ବାଇକ ସହ ଗଞ୍ଜେଇ ଜବତ,୨ ଗିରଫ
ବୋରିଗୁମ୍ମା : ବିସଂହପୁର ପୁଲିସ ଦ୍ୱାରା ରାଣିଗଡ ଛକ ନିକଟରୁ ୨୨ କିଲୋ ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବାବେଳେ ଘଟଣାରେ ଦୁଇଜଣଙ୍କୁ ଗିରଫ କରା ଯାଇଥିବା ବୋରିଗୁମ୍ମା ଏସଡିପିଓ ମଧୁସ୍ମିତା ମିଶ୍ର ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ବଡପୁଜାରିଗୁଡା ଗ୍ରାମର ସୁବାସ ନାୟକ(୪୭) ଓ ବେଣୁ ନାୟକ(୪୫) ବୋଲି ଜଣା ପଡିଛି । କୋରାପୁଟ ଆଡୁ ରାଣିଗଡ ରାସ୍ତାରେ ଗିରଫ ଦୁଇ ଅଭିଯୁକ୍ତ ଓଡି-୦୮ଇ ୧୯୨୩ ନମ୍ବର ମୋଟର ସାଇକଲରେ ଗଞ୍ଜେଇ ନେଇ ଯାଉଥିବା ସୂଚନା ଏସପି ଅଭିନବ ସୋନକାରଙ୍କ ହସ୍ତଗତ ହୋଇଥିଲା । ଏସପିଙ୍କ ଠାରୁ ସୂଚନା ପାଇବା ପରେ ବୋରିଗୁମ୍ମା ଏସଡିପିଓ ମଧୁସ୍ମିତା ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ବିସିଂହପୁର ଥାନାର ଏଏସଆଇ ସୁରେନ୍ଦ୍ର କୁମାର ସେଠୀ ପୁଲିସ ଟିମ ସହ ରାଣିଗଡ ଛକରେ ନାକାବନ୍ଦି କରିଥିଲେ । ଉକ୍ତ ବାଇକ ଆସିବା ମାତ୍ରେ ପୁଲିସ ଟିମ ଅଟକାଇ ଯାଂଚ୍ କରିବା ବେଳକୁ ସେମାନେ ଧରିଥିବା ଥିବା ଏକ ଜରି ଅଖାରେ ଗଞ୍ଜେଇ ଥିବା ଜଣା ପଡିଥିଲା । ଏକ୍ସିକ୍ୟୁଟିଭି ମାଜିଷ୍ଟ୍ରେଟ ତଥା ବୋରିଗୁ୍ମା ଅତିରିକ୍ତ ତହସିଲଦାର ସଂଜୀବ କୁମାର କୁଲୁଙ୍କ ଉପସ୍ଥିତିରେ ଜରି ଅଖାରେ ଥିବା ଗଞ୍ଜେଇ ଓଜନ କରିବା ପରେ ସେଥିରୁ ୨୨ କିଲୋ ୪୦୦ ଗ୍ରାମ ଗଞ୍ଜେଇ ମିଳିଥିଲା । ବିସିଂହପୁର ଥାନାରେ ଏନଡିପିଏସ୍ ଆକ୍ଟରେ ଏକ ମାମଲା (କେଶ୍ ନଂ-୧୧/୨୦୨୩) ରୁଜୁ କରି ଥାନା ଅଧିକାରୀ ସମ୍ବିତ କୁମାର ସ୍ୱାଇଁ ଘଟଣାର ତଦନ୍ତ କରୁଥିବା ଏସଡିପିଓ ସୂଚନା ଦେଇଛନ୍ତି । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ ଲକ୍ଷ ୨୮ ହଜାର ଟଙ୍କା ହେବ ବୋଲି ଜଣା ପଡିଛି ।
