ସୋରରେ ୨ଟି ଦୁର୍ଘଟଣାରେ ୨ ଯୁବକ ଗୁରୁତର
ସୋର : ସୋରର ୨ଟି ସ୍ଥାନରେ ଦୁର୍ଘଟଣା ଘଟି ୨ ଜଣ ଯୁବକ ଗୁରୁତର ଅବସ୍ଥାରେ ସୋରରୁ ବାଲେଶ୍ୱରକୁ ସ୍ଥାନୋନ୍ତରିତ ହୋଇଛନ୍ତି । ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ନୂଆଡାହି ଗ୍ରାମର ଏହି ଗ୍ରାମର ସୁରେନ୍ଦ୍ର ଚୌଧୁରୀଙ୍କ ପୁଅ ପ୍ରଶାନ୍ତ ଚୌଧୁରୀ ଆଜି ଅପରାହ୍ନରେ ବାଇକ ଯୋଗେ ଯାଉଥିବା ବେଳେ ସ୍ଥାନୀୟ ବାରୁଣୀଶ୍ୱର ପଡିଆ ନିକଟରେ ଏକ କୁକୁର ହଠାତ୍ ତାଙ୍କ ବାଇକ ସମ୍ମୁଖକୁ ଆସି ଯିବାରୁ ପ୍ରଶାନ୍ତ ଭାରସାମ୍ୟ ହରାଇ କୁକୁରକୁ ଧକା ଦେଇ ଗୁରୁତ୍ତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଅର୍ଜୁନ ସେବା ଆମ୍ବୁଲାନ୍ସରେ ତାଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ଥିବାରୁ ଡାକ୍ତର ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ସେହିପରି ସନ୍ଧ୍ୟାରେ ସୋର-କୁପାରି ରାସ୍ତା ବ୍ରାହ୍ମଣସାହି ନିକଟସ୍ଥ ପେଟ୍ରୋଲପମ୍ପ ସାମ୍ନାରେ ହଠାତ୍ ଏକ ଗାଡି ସାମ୍ନାକୁ ଆସିଯିବାରୁ ସୋର ବ୍ଲକ ମଧୁସୂଦନପୁର ପଂଚାୟତ ଖଜୁରିଡିହା ଗ୍ରାମର କରୁଣାକର ଜେନାଙ୍କ ପୁଅ ଦିନେଶ କୁମାର ଜେନା ଦୁର୍ଘଟଣାଗ୍ରସ୍ତ ହୋଇ ଗୁରୁତର ଆହତ ହୋଇଥିଲେ । ତାଙ୍କ ମୁଣ୍ଡ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
