ଜନପ୍ରତିନିଧି ମାନେ ସର୍ବଦା ରାଜ୍ୟର ବିକାଶ ଏବଂ ଜନକଲ୍ୟାଣ ପାଇଁ ପ୍ରଚେଷ୍ଟା କରିବେ ବୋଲି ନାଗରିକମାନେ ଆଶା ରଖିଥାନ୍ତି : ରାଷ୍ଟ୍ରପତି ମୁର୍ମୁ
ଅରୁଣାଚଳ ପ୍ରଦେଶ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ବୋଧନ
ଇଟାନଗର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (ମଙ୍ଗଳବାର) ଇଟାନଗର ଠାରେ ଅରୁଣାଚଳ ପ୍ରଦେଶ ବିଧାନ ସଭାର ସ୍ୱତନ୍ତ୍ର ଅଧିବେଶନକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଶୃଙ୍ଖଳା ଏବଂ ଅନୁଶାସନ ସଂସଦୀୟ ପ୍ରଣାଳୀର ପରିଚୟ ଅଟେ । ଆମେ ଏହା ସୁନିଶ୍ଚିତ କରିବା ଆବଶ୍ୟକ ଯେପରି ଆଲୋଚନାର ଉପାଦାନ ଓ ଗୁଣବତା ସର୍ବଦା ଉଚ୍ଚତମ ସ୍ତରର ହେବ । ଏହା ସହିତ ଆମେ ବିକାଶ ଏବଂ ଜନ କଲ୍ୟାଣ ବିଷୟରେ ସର୍ବ ସହମତି ସ୍ଥାପନ କରିବା ଆବଶ୍ୟକ । ସେ ଏହା ଉପରେ ନିଜର ସନ୍ତୋଷତା ପ୍ରକାଶ କରିଛନ୍ତି ଯେ ଅରୁଣାଚଳ ପ୍ରଦେଶ ବିଧାନସଭା ସଂସଦୀୟ ଗଣତନ୍ତ୍ରର ଉଚ୍ଚତମ ମାନକକୁ ବଜାୟ ରଖିଛି । ରାଷ୍ଟ୍ରପତି ସୁସ୍ଥ ଗଣତନ୍ତ୍ର ପାଇଁ ସର୍ବୋଚ୍ଚ ସମ୍ମାନ ବଜାୟ ରଖିବାକୁ ନେଇ ବିଧାନସଭାର ବର୍ତ୍ତମାନ ଓ ପୂର୍ବତନ ସଦସ୍ୟମାନଙ୍କୁ ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ ଆଜିର ଯୁଗରେ ପରିବେଶ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଆମକୁ ଶୀଘ୍ର ଏହି ସମସ୍ୟାର ସମାଧାନ ଖୋଜିବାକୁ ପଡିବ । ଅରୁଣାଚଳ ପ୍ରଦେଶ ପରି ଭୌଗୋଳିକ ସମ୍ବେଦନଶୀଳ ରାଜ୍ୟ ପାଇଁ ଏହି ବିଷୟଗୁଡ଼ିକ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ସନ୍ତୋଷତାର ସହିତ କହିଛନ୍ତି ଯେ ଏହି ରାଜ୍ୟର ନୀତି ନିର୍ଣ୍ଣୟକାରୀମାନେ ଏହି ସମସ୍ୟାର ଯତ୍ନ ନେଇଛନ୍ତି । ପାକ୍େକ ଘୋଷଣାନାମା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧତା ଦେଖାଇବାକୁ ଅରୁଣାଚଳ ପ୍ରଦେଶ ନିଷ୍ପତ୍ତି ନେଇଛି । ଜଳବାୟୁ ପରିବର୍ତ୍ତନ ସମସ୍ୟାର ମୁକାବିଲା ପାଇଁ ଅନ୍ୟ ରାଜ୍ୟମାନେ ମଧ୍ୟ ଏହି ମଡେଲ ଗ୍ରହଣ କରିବାକୁ ଆଗେଇ ଆସିବେ ବୋଲି ସେ ଆଶା ପ୍ରକଟ କରିଛନ୍ତି ।’ଡିଜିଟାଲ ଇଣ୍ଡିଆ ‘ କାର୍ଯ୍ୟକ୍ରମ ଅଧୀନରେ ‘ଇ-ବିଧାନ’ – କାଗଜହୀନ ଡିଜିଟାଲ ଯାତ୍ରା କାର୍ଯ୍ୟକାରୀ କରିଥିବାରୁ ରାଷ୍ଟ୍ରପତି ଅରୁଣାଚଳ ବିଧାନସଭାକୁ ପ୍ରଶଂସା କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ୨୦୨୨ ବର୍ଷକୁ \’ଇ-ଗଭର୍ନାନ୍ସ ବର୍ଷ\’ ଭାବରେ ଘୋଷଣା କରିଛନ୍ତି ଏବଂ ଅନେକ ଇ-ଗଭର୍ନାନ୍ସ ପ୍ରକଳ୍ପ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଏହି ପ୍ରକଳ୍ପଗୁଡିକ କେବଳ ପ୍ରଶାସନିକ ସଂସ୍କାରରେ ସହାୟକ ହେବ ନାହିଁ ବରଂ ସାଧାରଣ ନାଗରିକଙ୍କ ଜୀବନକୁ ସହଜ କରିବାରେ ମଧ୍ୟ ସହାୟକ ହେବ । ରାଷ୍ଟ୍ରପତି କହିଛନ୍ତି ଯେ ବିଦ୍ୟାଳୟ, କଲେଜ ଏବଂ ବିଶ୍ୱବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ବିଧାନସଭା ଲାଇବ୍ରେରୀ ମାଗଣାରେ ଉପଲବ୍ଧ ହେଉଛି । ସେ ଏହା ମଧ୍ୟ କହିଛନ୍ତି ଯେ \’ଆପଣଙ୍କର ବିଧାନସଭା ଜାଣନ୍ତୁ\’ ପଦକ୍ଷେପ ଅନୁଯାୟୀ ଏହି ବିଧାନସଭା ସମୟ ସମୟରେ ଛାତ୍ରମାନଙ୍କୁ ସେମାନଙ୍କୁ ବିଧାନସଭା କାର୍ଯ୍ୟକଳାପ ସହିତ ପରିଚିତ କରିବାକୁ ଆମନ୍ତ୍ରଣ କରିଥାଏ । ଯୁବ ପୀଢ଼ି ଏହି ସୁବିଧାଗୁଡ଼ିକର ଲାଭ ଉଠାଇ ଦେଶ ତଥା ରାଜ୍ୟର ପ୍ରଗତିରେ ସହଯୋଗ କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି ।ରାଷ୍ଟ୍ରପତି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ଶତାବ୍ଦୀ ଧରି ସ୍ୱ-ଶାସନ ଏବଂ ତୃଣମୂଳ ଗଣତନ୍ତ୍ରର ଏକ ଜୀବନ୍ତ ବ୍ୟବସ୍ଥା ରହିଆସିଛି । ଏହି ରାଜ୍ୟର ଲୋକମାନେ ଆଧୁନିକ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ସକ୍ରିୟ ଅଂଶଗ୍ରହଣ କରିଛନ୍ତି, ଯାହାକି ସେମାନଙ୍କର ରାଜନୈତିକ ଚେତନା ଏବଂ ଗଣତନ୍ତ୍ର ଉପରେ ବିଶ୍ୱାସକୁ ପ୍ରତିଫଳିତ କରିଥାଏ । ସେ କହିଛନ୍ତି ଯେ ନାଗରିକଙ୍କ ପ୍ରତିନିଧୀଙ୍କଠାରୁ ନାଗରିକମାନେ ଆଶା କରୁଛନ୍ତି ଯେ ସେମାନେ ରାଜ୍ୟ ତଥା ଜନ କଲ୍ୟାଣ ପାଇଁ ସର୍ବଦା ଯେପରି ଚେଷ୍ଟା କରିବେ । ରାଜ୍ୟର ସର୍ବୋଚ୍ଚ ନୀତି ନିର୍ଣ୍ଣୟକାରୀ ଭାବରେ ରାଜ୍ୟର ବିକାଶରେ ବିଧାନସଭା ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
ରାଷ୍ଟ୍ରପତି କହିଛନ୍ତି ଯେ ଆମ ଦେଶର ସାମଗ୍ରିକ ତଥା ସମନ୍ୱିତ ବିକାଶ ପାଇଁ ପ୍ରତ୍ୟେକ କାର୍ଯ୍ୟରେ ମହିଳାମାନଙ୍କର ଅଧିକ ଅଂଶଗ୍ରହଣ ହେବା ଉଚିତ୍ । ଅରୁଣାଚଳ ପ୍ରଦେଶ ବିଧାନସଭା ସମେତ ସମସ୍ତ ରାଜ୍ୟ ସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧି ହେବା ଉଚିତ । ରାଷ୍ଟ୍ରପତି କହିଛନ୍ତି ଯେ ଅରୁଣାଚଳ ପ୍ରଦେଶ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଭାରତର ଆକ୍ଟ ଇଷ୍ଟ ପଲିସିର ପ୍ରମୁଖ ଅଂଶୀଦାର ଅଟେ । ସଡକ, ରେଳ ଏବଂ ବାୟୁ ସଂଯୋଗ ଅଭାବ ହେତୁ ଉତ୍ତର-ପୂର୍ବ ଅଞ୍ଚଳ ଦୀର୍ଘ ଦିନରୁ ଅର୍ଥନୈତିକ ବିକାଶର ଲାଭରୁ ବଞ୍ଚିତ ହୋଇଆସୁଛି । କିନ୍ତୁ ଉତ୍ତର-ପୂର୍ବର ସଂଯୋଗ ଏବଂ ବିକାଶକୁ କେନ୍ଦ୍ର ସରକାର ସର୍ବାଧିକ ପ୍ରାଧାନ୍ୟ ଦେଉଛନ୍ତି । ସେ ଜାଣି ଖୁସି ହୋଇଛନ୍ତି ଯେ ଅରୁଣାଚଳ ପ୍ରଦେଶରେ ବିକାଶର ସୂର୍ଯ୍ୟ ଉଦିତ ହେଉଛି । ସେ କହିଛନ୍ତି ଯେ ସମୃଦ୍ଧ ପ୍ରାକୃତିକ ସମ୍ପଦ ଏବଂ ଗୁଣାତ୍ମକ ମାନବ ସମ୍ବଳ ସହିତ ଅରୁଣାଚଳ ପ୍ରଦେଶର ଏକ ଆକର୍ଷଣୀୟ ପୁଞ୍ଜି ବିନିଯୋଗ ଲକ୍ଷ୍ୟ ଏବଂ ବାଣିଜ୍ୟ ଏବଂ ବ୍ୟବସାୟର ଏକ ହବ୍ ହେବାକୁ ପୂର୍ଣ୍ଣ ସାମର୍ଥ୍ୟ ରହିଛି । ରାଷ୍ଟ୍ରପତି କହିଛନ୍ତି ଯେ ଏହି ଅଞ୍ଚଳର ଲୋକମାନେ ମୂଳରୁ ବିଚ୍ଛିନ୍ନ ନ ହୋଇ ବିକାଶ ପଥରେ ଆଗକୁ ବଢ଼ିବାକୁ ନିଶ୍ଚିତ କରିବାକୁ ହେଲେ ଆମକୁ ଏହି ଅଞ୍ଚଳର ପରମ୍ପରା, ସଂସ୍କୃତି ଏବଂ ମୂଲ୍ୟବୋଧର ସଂରକ୍ଷଣ ତଥା ପ୍ରଚାର ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଅରୁଣାଚଳ ପ୍ରଦେଶର ଲୋକ ପ୍ରତିନିଧୀ ଭାବରେ ରାଜ୍ୟର ସାଂସ୍କୃତିକ ମୂଲ୍ୟବୋଧ ତଥା ପରମ୍ପରାର ସମୃଦ୍ଧତା ରକ୍ଷା କରିବା ସହିତ ସାମାଜିକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବାରେ ଏହି ବିଧାନସଭାର ସଦସ୍ୟମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।
