ଭିସୁଟ୍ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ମୃତ୍ୟୁ ଘଟଣା ସରିଲା ପ୍ରୀତିମାନ ଓ ମାନସଙ୍କ ଲାଇ ଡିଟେକ୍ସନ ଟେଷ୍ଟ
ସମ୍ବଲପୁର : ଭିସୁଟ୍ ର ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁଙ୍କ ମୃତ୍ୟୁ ଘଟଣାରେ ତଦନ୍ତ ଜାରୀ ରଖିଛି ପୋଲିସର ତିନୋଟି ଟିମ୍ । ଘଟଣାରେ ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତିମାନ ଦେ ଓ ସହପାଠୀ ମାନସ ଟୁଡ଼ୁଙ୍କର ଆଜି ଲାଇ ଡିଟେକ୍ସନ ଟେଷ୍ଟ (ମିଛଧରା ପରୀକ୍ଷା) କରାଯାଇଛି । ଭୁବନେଶ୍ୱର ସ୍ଥିତ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବରେଟୋରୀରେ ପୃଥକ୍ ପୃଥକ୍ ଭାବେ ଉଭୟଙ୍କର ଏହି ଟେଷ୍ଟ କରାଯାଇଛି । ଏହି ଟେଷ୍ଟ ବେଳେ ପ୍ରୀତିମାନ ଓ ମାନସଙ୍କୁ ୨୫ରୁ ଅଧିକ ପ୍ରଶ୍ନ ପଚାରିଛନ୍ତି ଏକ୍ସପର୍ଟ । ପ୍ରୀତିମାନଙ୍କୁ ୧ ଘଂଟାରୁ ଅଧିକ ସମୟ ଧରି ବିଭିନ୍ନ ପ୍ରଶ୍ନ ପଚରା ଯାଇଛି । କେବେ ଠାରୁ ସେ ଚିନ୍ମୟୀଙ୍କୁ ଜାଣିଛନ୍ତି, ଉଭୟଙ୍କ ମଧ୍ୟରେ ସମ୍ପର୍କ କିପରି ଥିଲା, ଘଟଣା ଦିନ କ’ଣ ଘଟିଥିଲା, ଦୁହିଁଙ୍କ ଭିତରେ ଝଗଡ଼ା ହୋଇଥିଲା କି, ପିସି ବ୍ରିଜ୍ ନିକଟରେ ଦୁହେଁ କାହିଁକି ଅଟକି ଥିଲେ, ହଠାତ୍ ବ୍ରିଜ୍ ରୁ ପାଣିକୁ କାହିଁକି ଡେଇଁ ପଡିଥିଲେ ଚିନ୍ମୟୀ, ଚିନ୍ମୟୀ ପାଣିକୁ ଡେଇଁବା ପରେ ଘଟଣା ବାବଦରେ କାହାକୁ ପ୍ରଥମେ ଜଣାଇଥିଲେ ପ୍ରୀତିମାନ, ମୃତ୍ୟୁ ପୂର୍ବରୁ ଚିନ୍ମୟୀଙ୍କ ମୋବାଇଲ ପ୍ରୀତିମାନଙ୍କ ପାଖରେ ରହିଲା କିପରି, ଏମିତି ଅନେକ ପ୍ରଶ୍ନର ଉତର ଖୋଜିଥିଲା ପୋଲିସ । ଘଟଣାରେ ପୂର୍ବରୁ ପ୍ରୀତିମାନ ଓ ମାନସଙ୍କ ବୟାନ୍ ରେକର୍ଡ଼ କରିଛି ବୁର୍ଲା ପୋଲିସ । ବୟାନରେ ତାଳମେଳ ରହୁନଥିବାରୁ ଉଭୟଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଯାଇଛି । ଏହି ଟେଷ୍ଟ ପାଇଁ ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣଙ୍କୁ ଏଠାକୁ ଅଣାଯାଇଥିଲା । ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇ ଜଣଙ୍କୁ ଭୁବନେଶ୍ୱର ଆଣିଥିଲେ । ଅନ୍ୟପକ୍ଷରେ ତାଙ୍କ ଝିଅକୁ ହତ୍ୟା କରାଯାଇଛି ଏବଂ ତଦନ୍ତକୁ ପ୍ରଭାବିତ କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ମୃତ ଚିନ୍ମୟୀଙ୍କ ବାପା ମା । ତଦନ୍ତରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି ଚିନ୍ମୟୀଙ୍କ ମା ଲବଙ୍ଗ ସାହୁ । ପୋଲିସର ତିନୋଟି ଟିମ୍ ସୋନପୁର, ବଲାଙ୍ଗିର, ଭୁବନେଶ୍ୱରରେ ତଦନ୍ତ କରୁଛି । ଗତକାଲି ବୁର୍ଲା ପୋଲିସର ଏକ ଟିମ୍ ଚିନ୍ମୟୀ ରହୁଥିବା ଭୁବନେଶ୍ୱର ବିଜେବି ନଗର ସ୍ଥିତ ଭଡ଼ାଘରକୁ ଯାଇ ତଦନ୍ତ କରିଥିଲା । ଚିନ୍ମୟୀଙ୍କ ଲାପଟପ୍ ଓ ଅନ୍ୟାନ୍ୟ କାଗଜପତ୍ରକୁ ଜବତ କରିଥିଲା । ଘର ମାଲିକଙ୍କ ବୟାନ୍ ମଧ୍ୟ ରେକର୍ଡ଼ କରିଥିଲା । ଗତ ଅକ୍ଟୋବର ୯ ତାରିଖରୁ ଚିନ୍ମୟୀ ସେଠାରେ ରହୁଥିଲେ । ସେହିପରି ଗତକାଲି ସାଇଂଟିଫିକ୍ ଟିମ୍ ଘଟଣାସ୍ଥଳ (ବୁର୍ଲା ପାୱାର ଚାନେଲ ବ୍ରିଜ)ରେ ପହଂଚି ଛାନଭିନ୍ କରିଥିଲା । ପାୱାର ହାଉସ କନିଷ୍ଠ ଯନ୍ତ୍ରୀଙ୍କ ସହ ଘଟଣାସ୍ଥଳରେ ଜଳର ଗଭୀରତା ମାପିବା ସହ ଡ୍ୟାମ୍ ଉଚ୍ଚତା ମାପିଥିଲେ । ଚିନ୍ମୟୀଙ୍କ ମୃତ୍ୟୁ ଆତ୍ମହତ୍ୟା ଯୋଗୁଁ ନୁହେଁ ବରଂ ତାଙ୍କ ତଂଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ଚିନ୍ମୟୀଙ୍କ ପରିବାର ଲୋକ । ଅନ୍ୟପକ୍ଷରେ ଚିନ୍ମୟୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟରେ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ଘଟିଥିବା ଦର୍ଶାଯାଇଛି । ତେବେ ଚିନ୍ମୟୀଙ୍କ ବେକରେ ରହିଥିବା ଦାଗକୁ ନେଇ ସସପେନ୍ସ ବଢିଛି । ପ୍ରକାଶ ଥାଉକି, ବୁର୍ଲା ଥାନା ପିସି ବ୍ରିଜ୍ ଉପରୁ ପାଣିକୁ ଡେଇଁ ନିଖୋଜ ଥିବା ଚିନ୍ମୟୀଙ୍କ ମୃତଦେହ ଗତ ୧ ତାରିଖ ସକାଳେ ପାୱାର ଚ୍ୟାନେଲ ଭିତରୁ ଉଦ୍ଧାର କରିଥିଲା ଅଗ୍ନିଶମ ବିଭାଗ । ଚିନ୍ମୟୀଙ୍କ ମାଆ ଲବଙ୍ଗ ସାହୁଙ୍କ ଅଭିଯୋଗ କ୍ରମେ ଆଇପିସିର ଦଫା ୩୦୨, ୨୦୧, ୩୦୬, ୩୪ ରେ କେସ୍ ନଂ ୯୬/୨୩ ରେ ଏକ ମାମଲା ରୁଜ୍ଜୁ କରିଛି ପୋଲିସ । ଘଟଣାରେ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ଦେଙ୍କ ସମେତ ୨ ଜଣଙ୍କ ନାମରେ ହତ୍ୟା ମାମଲା ରୁଜ୍ଜୁ କରିଛି ପୋଲିସ ।
