ଖରା ଦିନିଆ ଜଳ ସମସ୍ୟା ସମାଧାନ! ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ହେବ ଜଳ ଯୋଗାଣ
ଭୁବନେଶ୍ୱର : ଖରା ଦିନିଆ ଜଳ ସମସ୍ୟା ସମାଧାନ ନିମନ୍ତେ ସରକାରଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଉଭୟ ଗ୍ରାମ୍ୟ ଓ ସହରାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସୁଗମ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରାମାଞ୍ଚଳରେ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ନଳକୂପ ମରାମତି କରିବା, ମରାମତି ଯନ୍ତ୍ର କ୍ରୟ ନିମନ୍ତେ କମିଟି ଗଠନ, ଜଳ ଯୋଗାଣ ଉତ୍ସ ଯାଞ୍ଚ, ଭ୍ରାମ୍ୟମାଣ ଟିମ୍ ମାଧ୍ୟମରେ ଜଳ ଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଏବଂ ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କରମାଧ୍ୟମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସେହିଭଳି ସମସ୍ତ ସ୍କୁଲ ଓ ଅଙ୍ଗନାବାଡ଼ି କେନ୍ଦ୍ରରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା, ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲିବା, ସକାଳ ୮ ଘଟିକା ଠାରୁ ସନ୍ଧ୍ୟା ୮ ଘଟିକା ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ଲକରେ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳ ସଂକ୍ରାନ୍ତୀୟ ସମସ୍ତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିଭଳି ସହରାଞ୍ଚଳରେ ମଧ୍ୟ ଖରାଦିନିଆ ପାନୀୟ ଜଳଯୋଗଣକୁ ସୁନିଶ୍ଚିତ କରିବା ପାଇଁ ପକ୍ରିୟା ଆରମ୍ଭ ହୋଇଛି । ସମସ୍ତ ୧୧୫ଟି ସହରାଞ୍ଚଳରେ ପାନୀୟଜଳ ବ୍ୟବସ୍ଥକୁ ସୁଦୃଢ଼ କରାଯିବ । ଜଳକ୍ଲିଷ୍ଟ ଅଞ୍ଚଳରେ ପ୍ରାୟ ୩ ହଜାର ପିଭିସି ଟ୍ୟାଙ୍କ ବସାଯାଇ ୨୨୫ଟି ଟ୍ୟାଙ୍କର ମାଧ୍ୟମରେ ନିୟମିତ ଭାବେ ଜଳ ଯୋଗାଣ କରାଯିବା ସଂପର୍କରେ ଗୃହ ଓ ନଗର ବିଭାଗ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥାଇଲା । ସହରାଞ୍ଚଳରେ ନିୟୋଜିତ ୭୫୬ ଜଣ ଜଳସାଥିଙ୍କ ମାଧ୍ୟମରେ ପାନୀୟଜଳ ସଂପର୍କିତ ବିଭିନ୍ନ ଅଭିଯୋଗ ଗ୍ରହଣ ଏବଂ ୨୪ ଘଂଟିଆ ନିୟନ୍ତଣ କକ୍ଷ ବିଭାଗ ପକ୍ଷରୁ ଖୋଲାଯିବ । ଦୈନିକ ପ୍ରାୟ ଦେଢ଼ ଲକ୍ଷ ଘରକୁ ୯୭ ଲକ୍ଷ ମିଲିୟନ ଲିଟର ଜଳ ଯୋଗାଣ କରାଯିବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ମୁଖ୍ୟମନ୍ତ୍ରୀ ଙ୍କସଚିବ ୫ଟି ଭି.କେ ପାଣ୍ଡିଆନ୍, ପଞ୍ଚାୟତି ରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ସଚିବ ସୁଶିଲ୍ କୁମାର ଲୋହାନୀ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି. ମାଥିଭାଥନନ୍ ଏବଂ ବିଭାଗୀୟ ନିର୍ଦ୍ଦେଶ ପ୍ରମୁଖ ଉପସ୍ଥିତ ଥିଲେ ।
