ଟାଟା କମ୍ପାନୀର ଦାଦାଗିରିକୁ ନେଇ ବିଧାନସଭାରେ ଉଦବେଗ ବିନା ନୋଟିସରେ ଲାଇନ କାଟୁଛି, ଗୁଣ୍ଡା ଲଗାଇ ପଇସା ଆଦାୟ କରୁଛି କମ୍ପାନୀ – ଜୟ ନାରାୟଣ ମିଶ୍ର
ଭୁବନେଶ୍ୱର : ଟାଟା କମ୍ପାନୀ ଦ୍ବାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ଚୁକ୍ତିନାମାକୁ ଉଲ୍ଲଂଘନ କରି ଦାଦାଗିରି କରୁଥିବା ନେଇ ବିରୋଧୀ ବିଜେପି ବିଧାୟକ ମାନେ ଉଦବେଗ ପ୍ରକାଶ କରିଛନ୍ତି । ଏହି ମାମଲାରେ ଦୃଷ୍ଟି ଦେବାକୁ ସେମାନେ ଅନୁରୋଧ କରିଛନ୍ତିା ଅନ୍ୟ ପକ୍ଷରେ ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଛନ୍ତି ଯେ ସେ ଏହି ମାମଲା ଉପରେ ଧ୍ୟାନ ଦେବା ସହ ସେ ସମସ୍ୟାର ସମାଧାନ ପାଇଁ ଶକ୍ତି ମନ୍ତ୍ରୀ ଓ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ ଟାଟା କମ୍ପାନୀ ସହ ରାଜ୍ୟ ସରକାରଙ୍କର ଯେଉଁ ଚୁକ୍ତି ନାମା ହୋଇଛି ସେଥିରେ ବକେୟା ଟଙ୍କା ଆଦାୟ କରିବାର କୌଣସି ଉଲ୍ଲେଖ ନାହିଁ । ଏହା ସତ୍ୱେ ଟାଟା କମ୍ପାନୀ ଚୁକ୍ତିନାମାକୁ ଉଲ୍ଲଂଘନ କରି ବକେୟା ଟଙ୍କା ଆଦାୟ କରୁଛି । ତେଣୁ ଗଣ୍ଡଗୋଳ ପରିସ୍ଥିତି ଉତ୍ପନ୍ନ ହେଉଛି । ସେମାନେ ଏହି କାମରେ ଗୁଣ୍ଡା ମାନଙ୍କୁ ବ୍ୟବହାର କରି ଲୋକ ମାନଙ୍କୁ ଧମକ ଚମକ ଦେବା ସହ ବିନା ନୋଟିସରେ ଲୋକ ମାନଙ୍କର ବିଜୁଳି କାଟି ଦେଉଛନ୍ତି । ଲୋକ ମାନଙ୍କର ବିଚିତ୍ର ବିଲ ଆସୁଛି । ଯେଉଁ ପରିବାର ଗୋଟିଏ ବଲବ ଜଳାଉଛି ତା ନିକଟକୁ ଏକ ଲକ୍ଷ ଟଙ୍କା ବିଲ ଆସିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି । ଏବେ ପିଲା ମାନଙ୍କର ପରୀକ୍ଷା ଥିବାରୁ ପାଠ ପଢା ରହିଥିବା ବେଳେ ଗରମ ଦିନ ଆସି ସାରିଲାଣି । ଏଭଳି ପରିସ୍ଥିତିରେ ଟାଟା କମ୍ପାନୀ ଦ୍ବାରା ଯେଭଳି ଲାଇନ କାଟ କରା ଯାଉଛି ତାହା ଠିକ ନୁହେଁ ବୋଲି କହିବା ସେ ବାଚସ୍ପତିଙ୍କୁ ଠାରୁ ରୁଲିଂ ଦାବି କରିଥିଲେ ।
