ୍ଷେପ ହେଲେ ସମସ୍ୟାର ତୁରନ୍ତ ସମାଧାନ ହୋଇପାରନ୍ତା ଲୋକେ ମତ ଦେଇଛନ୍ତି ।
