ବାଉଁଶମୁଖା ହରିଜନ ସାହିରେ ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ
ବସ୍ତା : ବାଲେଶ୍ଵର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ ସଦାନନ୍ଦପୁର ପଞ୍ଚାୟତର ବାଉଁଶମୁଖା ହରିଜନ ସାହିରେ ଖରାଦିନ ଆରମ୍ଭରୁ ପାନୀୟ ଜଳ ସଙ୍କଟ । ଉକ୍ତ ସାହିରେ ୬୦ ପରିବାରର ୪ ଶହରୁ ଅଧିକ ଲୋକ ବସବାସ କରନ୍ତି। ଏମାନଙ୍କ ପାଇଁ ଗ୍ରାମରେ ଗୋଟିଏ ସୌର ଚାଳିତ ନଳକୂଅ ଓ ଗୋଟିଏ ଢାଙ୍କୁଣି ନଥିବା ପରିତ୍ୟକ୍ତ କୂଅ ରହିଛି । କିନ୍ତୁ ଖରା ଦିନ ଆରମ୍ଭରୁ ଉକ୍ତ ନଳକୂଅ ଅଚଳ ହୋଇପଡିଛି। ବିଭିନ୍ନ କାରଣରୁ ବର୍ଷର ପ୍ରାୟ ୮ ମାସ ସୌର ଚାଳିତ ନଳକୂଅ ବନ୍ଦ ରହେ। ଫଳରେ ଲୋକେ ଖୋଲାମୁହଁ ଥିବା କୂଅ ଉପରେ ନିର୍ଭର କରନ୍ତି । ଏଥିପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଭିଡ ଲାଗି ରହିଥାଏ ।
୨ କୋଟି ଟଙ୍କା ବିନିମୟରେ ଗୋଟିଏ ଓଭରହେଡ ପାଣିଟାଙ୍କି ନିର୍ମାଣ କରାଯାଇଥିଲେ ମଧ୍ୟ ଠିକାଦାରଙ୍କ ଅବହେଳା ଓ ମନମୁଖୀ କାର୍ଯ୍ୟ ଯୋଗୁଁ ଦୁଇ ବର୍ଷ ହେବ ଅଧାପନ୍ତରିଆ ହୋଇ ପଡି ରହିଛି । ସପ୍ତାହେ ଭିତରେ ଯଦି ପାଣି ସମସ୍ୟା ଦୁର କରାନଯାଏ ତାହାହେଲେ ଆନେ୍ଦାଳନ ଜୋରଦାର ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
