ମୁକ୍ତା ଯୋଜନାରେ କାର୍ଯ୍ୟାଦେଶ ବଂଟନ କଲେ ଜିଲ୍ଲାପାଳ ବାରିପଦାର ୩୦ଟି ସ୍ୱୟଂ ସହାୟକ ଗୋଷ୍ଠୀ ବିଭିନ୍ନ ସ୍ଥାନରେ ନିର୍ମାଣ କରିବେ ପରିସ୍ରାଗାର
ବାରିପଦା : ମୁଖ୍ୟମନ୍ତ୍ରୀ କର୍ମତତ୍ପରତା ଅଭିଯାନ ମୁକ୍ତା ଯୋଜନାରେ ଆଜି ବାରିପଦା ପୌରପାଳିକା ତରଫରୁ ସହରର ବିଭିନ୍ନ ସ୍ଥାନରେ ମହିଳା ଓ ପୁରୁଷଙ୍କ ପାଇଁ ପରିଶ୍ରାଗାର ନିର୍ମାଣ ନିମନ୍ତେ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଦ୍ୱାରା ବିଭିନ୍ନ ୱାର୍ଡର ୩୦ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । ସହରର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଆର୍ôଥକ କ୍ଷେତ୍ରରେ ଆତ୍ମନିର୍ଭରତା ଏବଂ ପୌରାଂଚଳ ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ଲଗାଯାଇ ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ଏହା ବେଶ ସହାୟକ ହେବ ବୋଲି କୁହାଯାଇଛି । ସେହିପରି ୨ ନଂ ୱାର୍ଡରେ ୪ ଗୋଟି ପେଭର ରାସ୍ତା ନିର୍ମାଣ ପାଇଁ ୱାର୍ଡର ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀକୁ ମଧ୍ୟ କାର୍ଯ୍ୟାଦେଶ ବଂଟନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ବିଶ୍ୱକପ ହକି ପ୍ରତିଯୋଗିତା ଅବସରରେ ବିଶ୍ୱକପ ହକି ଟ୍ରଫି ପରିକ୍ରମାରେ ସଫଳତା ଅର୍ଜନ କରିଥିବାରୁ ମୟୂରଭଂଜ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିବାରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିନୀତ ଭରଦ୍ୱାଜଙ୍କୁ ବାରିପଦା ପୌରପାଳିକା ତରଫରୁ ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ଉପ-ନଗରପାଳ ସୀମା ଦାସ ଏବଂ ଅନ୍ୟାନ୍ୟ କାଉନସିଲର ମାନେ ସମ୍ବର୍ଦ୍ଧିତ କରିଥିଲେ । ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମ୍ମାନୀତ ଅତିଥି ଭାବେ ଜିଲ୍ଲାପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାର, ପୌର ନିର୍ବାହୀ ଅଧିକାରୀ ରାଖାଲଚନ୍ଦ୍ର ପରିଡାଙ୍କ ସମେତ ପୌରପରିଷଦର କାଉନସିଲର ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ । କନିଷ୍ଠ ଯନ୍ତ୍ରୀ ମନମୋହନ ମହାପାତ୍ର, ଦେବାଶିଷ ସ୍ୱାଇଁ, ଅଜୟ ଦାସ, ମୁକ୍ତା ବିଭାଗର ମନୋରଂଜନ ପାଣିଗ୍ରାହୀ, ମନୋରଂଜନ ବେହେରା, ରାଜେନ୍ଦ୍ର ବେହେରା, ପଙ୍କଜ ମିଶ୍ର, ଦିଲ୍ଲୀପ ସିଂ, ତାପସ ନାୟକ, ପୁଷ୍ପଲତା ପଣ୍ଡା ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।
