କେନ୍ଦୁଝର ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ
କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ବୈଠକ ତା: ୦୩.୦୩.୨୦୨୩ ରିଖ ପୂର୍ବାହ୍ନ ୧୦.୩୦ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ ଠାରେ ପାଟଣା ବିଧାୟକ ତଥା କେନ୍ଦୁଝର ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଜିଲ୍ଲାପାଳ ଆଶିଷ ଠାକରେ ସମସ୍ତଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବୈଠକରେ କେନ୍ଦୁଝର ସାଂସଦ (ଲୋକସଭା) ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ଘସିପୁରା ବଦ୍ରି ନାରାୟଣ ପାତ୍ର, ବିଧାୟକ ତେଲକୋଇ ପ୍ରେମାନନ୍ଦ ନାୟକ, ବିଧାୟକ କେନ୍ଦୁଝର ମୋହନ ଚରଣ ମାଝୀ, ବିଧାୟକ ଆନନ୍ଦପୁର ଭାଗୀରଥୀ ସେଠୀ, ବିଧାୟିକା ଚମ୍ପୁଆ ଶ୍ରୀମତୀ ମିନାକ୍ଷୀ ମହାନ୍ତ, ଡ଼ି.ଏଫ.ଓ. କେନ୍ଦୁଝର ଧନରାଜ ଏଚଡି , ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଆନନ୍ଦପୁର ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଳାଇ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଘାସିରାମ ମୁର୍ମୁ, ମୁଖ୍ୟ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡା କିଶୋର କୁମାର ପୃଷ୍ଟି, ଯୋଜନା ଓ ପରିସଂଖ୍ୟାନ ଉପ-ନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା, ଜିଲ୍ଲା ଯୋଜନା କମିଟିର ସଦସ୍ୟ / ସଦସ୍ୟା ତଥା ବିଭିନ୍ନ ବିଭାଗୀୟ ଅଧିକାରୀ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ଉଦ୍ଦବୋଧନ ଦେଇ ଅଧ୍ୟକ୍ଷ, ଜିଲ୍ଲା ଯୋଜନା କମିଟି ଶ୍ରୀ ନାଏକ କହିଥିଲେଯେ, କେନ୍ଦୁଝର ପ୍ରାକୃତିକ ସମ୍ପଦରେ ଭରପୁର ଏକ ଜିଲ୍ଲା । ଏହାର ଗଚ୍ଛିତ ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳର ସୁବିନିଯୋଗକରି ଜିଲ୍ଲାର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଜନସାଧାରଣ କିପରି ସୁଖରେ ରହିପାରିବେ ଏବଂ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି ଘଟିବ ସେଥିପାଇଁ ସରକାରୀ ଅଧିକାରୀ ଓ ଲୋକପ୍ରତିନିଧି ମାନେ ନିଷ୍ଠାର ସହିତ କାର୍ଯ୍ୟକରିବାକୁ ଆହ୍ୱାନ ଜଣାଇଥିଲେ । ଏହାପରେ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କଠାରୁ ସେମାନଙ୍କର ବିଭାଗ ବାବଦରେ ପ୍ରାପ୍ତ ହୋଇଥିବା ୨୦୨୨-୨୩ ର ଚିଠା ପ୍ରସ୍ତାବ ଗୁଡିକ ଏକତ୍ରୀକରଣ କରାଯାଇ କେନ୍ଦୁଝର ଜିଲ୍ଲା ପାଇଁ ଯଥାକ୍ରମେ ମୋଟ ୨୭୬୮ କୋଟି ୪ ଲକ୍ଷ ୬୦ ହଜାର ଟଙ୍କାର ବାର୍ଷିକ ଯୋଜନା ଅନୁମୋଦନ କରାଯାଇଥିଲା ଓ ବୈଠକରେ ଜିଲ୍ଲା ଯୋଜନା ଓ ପରିସଂଖ୍ୟାନ ଉପ-ନିର୍ଦ୍ଦେଶକ ଗଜେନ୍ଦ୍ର କୁମାର ବେହେରା ବାର୍ଷିକ ଚିଠା ପ୍ରସ୍ତାବ ସମ୍ପର୍କିତ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଜିଲ୍ଲା-ସ୍ତରୀୟ ଅଧିକାରୀ ମାନେ ନିଜ ନିଜ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା / କାର୍ଯ୍ୟକ୍ରମ ସମ୍ପର୍କରେ ବିଷଦ ଭାବେ ଗୃହରେ ଅବଗତ କରାଇଥିଲେ । ଚିଠା ପ୍ରସ୍ତାବ ଗୃହରେ ସବିଶେଷ ଆଲୋଚନା ପରେ ସର୍ବସମ୍ମତିକ୍ରମେ ଅନୁମୋଦନ ହୋଇଥିଲା । ଗୃହରେ ଶିକ୍ଷା, ସ୍ୱାସ୍ଥ୍ୟ, ଜଙ୍ଗଲ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ସହରାଂଚଳ ବିକାଶ, ଉଦ୍ୟାନ କୃଷି ଓ ମାଛ ଚାଷ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ସହକାରୀ ନିର୍ଦ୍ଦେଶକ ଜୟରାମ ଟୁଡୁ ଓ ଡି.ପି.ଏମ.ୟୁ ର ସମସ୍ତ କର୍ମଚାରୀ କାର୍ଯ୍ୟକର୍ମ ଆୟୋଜନ ଓ ପରିଚାଳନାରେ ସହୋଯୋଗ କରିଥିଲେ । ପରିଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।
