ରାଜନୀତିକୁ ଓହ୍ଲାଇବେ ସୁରଙ୍କ ପୁଅ
ଭୁୁବନେଶ୍ୱର : ଦୀର୍ଘ ଦିନ ହେବ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ରାଜନୀତି ଛାଡ଼ିବା ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ ଆଜି ସେଥିରେ ମୋହର ମାରିଛନ୍ତି ଖୋଦ ସୁର ରାଉତରାୟ । ଗୁରୁବାର ଗଣମାଧ୍ୟମ ସାମ୍ନାରେ ସେ କହିଛନ୍ତି ଯେ ମୋତେ ୮୦ ଛୁଇଁଲାଣି, ତେଣୁ ୨୦୨୪ ନିର୍ବାଚନରେ ଆଉ ମୁଁ ଲଢ଼ି ପାରିବିନି । ଏଥର ମୋ’ ସାନ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟରୁ ମଇଦାନକୁ ଓହ୍ଲାଇବ । ଏନେଇ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ମୁଁ ୫୫ ବର୍ଷ ହେଲାଣି କଂଗ୍ରେସରେ ଅଛି । ତେଣୁ ମୋ’ ଜନ୍ମ କଂଗ୍ରେସରେ ଓ ମୃତ୍ୟୁ ବି ଏଇଠି । କଂଗ୍ରେସ ଛଡ଼ା କୁଆଡ଼େ ଯିବାର ପ୍ରଶ୍ନ ବି ନାହିଁ । କେବଳ ମୁଁ ନୁହେଁ, ମୋ ପିଲା ବି ସମ୍ପୂର୍ଣ୍ଣ ରୂପେ କଂଗ୍ରେସ ସମର୍ଥକ । ଆଉ ସାନ ପୁଅ ବି କଂଗ୍ରେସ ଟିକେଟରୁ ହିଁ ନିର୍ବାଚନ ଲଢ଼ିବ । ଗତକାଲି ସୁର ରାଉତରାୟ ନିଜ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ ଭେଟିଥିଲେ । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସୁର ରାଉତରାୟଙ୍କ ବଡ଼ ପୁଅ ବିଜେଡିରେ ଯୋଗ ଦେଉଥିବା ଚର୍ଚ୍ଚା ଜୋର ଧରିଥିଲା । ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସମ୍ପର୍କରେ ପଚାରିବାରୁ ସୁର ରାଉତରାୟ କହିଛନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା, ସେଥିରେ କୌଣସି ରାଜନୀତିକରଣ ନାହିଁ ।
