ଅଲ ଓଡ଼ିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ର ଦ୍ୱାଦଶ ସାଧାରଣ ପରିଷଦ ଅଧିବେଶନ, ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ
ବାଲେଶ୍ୱର : ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଏକ ଘରୋଇ ହୋଟେଲ ସଭାଗୃହରେ ଅଲ ଓଡ଼ିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ୍ର ଦ୍ୱାଦଶ ସାଧାରଣ ପରିଷଦ ଅଧିବେଶନ ରବିବାର ଅନୁଷ୍ଠିତ ହୋଇଛି ।
ସଂଗଠନର ସଭାପତି ଡା. ସୁବ୍ରତ ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଧିବେଶନରେ ସମ୍ପାଦକ ଡା. ଇନ୍ଦ୍ରମଣି ଜେନା, କୋଷାଧ୍ୟକ୍ଷ ଡା. ଦେବଦତ କୁମାର ସାହୁ, ଉପ-ସଭାପତି ଡା. ରବୀନ୍ଦ୍ର କୁମାର ପ୍ରଧାନ ଓ ଡା. ସୁରେଶ କୁମାର ଅଗ୍ରୱାଲ, ସହ-ସମ୍ପାଦକ ଡା. ସଂଗ୍ରାମ କୁମାର ମହାପାତ୍ର, ଅଜୟ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ବେସରକାରୀ ଚିକିତ୍ସା ସଂସ୍ଥା ପରିଚାଳନାରେ ଉପୁଜିଥିବା ବିଭିନ୍ନ ସମସ୍ୟା ଓ ତା’ର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ସଂସ୍ଥା ସରକାରୀ ନିୟମ ପାଳନ କରି ଚାଲିଥିବା ବେଳେ ଯାଞ୍ଚ ଆଳରେ ସରକାରୀ ଅଧିକାରୀଙ୍କ ଦୌରାତ୍ମ୍ୟ ବଢ଼ି ଚାଲିବାକୁ ନେଇ ଏହି ଅଧିବେଶନରେ ଉଦ୍ବେଗ ପ୍ରକାଶ ପାଇଥିଲା । ବିଶେଷ କରି ଭ୍ରୁଣ ନିରୂପଣ ନିୟମକୁ ନେଇ ଅଲଟ୍ରାସାଉଣ୍ଡ ମେସିନ ବ୍ୟବହାର କରୁଥିବା ସଂସ୍ଥା ଉପରେ ବାରମ୍ବାର ଅଯଥା ଚଢ଼ଉ, ଜରିମାନା ଆଦାୟକୁ ନେଇ ସଂଗଠନର କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଥିଲେ । ଅଗ୍ନି ନିର୍ବାପକ ଓ ପ୍ରଦୂଷଣ ବାବଦୀୟ ପ୍ରମାଣପତ୍ର ପାଇବାରେ ସରକାରୀ ଉଦାସୀନତାକୁ ନେଇ ସେମାନେ ଚିନ୍ତା ପ୍ରକଟ କରିଥିଲେ । ସବୁଠାରୁ ବଡ଼କଥା ହେଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀ ପରିବାରଙ୍କ ଚିକିତ୍ସା କରି ମାସ ମାସ ବିତି ଯାଉଥିଲେ ବି ଧାର୍ଯ୍ୟ ଅର୍ଥରାଶି ମିଳୁ ନଥିବାକୁ ନେଇ ଏହି ଅଧିବେଶନରେ କର୍ମକର୍ତ୍ତାମାନେ ଉଦ୍ବେଗ ପ୍ରକାଶ କରିଥିଲେ । ସେହିପରି ସରକାରୀ ଡାକ୍ତରଖାନାରେ ଡାକ୍ତର ଓ କର୍ମଚାରୀଙ୍କୁ ସୁରକ୍ଷା ମିଳୁଥିବା ବେଳେ ବେସରକାରୀ କ୍ଲିନିକରେ କୌଣସି ଅଘଟଣ ବେଳେ ପ୍ରଶାସନ କିମ୍ବା ପୋଲିସ ତତ୍ପରତା ପ୍ରକାଶ ନ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେମାନେ କହିଥିଲେ । ତେବେ ଏହି ସମସ୍ୟାକୁ ନେଇ ଆଗାମୀ ଦିନରେ ସଂଗଠନ ପକ୍ଷରୁ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ସମ୍ପାଦକ ଡାକ୍ତର ଜେନା ସୂଚନା ଦେଇଥିଲେ ।
ଏହି ଅଧିବେଶନର ଆୟୋଜକ ବାଲେଶ୍ୱର ଶ୍ରୀରାମ ହସପିଟାଲର ମୁଖ୍ୟ ଡାକ୍ତର ସୁରେଶ ଅଗ୍ରୱାଲ ଦିବସବ୍ୟାପୀ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ରୂପରେଖ ସମ୍ପର୍କରେ କହିଥିଲେ । ଏହି ଅବସରରେ ଆଗାମୀ ବର୍ଷ ପାଇଁ ସଂଗଠନର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା । ଡା. ସୁବ୍ରତ ଜେନା ସଭାପତି, ଡା. ରବୀନ୍ଦ୍ର କୁମାର ପ୍ରଧାନ ପରବର୍ତ୍ତୀ ସଭାପତି, ଡା. ଇନ୍ଦ୍ରମଣି ଜେନା ମୁଖ୍ୟ ସମ୍ପାଦକ, ଡା. ସୁରେଶ କୁମାର ଅଗ୍ରୱାଲ, ଡା. କେସି ମହାନ୍ତି, ଡା. ପ୍ରଭାସ ମହାନ୍ତି, ଡା. ମୋହନଲାଲ ଜୈନ ଓ ଇଂ. ରାଜେଶ ମିଶ୍ର ଉପ-ସଭାପତି, ଡା. ସଂଗ୍ରାମ କେଶରୀ ମହାପାତ୍ର ଓ ଇଂ. ମନୋଜ କୁମାର ରଥ ସମ୍ପାଦକ, ଡା. ଦେବଦତ୍ତ କୁମାର ସାହୁ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି । ଏଥିସହିତ ରାଜ୍ୟର ବିଭିନ୍ନ ଜୋନରୁ ସଭାପତି ଓ ସମ୍ପାଦକଙ୍କୁ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଚୟନ କରାଯାଇଥିଲା । ସମଗ୍ର ଓଡ଼ିଶାର ବିଭିନ୍ନ ଜିଲାର ବେସରକାରୀ କ୍ଲିନିକର ମୁଖ୍ୟମାନେ ଏହି ଅଧିବେଶନରେ ଯୋଗ ଦେଇଥିଲେ ।
