ବାରିପଦା ଠାରେ ଆଂଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ
କୃଷି କେବଳ କ୍ଷୁଧା ନିବାରଣ ରେ ସୀମିତ ନରହି ଅପପୃଷ୍ଟି ରୋକିବା ଦିଗରେ ସହାୟକ ହେବା ଦରକାର
ବାରିପଦା : ଆଜି ବାରିପଦା ସ୍ଥିତ ଛଉ ପଡିଆ ଠାରେ ଆଂଚଳିକ କୃଷି ମହୋତ୍ସବ ଓ ଜିଲ୍ଲା କୃଷି ଯନ୍ତ୍ରପାତି ମେଳା ଉଦଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ମୟୁରଭଂଜ ଜିଲ୍ଲା ସମେତ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ଯାଜପୁର ଜିଲ୍ଲା କୁ ନେଇ ଆୟୋଜିତ ଉକ୍ତ ମେଳା କୁ ଆଜିର ମୁଖ୍ୟ ଅତିଥି ଭାବରେ ଓଡିଶାର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନ୍ୟାନ୍ୟ ନିମନ୍ତ୍ରିତ ଅତିଥି ମାନଙ୍କ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲାପରିଷଦ ସଭାପତି ଭାରତୀ ହାଁସଦା, ମୟୁରଭଂଜ ଜିଲ୍ଲପାଳ ବିନୀତ ଭରଦ୍ୱାଜ, ଖାଦ୍ୟ ଉତ୍ପାଦନ ଓ ପ୍ରକ୍ରିୟାକରଣ ନିର୍ଦେଶକ ପ୍ରେମ ଚାନ୍ଦ ଚୌଧୁରୀ, ଉଦ୍ୟାନ ବିଭାଗ ଡାଇରେକଟର ରୋହିତ କୁମାର ଲେଙ୍କା, ଜ଼ିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୌଲତ ଚନ୍ଦ୍ରକାର,ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୋରଡା ବିଧାୟକ ଶ୍ରୀ ରାଜ କିଶୋର ଦାସ, ବାଙ୍ଗରିପୋଷୀ ବିଧାୟକ ସୁଦାମ ମାରାଣ୍ଡି ଏବଂ ଏଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି ପ୍ରମୁଖ ଯୋଗ ଦେଇ ଓଡିଶା କିଭଳି କୃଷି ଓ କୃଷକ ସଶକ୍ତି କରଣ କ୍ଷେତ୍ରରେ ବିଭିନ୍ନ ଯୋଜନା ମାନ ପ୍ରଣୟନ କରି ସଫଳତା ପାଇଛି ସେ ବିଷୟରେ ବକ୍ତବ୍ୟ ରଖିଥିଲେ । କୃଷି କେବଳ କ୍ଷୁଧା ନିବାରଣ ରେ ସୀମିତ ନରହି ଉତ୍ପାଦିତ ଖାଦ୍ୟ ଯେମିତି ରକ୍ତହୀନତା ଓ ଅପପୃଷ୍ଟିକୁ ରୋକିବା ଦିଗରେ ସହାୟକ ହେବ ସେ ଦିଗରେ ମଧ୍ୟ୍ୟ ସରକାର ଧ୍ୟାନ ଦେଇ ମିଲେଟ ମିଶନ ଭଳି ଯୋଜନା ପ୍ରଣୟନ କରାଯାଇଛି । ଏହି ମେଳା ରେ ବିଭିନ୍ନ ପ୍ରକାର ୧୧୫ ଟି ଷ୍ଟଲ ଖୋଲା ଯାଇ ଏଥିରେ ବିଭିନ୍ନ ଏଗ୍ରୋ ଇଣ୍ଡଷ୍ଟ୍ରିଜ, ବ୍ୟାଙ୍କର, କୃଷକ, ମିଶନ ଶକ୍ତି ଗ୍ରୁପ ଅଂଶ ଗ୍ରହଣ କରିଛନ୍ତି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ତଥା ଅନ୍ୟାନ୍ୟ ଅତିଥି ମାନେ ଚାଷ କ୍ଷେତ୍ରରେ ସଫଳତା ହାସଲ କରିଥିବା ଅଗ୍ରଣୀ ଚାଷୀ ମାନଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର କୃଷି ବିଭାଗ ଅଧିକ୍ଷଣ ଯନ୍ତ୍ରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ରେ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ. ପ୍ରକାଶ ଥାଉକି ଏହି ମେଳା ଆଜି ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
