ଅସୁସ୍ଥ ମାଈ ହାତୀର ଚିକିତ୍ସା ଆରମ୍ଭ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଘୁମୁସର ବନଖଣ୍ଡ ଅଧିନ ଗାଲେରୀ ବନାଚଂଳ ଲେଙ୍ଗଡ଼ା ଗ୍ରାମ ନିକଟସ୍ଥ ଚାଷଜମିରେ ଏକ ଅସୁସ୍ଥ ମାଈ ହାତୀକୁ ଠାବ କରାଯାଇଛି । ଦୁଇ ଦିନ ହେଲା ହାତୀଟି ସେଠାରେ ବୁଲୁଥିବା ବେଳେ ତାର ଚିକିତ୍ସା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ବନ ବିଭାଗ କର୍ମଚାରୀ ମାନେ ବିଭିନ୍ନ ପନିପରିବା ଓ ଫଳ ରେ ହାତୀଟିକୁ ଔଷଧ ଖାଇବାକୁ ଦେଉଛନ୍ତି । ହାତୀଟିର ଉନ୍ନତମାନର ଚିକିତ୍ସା ପାଇଁ ଭୁବନେଶ୍ୱର ନନ୍ଦନକାନନରୁ ଏକ ଡ଼ାକ୍ତରୀ ଟିମ୍ ଗତକାଲି ସଂନ୍ଧ୍ୟାରେ ଘଟଣାସ୍ଥଳରେ ପହଂଚିଛନ୍ତି । ଏହି ଟିମ୍ ହାତୀ ବୁଲୁଥିବା ସ୍ଥାନକୁ ଯାଇ ହାତୀଟିର ଚିକିତ୍ସା ଆରମ୍ଭ କରିଛନ୍ତି । ଗତ ଶୁକ୍ରବାର ଦିନ ବଦାଙ୍ଗି ସେକ୍ସନରେ ଉକ୍ତ ହାତୀଟି ପଲରୁ ଅଲଗା ହୋଇ ଏକୁଟିଆ ବୁଲୁଥିଲା । ଗତକାଲି ତାକୁ ଟୁଇଁପଦର ଓ ଲେଙ୍ଗଡ଼ା ଗ୍ରାମ ମଧ୍ୟରେ ଠାବ କରାଯାଇଥିଲା । ସେ ଅସୁସ୍ଥ ଥିବା ଜଣାପଡିବା ପରେ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚିଥିଲେ । ଦୁର୍ବଳତା ହେତୁ ହାତୀଟି ଚଲାବୁଲା କରିପାରୁନି । ହାତୀର ପାଟିରୁ ଲାଳ ବାହାରୁଥିବା ଦେଖିବାକୁ ପାଇଛନ୍ତି ଲୋକେ । ବନ ବିଭାଗ କର୍ମଚାରୀ ମାନେ ହାତୀର ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଥିବା ଘୁମୁସର ବନଖଣ୍ଡ ଡିଏଫଓ ସୂଚନା ଦେଇଛନ୍ତି ।
