‘ଡିଭାଇନ୍ ଟାଇଡ୍’ ଆଲ୍ବମ୍ ନିମନ୍ତେ ‘ଗ୍ରାମି ପୁରସ୍କାର’ ଜିତିଲେ ରିକି କେଜ୍
ନୂଆଦିଲ୍ଲୀ : ‘ଡିଭାଇନ୍ ଟାଇଡ୍’ ଆଲ୍ବମ୍ ନିମନ୍ତେ ଭାରତର ରିକି କେଜ୍ ଚଳିତ ବର୍ଷ ‘ଗ୍ରାମି ପୁରସ୍କାର’ ବିଜୟୀ ହୋଇଛନ୍ତି। ତାଙ୍କର ଏହି ଆଲ୍ବମ୍ ‘ବେଷ୍ଟ୍ ଇମର୍ସିଭ୍ ଅଡିଓ ଆଲ୍ବମ୍’ ବର୍ଗରେ ନୋମିନେଟ୍ ହୋଇଥିଲା।
୬୫ତମ ସଙ୍ଗୀତ ପୁରସ୍କାର ପ୍ରଦାନ ଉତ୍ସବରେ ଏହି ପୁରସ୍କାରକୁ ସେ ପ୍ରସିଦ୍ଧ ବ୍ରିଟିସ୍ ରକ୍ ବ୍ୟାଣ୍ଡ୍ ‘ଦି ପୋଲିସ୍’ର ବାଦ୍ୟକାର ଷ୍ଟୁଆର୍ଟ କୋପ୍ଲ୍ୟାଣ୍ଡ୍ଙ୍କ ସହିତ ମିଳିତ ଭାବେ ଗ୍ରହଣ କରିଛନ୍ତି। ଏହି କୃତ୍ବିତ୍ବ ସହିତ ୩ଟି ‘ଗ୍ରାମି ପୁରସ୍କାର’ ଜିଣିବାରେ କେଜ୍ ହେଉଛନ୍ତି ଜଣେ ମାତ୍ର ଭାରତୀୟ।
ପୂର୍ବରୁ ‘ବେଷ୍ଟ୍ ନିଉ ଏଜ୍ ଆଲ୍ବମ୍’ ବର୍ଗରେ ରିକି ଦୁଇଟି ‘ଗ୍ରାମି ପୁରସ୍କାର’ ପାଇଥିଲେ। ୨୦୧୫ରେ ଆଲ୍ବମ୍ ‘ୱିଣ୍ଡସ୍ ଅଫ୍ ସଂସାର’ ଏବଂ ୨୦୨୨ରେ ଆଲ୍ବମ୍ ‘ଡିଭାଇନ୍ ଟାଇଡ୍’ ପାଇଁ ସେ ‘ଗ୍ରାମି ପୁରସ୍କାର’ ପାଇଥିଲେ। ଏ ବର୍ଷ ମଧ୍ୟ ସେ ଏହି ଆଲ୍ବମ୍ ପାଇଁ ପୁରସ୍କାର ପାଇଛନ୍ତି।
ତୃତୀୟ ଥର ପାଇଁ ପୁରସ୍କାର ପାଇବା ପରେ ରିକି କେଜ୍ ପୁରସ୍କାର ଗ୍ରହଣ ସମୟର ଫଟୋ ସାମାଜିକ ଗଣମାଧ୍ୟମରେ ସେୟାର୍ କରି ଲେଖିଛନ୍ତି: ସୁପର୍ ଗ୍ରେଟ୍ଫୁଲ୍, ମାଇଁ ଥାର୍ଡ ‘ଗ୍ରାମି ଆୱାର୍ଡ’। ଯୁକ୍ତରାଷ୍ଟ୍ର ଆମେରିକାର ଲସ୍ ଏଞ୍ଜେଲେସ୍ସ୍ଥିତ କ୍ରିପ୍ଟୋ ଡଟ୍ କମ୍ ରଙ୍ଗମଞ୍ଚରେ ଆୟୋଜିତ ବିଶାଳ ସମାରୋହରେ ‘ଗ୍ରାମ୍ଫୋନ୍ ଟ୍ରଫି’ ଗ୍ରହଣ କରିଛନ୍ତି। ଏହି ବର୍ଗରେ ଥିବା ଅନ୍ୟ ନୋମିନିମାନେ ହେଉଛନ୍ତି, କ୍ରିଷ୍ଟିନା ଅଗୁଇଲେରା (ଅଗୁଇଲେରା), ଦି ଚେନ୍ସ୍ମେକର୍ସ (ମେମୋରିଜ୍… ଡୁ ନଟ୍ ଓପେନ୍), ଜେନ୍ ଇବ୍ରାବ୍ଲୁମ୍ (ପିକ୍ଚରିଙ୍ଗ୍ ଦି ଇନ୍ଭିଜିବଲ୍- ଫୋକସ୍ ୧), ଏବଂ ନିଡାରୋସ୍ଡୋମେନ୍ସ୍ ଜେନ୍ଟେକୋର୍ ଆଣ୍ଡ୍ ଟ୍ରୋନ୍ଡିହିମସୋଲିଷ୍ଟେନ୍ (ତୁଭାହ୍ୟୁନ୍- ବିଟିଚ୍ୟୁଡ୍ସ୍ ଫର୍ ଏ ଉଣ୍ଡେଡ୍ ୱାର୍ଲଡ୍)।
‘ଡିଭାଇନ୍ ଟାଇଡ୍ସ୍’ ହେଉଛି ୯ଟି ଗୀତ ଥିବା ଆଲ୍ବମ୍ ଯେଉଁଥିରେ ବାର୍ତ୍ତା ରହିଛି ଯେ, ପ୍ରତ୍ୟେକ ବ୍ୟକ୍ତିର ଜୀବନ ସମସ୍ତଙ୍କୁ ସମାନ ଭାବେ ସୁହାଇବା ଭଳି ଭାରସାମ୍ୟ ରକ୍ଷା କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି। ରିକିଙ୍କ ପରିବାରର ମୂଳ ବାସସ୍ଥାନ ବେଙ୍ଗାଲୁରୁ କିନ୍ତୁ, ସେ ଆମେରିକାରେ ଜନ୍ମ ଗ୍ରହଣ କରିଥିଲେ।
