୨୦ ହଜାର ଲାଂଚ ନେଇ ଆରଆଇ ଓ ଅନ୍ୟ ଜଣେ ଭିଜିଲାନ୍ସ ଜାଲରେ
କଟକ : ଜନୈକ ବ୍ୟକ୍ତିଙ୍କ ଜମି ଇନକ୍ୱାରୀ ରିପୋର୍ଟ ତହସିଲଦାରଙ୍କ ନିକଟକୁ ପଠାଇବା ପାଇଁ ୨୦ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ବରଗଡ ଜିଲ୍ଲା ପାଇକମାଳ ଜାମସେଠର ଆରଆଇ ଡମ୍ବରୁଧର ସେଠ ଓ ଜଣେ ଘରୋଇ ବ୍ୟକ୍ତି ବିବେକାନନ୍ଦ ମାଝି ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି । ପ୍ରକାଶ ଯେ, ଅଭିଯୋଗକାରୀଙ୍କ ପିତାଙ୍କ ନାମରେ ଥିବା ଜମିର ଇନକ୍ୱାରୀ ରିପୋର୍ଟ ପ୍ରଦାନ ପାଇଁ ଆରଆଇ ଶ୍ରୀ ସେଠ ୨୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ । ଏନେଇ ସମ୍ବଲପୁର ଭିଜିଲାନ୍ସ ସେଲରେ ଅଭିଯୋଗ ହେବା ପରେ ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀମାନେ ଏହି ଲାଂଚ କାରବାର ବେଳେ ଚଢଉ କରିଥିଲେ । ତେବେ ଶ୍ରୀ ସେଠ ଅନ୍ୟ ଜଣେ ବ୍ୟକ୍ତି ଶ୍ରୀ ମାଝିଙ୍କ ଦ୍ୱାରା ଲାଂଚ ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ କର୍ମଚାରୀମାନେ ଶ୍ରୀ ସେଠ ଓ ଶ୍ରୀ ମାଝିଙ୍କୁ କାବୁ କରିନେଇଥିଲେ । ସାକ୍ଷୀମାନଙ୍କ ଉପସ୍ଥିତିରେ ୨୦ ହଜାର ଲାଂଚ ଟଙ୍କା ଶ୍ରୀ ମାଝିଙ୍କ ଠାରୁ ଜବତ ହୋଇଥିଲା । ଏ ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି ।
