ଭିଜିଲାନ୍ସ ଜାଲରେ ଜିଏମ ବ୍ରହ୍ମପୁର ସହର ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ
ଗଞ୍ଜାମ : ଭିଜିଲାନ୍ସ ଜାଲରେ ପଡିଛନ୍ତି ବ୍ରହ୍ମପୁର ଟିପିଏସଓଡିଏଲ କର୍ପୋରେଟ ଅଫିସ ର ବରିଷ୍ଠ ଜେନେରାଲ ମ୍ୟାନେଜର(ଜିଏମ) ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢ଼ଉ ହୋଇଛି । ପ୍ରମୋଦଙ୍କ ବ୍ରହ୍ମପୁର କୋର୍ଟପେଟା ସ୍ଥିତ କାର୍ଯ୍ୟାଳୟ, ବ୍ରହ୍ମପୁର ସହର ସିଦ୍ଧାର୍ଥ ନଗର ପ୍ରଥମ ଲେନ୍ ରେ ଥିବା ତିନି ମହଲା ବିଶିଷ୍ଟ ଘର ସମେତ ପୁରୀ ଓ ଗଞ୍ଜାମର ଏକକାଳୀନ ୧୦ଟି ସ୍ଥାନରେ ଏହି ଚଢ଼ଉ ହୋଇଛି । ଚଢ଼ଉ ବେଳେ ତାଙ୍କର ତିନୋଟି କୋଠା, ଗୋଟିଏ ଫ୍ଲାଟ, ଗୋଟିଏ ଫାର୍ମ ହାଉସ୍, ୯ଟି ପ୍ଲଟ ଠାବ କରାଯିବା ସହିତ ନଗଦ ୫୪ ହଜାର ୯୦୦ ଟଙ୍କା, ଗୋଟିଏ ଚାରିଚକିଆ, ଗୋଟିଏ ତିନି ଚକିଆ, ୩ଟି ଦୁଇ ଚକିଆ ଯାନ ଜବତ ହୋଇଛି । ବ୍ୟାଙ୍କ ଓ ଇନ୍ସୁରାନ୍ସ ଡିପୋଜିଟ୍ ଓ ଅନ୍ୟାନ୍ୟ କାଗଜପତ୍ର ଯାଂଚ୍ କରୁଛି ଭିଜିଲାନ୍ସ । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ । ଏହି ଚଢ଼ଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି ଓ ୧୨ ଜଣ ଇନ୍ସପେକ୍ଟର ସାମିଲ୍ ରହିଛନ୍ତି ।
