ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ରେ ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କରିଛନ୍ତି ଏବଂ ଜଳ ଶକ୍ତି ଅଭିଯାନ : କ୍ୟାଚ ଦ ରେନ୍-୨୦୨୩ର ଶୁଭାରମ୍ଭ କରିଛି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ପ୍ରତ୍ୟେକ ନାଗରିକଙ୍କ ଜୀବନରେ ଜଳ ଓ ସ୍ୱଚ୍ଛତାର ବିଶେଷ ସ୍ଥାନ ରହିଛି । କିନ୍ତୁ ଏହି ପ୍ରସଙ୍ଗ ମହିଳାମାନଙ୍କୁ ସବୁଠୁ ଅଧିକ ପ୍ରଭାବିତ କରିଥାଏ, କାରଣ ସାଧାରଣତଃ ଘରେ ପାଣି ବ୍ୟବସ୍ଥା କରିବାର ଉତରଦାୟିତ୍ୱ ମହିଳାମାନଙ୍କ ଉପରେ ଥାଏ । ପୂର୍ବରୁ ଗାଁରେ ପାଣି ଯୋଗାଡ଼ କରିବା ଲାଗି ସେମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଯିବାକୁ ପଡ଼ୁଥିଲା । ପିଇବା ପାଣି ବ୍ୟବସ୍ଥା କରିବାରେ କେବଳ ଅଧିକ ସମୟ ଲାଗୁନଥିଲା ବରଂ ସେମାନଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ ମଧ୍ୟ ବିପଦରେ ପଡ଼ୁଥିଲା । ସାଧାରଣତଃ ସ୍କୁଲ ଓ କଲେଜ ଯାଉଥିବା ଝିଅମାନେ ମଧ୍ୟ ନିଜ ପରିବାରର ବଡ଼ ଲୋକମାନଙ୍କ ସହିତ ପାଣି ବ୍ୟବସ୍ଥା କରିବାରେ ଲାଗି ରହୁଥିଲେ, ଯାହାଫଳରେ ସେମାନଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିଲା । ଏହି ସମସ୍ୟାକୁ ଦୂର କରିବା ଲାଗି ଭାରତ ସରକାର ବିଶେଷ ଉପାୟ କରିଛନ୍ତି । ସରକାର ଜଳ ଜୀବନ ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ ଭଳି ଯୋଜନା ମାଧ୍ୟମରେ ସ୍ୱଚ୍ଛ ପାନୀୟ ଜଳ ଏବଂ ସ୍ୱଚ୍ଛତା ସୁବିଧା ଯୋଗାଇ ଦେଉଛନ୍ତି । ରାଷ୍ଟ୍ରପତି କହିଥିଲେ ଯେ, ଆଜିସୁଦ୍ଧା ୧୧.୩ କୋଟିରୁ ଅଧିକ ଘରକୁ ଟ୍ୟାପ ଯୋଗେ ପାନୀଳ ଜଳ ମିଳିପାରିଛି । ଏହା ଖୁସିର ବିଷୟ । ସେ କହିଥିଲେ, ଯେଉଁ ମହିଳାମାନେ ପୂର୍ବରୁ ପାଣି ଆଣିବାରେ ସମୟ ବିତାଉଥିଲେ ସେମାନେ ଏବେ ଅନ୍ୟ ଉତ୍ପାଦକ କାର୍ଯ୍ୟରେ ସେହି ସମୟର ଉପଯୋଗ କରୁଛନ୍ତି । ଟ୍ୟାପରୁ ବାହାରୁଥିବା ସ୍ୱଚ୍ଛ ପାଣିରୁ ସେହି ଶିଶୁମାନଙ୍କ ସ୍ୱାସ୍ଥ୍ୟରେ ମଧ୍ୟ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି ଯେଉଁମାନେ ପୂର୍ବରୁ ଦୂଷିତ ପାଣି ପିଇବା କାରଣରୁ ଡାଇରିଆ ଏବଂ ଝାଡ଼ାବାନ୍ତି ଭଳି ସମସ୍ୟାରେ ପଡ଼ୁଥିଲେ । ରାଷ୍ଟ୍ରପତି ଜଳ ସଂରକ୍ଷଣ ଓ ଜଳ ପରିଚାଳନାର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ ଯେ, ଆମ ଦେଶରେ ସୀମିତ ଜଳ ଉତ୍ସ ରହିଛି ଏବଂ ଏହାର ଅସମାନ ବିତରଣ ଦେଖିବାକୁ ମିଳିଥାଏ । ବିଶ୍ୱର ପାଖାପାଖି ୧୮ ପ୍ରତିଶତ ଜସଂଖ୍ୟା ଭାରତରେ ରହିଥାନ୍ତି, କିନ୍ତୁ ଏଠାରେ ବିଶ୍ୱର ମାତ୍ର ୪ ପ୍ରତିଶତ ଜଳ ଉତ୍ସ ଉପଲବ୍ଧ ରହିଛି । ଏହା ବ୍ୟତୀତ, ଏହି ପାଣିର ଅଧିକାଂଶ ଭାଗ ବର୍ଷା ଆକାରରେ ମିଳିଥାଏ, ଯାହାକି ନଦୀ ଓ ସମୁଦ୍ର ଦେଇ ବୋହିଯାଏ । ସେଥିପାଇଁ ଜଳ ସଂରକ୍ଷଣ ଓ ଏହାର ପରିଚାଳନା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ । ଆଜି ଆମେ ଜଳ ଯୋଗାଣ ପାଇଁ ପାରମ୍ପରିକ ସାଧନ ଅପେକ୍ଷା ସଂସ୍ଥାଗତ ସାଧନ ଉପରେ ଅଧିକ ନିର୍ଭରଶୀଳ ରହିଛୁ । କିନ୍ତୁ ସ୍ଥାୟୀ ଜଳ ଯୋଗାଣ ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରିବା ସହିତ ଜଳ ପରିଚାଳନା ଏବଂ ଜଳ ସଂଚୟର ପାରମ୍ପରିକ ପଦ୍ଧତିକୁ ପୁନର୍ଜୀବିତ କରିବା ବର୍ତମାନ ସମୟର ଆବଶ୍ୟକତା । ଜଳ ସଂରକ୍ଷଣ ଓ ଏହାର ପରିଚାଳନା ପାଇଁ ସବୁ ଅଂଶୀଦାରମାନଙ୍କୁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି । ରାଷ୍ଟ୍ରପତି କହିଥିଲେ ଯେ, କେବଳ ଆମ ନିଜ ପାଇଁ ନୁହେଁ, ବରଂ ଆଗାମୀ ପିଢ଼ି ପାଇଁ ଆମକୁ ଏହି ପ୍ରୟାସ କରିବାର ଆବଶ୍ୟକତା ରହିଛି । ରାଷ୍ଟ୍ରପତି କହିଥିଲେ ଯେ, ଦେଶର ପ୍ରାୟ ଦୁଇ ଲକ୍ଷ ଗ୍ରାମ ନିଜକୁ ଓଡିଏଫ ପ୍ଲସ୍ ଘୋଷଣା କରିବା ଖୁସିର ବିଷୟ । ଏହାର ଅର୍ଥ ହେଉଛି ଏସବୁ ଗାଁରେ କଠିନ ଓ ତରଳ ବର୍ଜ୍ୟ ପରିଚାଳନା ପ୍ରଣାଳୀ ରହିଛି । ସେ ଘରୋଇ ବର୍ଜ୍ୟର ଉଚିତ ଓ ପରିବେଶ ଅନୁକୂଳ ପରିଚାଳନାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସେ କହିଥିଲେ ଯେ, ସାଧାରଣତଃ ଘରୁ ବାହାରୁଥିବା କଠିନ ବର୍ଜ୍ୟବସ୍ତୁକୁ ସାର୍ବଜନୀନ ସ୍ଥାନରେ ଫିଙ୍ଗି ଦିଆଯାଇଥାଏ । ତରଳ ବର୍ଜ୍ୟ ଜଳାଶୟକୁ ଚାଲିଯାଏ । ରାଷ୍ଟ୍ରପତି କହିଥିଲେ ଯେ ଏହା ପରିବେଶ ଏବଂ ଜୀବଜନ୍ତୁଙ୍କ ପାଇଁ ହାନିକାରକ । ଆମ ପାଖରେ ଏପରି ଏକ ପ୍ରଣାଳୀ ରହିବା ଉଚିତ ଯେଉଁଥିରେ ଅଧିକାଂଶ ବର୍ଜ୍ୟବସ୍ତୁର ପୁନଃଚକ୍ରଣ ହୋଇପାରୁଥିବ । ସେହିପରି ତରଳ ବର୍ଜ୍ୟବସ୍ତୁ ଭୂପୃଷ୍ଠ ଜଳକୁ ଦୂଷିତ କରୁନଥିବା ଆବଶ୍ୟକ ଏବଂ ଆମେ ଅବଶିଷ୍ଟ ବର୍ଜ୍ୟବସ୍ତୁରେ ଖତ ତିଆରି କରିପାରିବା । ରାଷ୍ଟ୍ରପତି କହିଥିଲେ ଯେ, ଭାରତକୁ ଏକ ‘ସ୍ୱଚ୍ଛ ରାଷ୍ଟ୍ର’ ଭାବେ ଗଢ଼ି ତୋଳିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ ବରଂ ନାଗରିକମାନଙ୍କର ସାମୂହିକ ଦାୟିତ୍ୱ ହେବା ଉଚିତ୍ । ସେ କହିଥିଲେ ଯେ, ‘ନାରୀ ଶକ୍ତି’ ବିନା ‘ଜଳ ଶକ୍ତି’ ଫଳପ୍ରଦ ହୋଇପାରିବ ନାହିଁ । ସାମାଜିକ ସମୃଦ୍ଧି ପାଇଁ ଏହି ଦୁଇଟି ଶକ୍ତିକୁ ଉପଯୋଗ କରିବାର ଆବଶ୍ୟକତା ରହିଛି । ମହିଳାମାନଙ୍କ ସଶକ୍ତ କରିବା ଜଳ ଜୀବନ ମିଶନର ଉଦ୍ଦେଶ୍ୟ । ରାଷ୍ଟ୍ରପତି କହିଥିଲେ ଯେ ସବୁ ପୁରସ୍କାର ବିଜେତାମାନଙ୍କ ଦ୍ୱାରା ଜଳ ସଂରକ୍ଷଣ, ଗାଁକୁ ଓଡିଏଫ ପ୍ଲସ କରିବା, ବର୍ଜ୍ୟବସ୍ତୁ ପରିଚାଳନା, ବର୍ଷା ଜଳ ସଂଚୟ କ୍ଷେତ୍ରରେ କରାଯାଉଥିବା ପ୍ରୟାସ ଓ କଠିନ ପରିଶ୍ରମ କାରଣରୁ ଭାରତ ଜଳ ପରିଚାଳନା ଓ ସ୍ୱଚ୍ଛତା କ୍ଷେତ୍ରରେ ବିଶ୍ୱ ସମୁଦାୟ ଆଗରେ ଏକ ଉଦାହରଣ ପ୍ରସ୍ତୁତ କରିବ । ପୁରସ୍କାର ବିଜେତାମାନଙ୍କୁ ଅନୁରୋଧ କରି ରାଷ୍ଟ୍ରପତି କହିଥିଲେ ଯେ ସାରା ଦେଶରେ ସ୍ୱଚ୍ଛତା ଓ ଜଳ ସଂରକ୍ଷଣ କ୍ଷେତ୍ରରେ କରାଯାଉଥିବା କାର୍ଯ୍ୟ ବିଷୟରେ ସେମାନେ ନିଜ ନିଜ କ୍ଷେତ୍ରର ଲୋକମାନଙ୍କୁ ସୂଚନା ଦିଅନ୍ତୁ । ସେମାନେ ମଧ୍ୟ ଅନ୍ୟମାନଙ୍କୁ ପରିବେଶ ଅନୁକୂଳ ଜୀବନ ଆପଣାଇବାକୁ ଅନୁପ୍ରାଣିତ କରିପାରିବେ ।
