ନିଜ ତଥା ବନ୍ଧୁବାନ୍ଧବଙ୍କୁ ଘରୁ ବର୍ଷାଧିକ କାଳ ହେଉଥିଲା ଚୋରି ! ୩ ଗିରଫ ଓ ୨ ଫେରାର, ଲକ୍ଷାଧିକ ଟଙ୍କାର ସୁନା ଗହଣା ଜବତ
ବାଲେଶ୍ୱର : ବାଲେଶ୍ୱର ସହରର ହରିପୁର ଅଞ୍ଚଳରେ ଜଣଙ୍କ ଘରୁ ଓ ତାଙ୍କ ବନ୍ଧୁବାନ୍ଧବଙ୍କ ଘରୁ ପ୍ରାୟ ବର୍ଷାଧିକ କାଳ ଚୋରୀ ହେଉଥିଲା । ଏନେଇ ସହଦେବଖୁଣ୍ଟା ମଡ଼େଲ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହୋଇଆସୁଥିଲା । ଏହାର ତଦନ୍ତ ପୂର୍ବକ ସହଦେବଖୁଣ୍ଟା ମଡ଼େଲ ଥାନା ପୋଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ୨ଜଣ ଫେରାର ଅଛନ୍ତି । ଏଥିରେ ରେମୁଣା ଥାନା ଅନ୍ତର୍ଗତ କୁରୁଣିଆପାଟଣା ଅଞ୍ଚଳର ୧୯ବର୍ଷର ଜଣେ ଯୁବକଙ୍କ ସହ ସିଂଲା ଥାନା ଅନ୍ତର୍ଗତ ୨୯ ଓ ୪୨ବର୍ଷର ଦୁଇଜଣ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ପ୍ରାୟ ୭ଲକ୍ଷ ଟଙ୍କା ମୂଲ୍ୟର ୧୦୬.୩୯ ଗ୍ରାମ୍ ଓଜନର ସୁନା ଗହଣା, ଗୋଟିଏ ବାଇକ୍ ସହିତ ୨୦ହଜାର ଟଙ୍କା ନଗଦ ଜବତ କରାଯାଇଥିବାର ଥାନା ପରିସରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଜିଲା ଆରକ୍ଷୀ ଅଧିକ୍ଷକ ସାଗରିକା ନାଥ ସୂଚନା ଦେଇଛନ୍ତି ।
ଘଟଣାକ୍ରମେ, ହରିପୁର ଅଞ୍ଚଳର ଶରତ କୁମାର ନାୟକ ତାଙ୍କ ଘରୁ ଓ ତାଙ୍କର ବନ୍ଧୁବାନ୍ଧବଙ୍କ ଘରୁ ନିୟମିତ ଚୋରୀ ହେଉଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ କରିଥିଲେ । ଗିରଫ ହୋଇଥିବା ଯୁବକ ଜଣକ ଶରତଙ୍କ ନାବାଳିକା ଝିଅ ମାଧ୍ୟମରେ ଏହି ଚୋରୀ ଘଟଣା ଚଳାଇଥିବା ଜଣାପଡ଼ିଥିଲା । ନାବାଳିକାର ବନ୍ଧୁ ସାଜିଥିବା ଯୁବକ ତାକୁ ଡରାଇ ଧମକାଇ ଏହି ଚୋରି କରୁଥିଲା । ଚୋରୀ ଗହଣାକୁ ନେଇ ସେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଦେଉଥିଲା । ଫେରାର ଅଭିଯୁକ୍ତ ସୁନା ଗହଣା ସବୁ ଗିରଫ ହୋଇଥିବା ନିଜ ସ୍ତ୍ରୀ ଓ ଭଉଣୀ ପାଖରେ ରଖୁଥିଲେ । ସେଥିରୁ ଆବଶ୍ୟକ ମୁତାବକ ସୁନା ବନ୍ଧକ ଦେଇ ବାଲେଶ୍ୱରର ଆଇଆଇଏଫ୍ଏଲ୍ ଫାଇନାନ୍ସ ଗୋଲଡ ଲୋନ୍ ଓ ଫେଡ଼େରାଲ ବ୍ୟାଙ୍କର ନିଧିପଣ୍ଡା ବ୍ରାଞ୍ଚରୁ ଋଣ ନେଇଛନ୍ତି । ଏପରିକି ସୁନା ଋଣରୁ ଫେରାର ଅଭିଯୁକ୍ତ ଏକ ୟାମାହା ବାଇକ କିଣିଥିବା ଜଣାପଡ଼ିଛି । ଅନ୍ୟ ଦୁଇଜଣ ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଖବରଦାତା ସମ୍ମିଳନୀରେ ସିଟି ଡିଏସପି ଗାୟତ୍ରୀବାଳା ପ୍ରଧାନ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଉପସ୍ଥିତ ଥିଲେ ।
