ବିଶ୍ବଶାନ୍ତି ପାଇଁ ବାଲେଶ୍ଵରୀ ଜାଗର ଯାତ୍ରା
ବାଲେଶ୍ୱର : ବିଗତ ବର୍ଷ ପରି ଚଳିତ ବର୍ଷ ପବିତ୍ର ମହାଶିବରାତ୍ରି ଉତ୍ସବ ଅବସରରେ ବାଲେଶ୍ଵରର ଶିବଭକ୍ତ ମାନଙ୍କ ଦ୍ବାରା ପୁରାଣ ବର୍ଣ୍ଣିତ ବାଣାସୁର ରାଜା ପୂଜିତ ବାଣେଶ୍ବର, ବକ୍ରେଶ୍ବର, ମଣିନାଗେଶ୍ବର, ଖଜୁରେଶ୍ବର ଓ ଗାର୍ଗେଶ୍ବର ମହାଦେବ ମନ୍ଦିରର ବାଲେଶ୍ଵରୀ ଜାଗର ଯାତ୍ରା ସମାପନ ହୋଇଯାଇଛି ।
ଶିଳ୍ପୀ କେଶୁଦାସଙ୍କ ଆହ୍ବାନ କ୍ରମେ ସମାଜସେବୀ ସୁଧାକର ସେଠୀ ଓ ରଞ୍ଜିତ ପୃଷ୍ଟିଙ୍କ ନେତୃତ୍ୱରେ ୧୫ରୁ ଊର୍ଦ୍ଧ୍ଵ ଶିବଭକ୍ତ ବିଶ୍ବଶାନ୍ତି, ବାଲେଶ୍ଵରର ସର୍ବମଙ୍ଗଳ, ପଞ୍ଚ ମହାଦେବ ମନ୍ଦିରକୁ ତୀର୍ଥ ଓ ପର୍ଯ୍ୟଟନ ମାନ୍ୟତା କରି ଜାଗର ଯାତ୍ରା କରିଥିଲେ । ଅପରାହ୍ନ ୩ ଘଟିକାରେ ପୁରୁଣା ବାଲେଶ୍ଵରର ବାଣେଶ୍ବର ମହାଦେବ ମନ୍ଦିରରେ ସମସ୍ତେ ଏକାଠି ହୋଇ ଦର୍ଶନ ଓ ପୂଜନ କରି ବାଲେଶ୍ଵରୀ ଜାଗର ଯାତ୍ରା ଶୁଭାରମ୍ଭ କରିଥିଲେ । ଏଥିରେ ଗଦାଧର ମହାନ୍ତି, ମଲୟ ମହାରଣା, ଦେବାଶିଷ ପତି, କାର୍ତ୍ତିକ ଚନ୍ଦ୍ର ନାଥ, ସାଧବ ଦାସ, ସୁବେଶ ଭୋଇ, ପର୍ଶୁରାମ ପ୍ରଧାନ, ବିନ୍ଦୁଶ୍ରୀ ପଣ୍ଡା, ଗାୟତ୍ରୀ ଖଣ୍ଡା, ସୁରେଶ ଜେନା, ଧର୍ମପଦ ଭାଟି, ଶକ୍ତି ରାଥୋଡ଼ ପ୍ରମୁଖ ଯାତ୍ରା ଆରମ୍ଭ କରି ସାରଗାଁର ବକ୍ରେଶ୍ବର, ବର୍ଦ୍ଧନପୁରର ମଣିନାଗେଶ୍ବର, ସେରଗଡ଼ର ଖଜୁରେଶ୍ବର ଓ ରେମୁଣାର ଗାର୍ଗେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପ୍ରାୟ ୫୦ କିମିର ମଟର ସାଇକେଲ ଯାତ୍ରା ରାସ୍ତାରେ ବହୁ ଶିବଭକ୍ତ ସାମିଲ ହୋଇ ଯାତ୍ରାକୁ ସଫଳ କରିଥିଲେ । ସମସ୍ତ ମନ୍ଦିର କମିଟି କର୍ମକର୍ତ୍ତା ଓ ପୂଜକମାନେ ସ୍ବାଗତ କରିବା ସହ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ଯାତ୍ରାକୁ ସରସ, ସୁନ୍ଦର ଓ ବ୍ୟାପକ କରିବା ପାଇଁ ସମସ୍ତେ ପ୍ରତିଶ୍ରୁତି ଦେଇଥିଲେ ।
