ଆଜିଠୁ ଇନ୍ଦୋର ଟେଷ୍ଟ : ଅପେକ୍ଷାରେ ଅନେକ ରେକର୍ଡ
ଇନ୍ଦୋର : ଆଜି ଠାରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜର ତୃତୀୟ ମୁକାବିଲା । ଇନ୍ଦୋରରେ ବୁଧବାର ଠାରୁ ଖେଳାଯିବ ଏହି ମ୍ୟାଚ । ଭାରତ ଗସ୍ତରେ ଥିବା ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଚଳିତ ବର୍ଡର-ଗାଭାସ୍କର ଟ୍ରଫିରେ ଖରାପ ପ୍ରଦର୍ଶନ କରି ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ପ୍ରଥମ ଦୁଇ ମ୍ୟାଚ୍ ହାରିଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ସିରିଜରେ ୨-୦ରେ ଅଗ୍ରଣୀ ଥିବା ଟିମ୍ ଇଣ୍ଡିଆ ଲାଗି ତୃତୀୟ ଟେଷ୍ଟ ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ଟେଷ୍ଟକୁ ଜିତିବା ମାତ୍ରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲୁଟିସି) ଫାଇନାଲକୁ ଭାରତର ଟିକେଟ୍ ନିଶ୍ଚିତ ହୋଇଯିବ।
ପ୍ରଥମ ୨ଟି ଟେଷ୍ଟ ପରାଜିତ ହେବା ପରେ ଅଷ୍ଟ୍ରେଲିଆ ସିରିଜକୁ ପ୍ରତ୍ୟାବର୍ତନ କରିବାକୁ ଜୋରଦାର ପ୍ରୟାସ ଚଳାଇଛି । ଦ୍ୱିତୀୟ ଟେଷ୍ଟ ପରେ ଭାରତୀୟ ଖେଳାଳି ନିଜ ନିଜ ଘରକୁ ଫେରିଯାଇଥିଲେ । ମାତ୍ର ଅଷ୍ଟ୍ରେଲିଆ ଦଳ ଦିଲ୍ଲୀରେ ରହି ଅଭ୍ୟାସ କରିଥିଲା । ଇନ୍ଦୋରରେ ପହଞ୍ôଚବା ପରେ ପିଚ୍କୁ ଦେଖି ଅଷ୍ଟ୍ରେଲିଆ ରଣନୀତି ପ୍ରସ୍ତୁତ କରିଛି । ଏଥର ଭ୍ରମଣକାରୀ ଦଳର ଭାଗ୍ୟ ବଦଳିବା ଆଶା କରାଯାଇପାରେ । ଷ୍ଟିଭେନ ସ୍ମିଥ୍ ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବେ । ଅଧିନାୟକ ଭାବେ ଟେଷ୍ଟ କ୍ରିକେଟ୍ରେ ସେ ୬୭.୭୩ ହାରରେ ମୋଟ୍ ୩୭୯୩ ରନ୍ ସଂଗ୍ରହ କରିଛନ୍ତି । ନେତୃତ୍ୱ ନେବା ବେଳେ ସ୍ମିଥ୍ଙ୍କ ପ୍ରଦର୍ଶନ ବଦଳି ଯାଏ । ଇନ୍ଦୋରରେ ତାଙ୍କ ବ୍ୟାଟରୁ ଦାୟିତ୍ୱପୂର୍ଣ୍ଣ ଇନିଂସ ଦେଖିବାକୁ ମିଳିବ ବୋଲି ଆଶା କରାଯାଇପାରେ ।
ନିୟମିତ ଅଧିନାୟକ ପ୍ୟାଟ୍ କମିନ୍ସଙ୍କ ନେତୃତ୍ବରେ ଏହି ଦୁଇ ମ୍ୟାଚ୍ ଦଳ ଖେଳିଥିଲା। କମିନ୍ସଙ୍କ ମା’ ଅସୁସ୍ଥ ଥିବାରୁ ସେ ସ୍ବଦେଶ ଫେରିଯାଇଛନ୍ତି। ତେଣୁ ଇନ୍ଦୋରରେ ବୁଧବାରଠାରୁ ଆରମ୍ଭ ହେବାକୁଥିବା ତୃତୀୟ ଟେଷ୍ଟ୍ରେ ସେ ଖେଳିପାରିବେନି। ତାଙ୍କ ସ୍ଥାନରେ ଦଳର ନେତୃତ୍ବ ଷ୍ଟିଭ୍ ସ୍ମିଥ୍ ନେବେ। ତାଙ୍କ ନେତୃତ୍ବରେ ଦଳ ତୃତୀୟ ଟେଷ୍ଟ ଜିତିବା ଆଶା ରଖିଛି। ଅନ୍ୟପକ୍ଷରେ ଓପନର୍ ଡେଭିଡ୍ ୱାର୍ଣ୍ଣର ଓ ଜୋସ ହାଜଲେଉଡ୍ ଆହତ ଯୋଗୁଁ ସ୍ବଦେଶ ଫେରିଯାଇଛନ୍ତି। ଫଳରେ ଏମାନଙ୍କ ସେବାରୁ ଦଳ ବଞ୍ଚିତ ହେବ। ଅଲ୍ରାଉଣ୍ଡର କାମେରୁନ ଗ୍ରିନ୍ ଓ ବାମହାତୀ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ସୁସ୍ଥ ହେବା ଦଳ ପାଇଁ ଖୁସି ଖବର। ଏମାନେ ତୃତୀୟ ଟେଷ୍ଟ୍ରେ ଖେଳିବା ପ୍ରାୟ ନିଶ୍ଚିତ। ଏହି ଦୁହେଁ ଖେଳିବା ଦ୍ବାରା ଦଳର ସନ୍ତୁଳନ ଆସିବାର ସମ୍ଭାବନା ରହିଛି। ନୂଆ ଦଳକୁ ନେଇ ଇନ୍ଦୋରରେ ସ୍ମିଥ୍ ବିଜୟ ଆଶା ରଖିଛନ୍ତି। ସ୍ମିଥ୍ଙ୍କ ନେତୃତ୍ବରେ ୨୦୧୭ରେ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ କଡ଼ା ସଂଘର୍ଷ କରି ୧-୨ରେ ହାରିଥିଲା।
ଅପେକ୍ଷାରେ ଅନେକ ରେକର୍ଡ :
ଗୋଟିଏ କ୍ୟାଚ୍ ଧରି ତ୍ରିଶତକ ଲଗାଇବେ କୋହଲି :
ବିରାଟ କୋହଲି ୩ ବର୍ଷ ଧରି ଟେଷ୍ଟରେ ଶତକ ମାରି ନ ଥିଲେ ହେଁ କ୍ୟାଚ୍ ଧରିବା ମାମଲାରେ ସେ ଏହି ରେକର୍ଡ କରିପାରନ୍ତି। ସେ ଏଯାବତ ୪୯୨ ମ୍ୟାଚ୍ରେ ୨୯୯ କ୍ୟାଚ୍ ଧରିଛନ୍ତି। ଏମିତିରେ ଆଉ ଗୋଟିଏ କ୍ୟାଚ୍ ଧରିଲେ ସେ ତ୍ରିଶତକ ରେକର୍ଡ ନିଜ ନାମରେ କରିବେ।
୫୦୦ ଅନ୍ତର୍ଜାତୀୟ ଉଇକେଟରୁ ଗୋଟିଏ ପାଦ ଦୂରରେ ଜାଡେଜା :
ରବିନ୍ଦ୍ର ଜାଡେଜା ତାଙ୍କର ୫୦୦ ଅନ୍ତର୍ଜାତୀୟ ଉଇକେଟ ଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଅଛନ୍ତି। ସେ ବର୍ତ୍ତମାନ ଟେଷ୍ଟରେ ୨୫୯, ଦିନିକିଆରେ ୧୮୯ ଏବଂ ଟି -୨୦ ରେ ୫୧ ଉଇକେଟ ନେଇଛନ୍ତି। ଜାଡେଜା ଦିଲ୍ଲୀ ଟେଷ୍ଟର ହିରୋ ଥିଲେ। ସେ ଉକ୍ତ ଟେଷ୍ଟ ମ୍ୟାଚରେ ୧୦ ଉଇକେଟ ନେଇ ଅଷ୍ଟ୍ରେଲିଆକୁ ବ୍ୟାକଫୁଟରେ ରଖିଥିଲେ। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍ରେ ସେ ୧୭ ଉଇକେଟ ନେଇ ସାରିଛନ୍ତି।
ଇତିହାସ ରଚି ପାରନ୍ତି ରୋହିତ :
ଅଧିନାୟକ ଭାବରେ ରୋହିତ ୪ଟି ଟେଷ୍ଟ ସିରିଜ ଜିତିଛନ୍ତି । ଇନ୍ଦୋର ଟେଷ୍ଟ ଜିତିବା ପରେ ସେ ପ୍ରଥମ ଭାରତୀୟ ଅଧିନାୟକ ହେବେ ଯିଏକି ଅଧିନାୟକ ଭାବରେ ଡେବ୍ୟୁରେ ୫ଟି ମ୍ୟାଚ ଜିତିଛନ୍ତି । ଏହାପୂର୍ବରୁ ରୋହିତ ଶର୍ମା ତାଙ୍କ ଅଧିନାୟକତ୍ୱରେ ଶ୍ରୀଲଙ୍କା ବିପକ୍ଷ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜିତିଥିଲେ । ସେ ଏପର୍ଯ୍ୟନ୍ତ ଏହି ସିରିଜରେ ୨ ଟି ଟେଷ୍ଟ ଜିତିଛନ୍ତି।
ଚତୁର୍ଥ ଥର ପାଇଁ ଭାରତ ଜିତିବ ବର୍ଡର-ଗାଭାସ୍କର ଟ୍ରଫି :
ଟିମ ଇଣ୍ଡିଆ କ୍ରମାଗତ ୩ ଥର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। ଇନ୍ଦୋର ଟେଷ୍ଟ ଜିତିବା ପରେ ଦଳ କ୍ରମାଗତ ଚତୁର୍ଥ ଥର ପାଇଁ ଏହି ଟ୍ରଫି ହାସଲ କରିବ।
ଦେଶରେ ଲଗାତର ୧୬ ତମ ସିରିଜ ବିଜୟ :
ଇନ୍ଦୋର ଟେଷ୍ଟ ଜିତିବା ମାତ୍ରେ ଭାରତ ବର୍ଡର-ଗାଭାସ୍କର ଟ୍ରଫିକୁ ଉପରେ କବ୍ଜା କରିବ। ଏହା ଟିମ ଇଣ୍ଡିଆର କ୍ରମାଗତ ୧୬ ତମ ସିରିଜ ବିଜୟ ହେବ।
