ଆଜି ‘ବିଜୁ ଏକ୍ସପ୍ରେସ୍ ଓ୍ୱେ’କୁ ରାଜ୍ୟ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆଜି ପଞ୍ଚାୟତିରାଜ ଦିବସ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । ଏହି ଅବସରରେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାର ୩ଟି ଜିଲା ଗସ୍ତ ଅବସରରେ ନୂଆପଡ଼ା ଠାରେ ବିଜୁ ଏକ୍ସପ୍ରେସ ୱେକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।
ପଶ୍ଚିମରୁ ଦକ୍ଷିଣ ଓଡ଼ିଶାକୁ ଯୋଡୁଥିବା ଏହି ଏକ୍ସପ୍ରେସ ୱେକୁ ବିଜୁ ଅର୍ଥନୈତିକ କରିଡର ଭାବେ ନାମିତ କରାଯିବାକୁ ନିଷ୍ପତ୍ତି ହୋଇଛି । ପଶ୍ଚିମ ଓଡ଼ିଶାର ୬ ଓ ଦକ୍ଷିଣ ଓଡ଼ିଶାର ୩ ଜିଲା (ସୁନ୍ଦରଗଡ, ସମ୍ୱଲପୁର, ଝାରସୁଗୁଡା, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି)ର ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଏହି ଏକ୍ସପ୍ରେସ ୱେର ପରିକଳ୍ପନା କରାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଅର୍ଥନୈତିକ-ସାମାଜିକ-ସାଂସ୍କୃତିକ ଅଭିବୃଦ୍ଧି କ୍ଷେତ୍ରରେ ଏହା ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଦେବ । ଏହି ଏକ୍ସପ୍ରେସ ୱେ ଦ୍ୱାରା ପଡେ଼ାଶୀ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସହ ବ୍ୟବସାୟିକ ସମ୍ପର୍କ ବୃଦ୍ଧିରେ ମଧ୍ୟ ସହାୟକ ହେବ । ସମ୍ପ୍ରତି ସୁନ୍ଦରଗଡ଼ରୁ କଳାହାଣ୍ଡି ପର୍ଯ୍ୟନ୍ତ ୫୪୬ କିଲୋମିଟର ଲମ୍ୱା ଏହି ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାକୁ ଆଗାମୀ ଦିନରେ ସମୃଦ୍ଧି କ୍ଷେତ୍ରରେ ଏକ ନୂଆ ଉଚ୍ଚତା ପ୍ରଦାନ କରିବାକୁ ଯାଉଛି ।
ସୁନ୍ଦରଗଡ଼ ଜିଲାର ଶେଷମୁଣ୍ଡରେ ଥିବା ବୀରମିତ୍ରପୁର ଠାରୁ କଳାହାଣ୍ଡି ଜିଲାର ଆମ୍ୱପାଣିକୁ ସଂଯୋଗ କରୁଛି ଏହି ଏକ୍ସପ୍ରେସ ୱେ । ପ୍ରାୟ ୬୦୦ କୋଟି ଟଙ୍କା ବିନିମୟରେ ରାଜ୍ୟ ସରକାର ୪ ଲେନ୍ ବିଶିଷ୍ଟ ଏହି ଏକ୍ସପ୍ରେସ ୱେର ନିର୍ମାଣ କରିଛନ୍ତି । ଏକ୍ସପ୍ରେସ ୱେର ନିର୍ମାଣ ପଶ୍ଚିମ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏହାକୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବିଜୁ ଏକ୍ସପ୍ରେସ ୱେର ଉଦଘାଟନ ସହ ପଶ୍ଚିମ ଓଡ଼ିଶାରେ ଏକ ନୂଆ ଯୁଗର ଅୟମାରମ୍ଭ ହେବାକୁ ଯାଉଛି । ଯେକୌଣସି ସଭ୍ୟତାର ବିକାଶ ପାଇଁ ଉନ୍ନତ ଗମନାଗମନ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉକ୍ତ ସଭ୍ୟତାର ଅର୍ଥନୀତିରେ ଗମନାଗମନ ବ୍ୟବସ୍ଥା ସବୁଠାରୁ ବଡ଼ ସ୍ତମ୍ଭ ଭାବେ ବିବେଚିତ ହେବା ସହ ସାମାଜିକ ଓ ସାଂସ୍କୃତିକ ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖିଥାଏ । ମଧ୍ୟଯୁଗରେ କେନ୍ଦ୍ର ଏସିଆର ସିଲ୍କ ରୋଡ଼ ବା ଭାରତରେ ଗ୍ରାଣ୍ଡ ଟ୍ରଙ୍କ ରୋଡ; ସେ ସମୟରେ ଅର୍ଥନୈତିକ ଅଭିବୃଦ୍ଧି, ବାଣିଜ୍ୟିକ ବ୍ୟାପାର ଏବଂ ସାମାଜିକ ଅଭିବୃଦ୍ଧି ଏହାଦ୍ୱାରା ସମ୍ଭବପର ହୋଇ ପାରିଥିଲା । ବିଜୁ ଏକ୍ସପ୍ରେସ ୱେ କେବଳ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ବିକାଶ କରିବ ନାହିଁ, ବରଂ ସେଠାକାର କଳା, ସଂସ୍କୃତିର ବିକାଶରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ।
