ଅଯୋଧ୍ୟାରେ ଖୋଲିବ ସବ୍-ପୋଷ୍ଟ ଅଫିସ
ନୀଳଗିରି : ନୀଳଗିରି ବ୍ଲକ ଭଉଁରିଆବାଡ଼ ବ୍ରାଞ୍ଚ ପୋଷ୍ଟ ଅଫିସକୁ ସବ୍-ପୋଷ୍ଟ ଅଫିସ ମାନ୍ୟତା ଦେଇ ଅଯୋଧ୍ୟା ଗାଁରେ ମୁଖ୍ୟ ଶାଖା ଖୋଲିବା ସହ ଅଯୋଧ୍ୟା ସବ୍-ପୋଷ୍ଟ ଅଫିସ ନାମରେ ନାମିତ କରିବାକୁ ବାଲେଶ୍ୱର ଏମ୍ପି ଗତ ୨୦୨୨ ନଭେମ୍ବର ୨୪ତାରିଖ ଦିନ କେନ୍ଦ୍ର ରେଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଥିଲେ ।


ଅଯୋଧ୍ୟା ଠାରେ ବିଭିନ୍ନ ସ୍କୁଲ, କଲେଜ, ହସପିଟାଲ, ପୋଲିସ ଫାଣ୍ଡି ସହିତ ବହୁ ସରକାରୀ ଦପ୍ତର ଥିବା ଚିଠିରେ ଉଲ୍ଲେଖ କରିଥିଲେ । ଏତଦ୍ବ୍ୟତିତ ଉଚ୍ଚଶୀକ୍ଷିତ ଏହି ଗାଁରେ ଐତିହାସିକ ସ୍ଥଳ ଥିବା ବେଳେ ଏକ ସଂଗ୍ରାହଳୟ ମଧ୍ୟ ରହିଛି । ଉକ୍ତ ଗାଁରେ ବହୁ ପୁରାତନ ପଥର ମୂର୍ତ୍ତି ମିଳୁଥିବା ବେଳେ ଆଖାପାଖ ଅଞ୍ଚଳରେ ମଧ୍ୟ ପୁରାତନ ପଥର ମର୍ତ୍ତି ମିଳୁଥିବାର ନଜିର ରହିଛି । ତେଣୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଏହି ଗାଁକୁ ଆସୁଥିବା ବେଳେ ଗ୍ରାମର ପ୍ରତ୍ୟେକ୍ଷ ଦେବୀ ମା’ ମାରିଚୀ ଦେବୀଙ୍କୁ ମଧ୍ୟ ଦର୍ଶନ କରିଥାନ୍ତି । ତେଣୁ ଭଉଁରିଆବାଡ଼ ବ୍ରାଞ୍ଚ ପୋଷ୍ଟଅଫିସକୁ ଅପ୍ଗ୍ରେଡେସନ କରାଯାଇ ଅଯୋଧ୍ୟାରେ ସବ୍-ପୋଷ୍ଟ ଅଫିସ କରିବାକୁ ଅଞ୍ଚଳବାସୀଙ୍କ ଦାବୀକୁ ଏମ୍ପି ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ର ମନ୍ତ୍ରୀଙ୍କ ଠାରେ ଦାବୀ ରଖିଥିଲେ । ଏହାର ଉତ୍ତରରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏନେଇ ପ୍ରକ୍ରିୟା ଜାରି ରହିଥିବାର ଏମ୍ପିଙ୍କୁ ଚିଠି ଲେଖିଛନ୍ତି । ଫଳରେ ଅଯୋଧ୍ୟରେ ସବ୍-ପୋଷ୍ଟଅଫିସ ଖୋଲିବାର ଆଶା ଉଜ୍ଜୀବିତ ହୋଇଛି ।
