ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ମୃତ ଏସିଡ୍ ପିଡ଼ୀତାଙ୍କ ପିତାଙ୍କୁ କ୍ଷତିପୂରଣ ରାଶି ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ତରଫରୁ ମୃତ ଏସିଡ୍ ପିଡ଼ୀତା ବନୀତା ସିଂଙ୍କର ପିତା କାର୍ତ୍ତିକ ସିଂଙ୍କୁ ୧ ଲକ୍ଷ ଟଙ୍କାର ପିଡ଼ୀତା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲା ଆଇନସେବା ପ୍ରାଧିକରଣ ବାଲେଶ୍ୱରର ସଚିବ ପ୍ରିୟ ରଞ୍ଜନ ଓଝା, ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ, ଆଇନଜୀବୀ ସତ୍ୟେନ୍ଦ୍ର ଉମାଶଙ୍କର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି ବାଲେଶ୍ୱର ସହର ଉପକଣ୍ଠସ୍ଥ ଭୀମପୁରାରେ ଗତ ଫେବୃଆରୀ ୨୦ ତାରିଖରେ ବନୀତା ସିଂଙ୍କୁ ତାଙ୍କ ସ୍ୱାମୀ ଚନ୍ଦନ କୁମାର ରଣା ଏସିଡ୍ ମାଡ କରିଥିଲେ । ପରବର୍ତ୍ତୀ ସମୟରେ ପିଡ଼ୀତା ଜଣକ ଚିକିତ୍ସାଧୀନ ଅବସ୍ଥାରେ କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲରେ ମୃତ୍ୟୁ ବରଣ କରିଥିଲେ । ଗଣମାଧ୍ୟମରୁ ଖବର ପାଇବା ପରେ ଉପରୋକ୍ତ ସମ୍ବେଦନଶୀଳ ଘଟଣାଟିକୁ ଜିଲା ଆଇନସେବା ପ୍ରାଧିକରଣ ବାଲେଶ୍ୱର ଗୁରୁତର ଭାବରେ ଗ୍ରହଣ କରି ଜିଲା ଆଇନସେବା ପ୍ରାଧିକରଣ ବାଲେଶ୍ୱରର ଅଧ୍ୟକ୍ଷ ତଥା ଜିଲା ଏବଂ ଦୌରାଜଜ୍ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ପିଡ଼ୀତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ତଦାରଖ ପାଇଁ ଦୁଇ ଜଣ ପାରାଲିଗାଲ ସ୍ୱେଚ୍ଛାସେବୀ ସୁରେସ ଚନ୍ଦ୍ର ଭୋଳ ଏବଂ ଯିତେନ୍ଦ୍ର ଦାସଙ୍କୁ କଟକ ମେଡିକାଲକୁ ପଠାଇଥିଲେ । ଜିଲା ଆଇନସେବା ପ୍ରାଧିକରଣ ବାଲେଶ୍ୱର ତରଫରୁ ମଧ୍ୟ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଅଧୀକ୍ଷକଙ୍କୁ ସମସ୍ତ ପ୍ରକାରର ଉନ୍ନତ ମାନର ଚିକିତ୍ସା ପିଡ଼ୀତାଙ୍କୁ ଯୋଗାଇ ଦେବା ପାଇଁ ପତ୍ର ମାଧ୍ୟମରେ ଅନୁରୋଧ କରାଯାଇଥିଲା । ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଥିଲା । ଗତ ୨୪ ତାରିଖ ଦିନ ଜିଲା ଆଇନସେବା ପ୍ରାଧିକରଣ, ବାଲେଶ୍ୱରର ଅଧ୍ୟକ୍ଷ ତଥା ଜିଲା ଜଜ୍ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପିଡ଼ୀତା କ୍ଷତିପୂରଣ ମାସିକ ବୈଠକରେ ଉପରୋକ୍ତ ଘଟଣାରେ ଏସିଡ୍ ମାଡ଼ର ଶିକାର ହୋଇଥିବା ସମସ୍ତ ପିଡ଼ୀତାଙ୍କୁ ୧ ଲକ୍ଷ ଟଙ୍କାର ଆର୍ôଥକ ରାଶି ମଞ୍ଜୁର କରା ଯାଇଥିଲା ।
