ବିଶ୍ୱବିଦ୍ୟାଳୟରେ ଇ-ରିସୋର୍ସ ସେଂଟର ଉଦ୍ଘାଟିତ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ଗ୍ରନ୍ଥାଗାର ପରିସରରେ ଛାତ୍ରଛାତ୍ରୀ ତଥା ଗବେଷକଙ୍କ ନିମନ୍ତେ ଏକ ଇ-ରିସୋର୍ସ ସେଂଟର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ସେଂଟରରେ ସର୍ଭର ସହ ୨୦ଟି କମ୍ପ୍ୟୁଟର ରହିଅଛି । ଏହା ବ୍ୟତୀତ କୁଳପତି ପ୍ରପେସର ତ୍ରିପାଠୀଙ୍କ ଦ୍ୱାରା ଏକ ଲର୍ନିଙ୍ଗ୍ ମ୍ୟାନେଜମେଂଟ ସିଷ୍ଟମ ଲୋକାର୍ପଣ କରିଛନ୍ତି । ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ପ୍ରୟୋଗ ବିଭାଗର ସହକାରୀ ଅଧ୍ୟାପକ ଡ. ସ୍ୱରୁପାନନ୍ଦ ବିଷୟୀ ଏହି ଲର୍ନିଙ୍ଗ୍ ମ୍ୟାନେଜମେଂଟ ସିଷ୍ଟମକୁ ନିର୍ମାଣ କରିଛନ୍ତି । ଏହି ଲର୍ନିଙ୍ଗ୍ ସିଷ୍ଟମରେ ଅଧ୍ୟାପକ ଅଧ୍ୟାପିକା ମାନେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବିଭିନ୍ନ କୋର୍ସ୍ ଉପାଦାନ ସମୂହ ଅପ୍ଲୋଡ୍ କରିପାରିବେ । ଛାତ୍ରଛାତ୍ରୀ ଓ ଗବେଷକ ମାନେ ଏହା ମାଧ୍ୟମରେ ବିଭିନ୍ନ ବିଷୟର ଇ-ରିସୋର୍ସ ତଥା ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପ୍ରଦତ ବିଭିନ୍ନ ଇ-ରିସୋର୍ସ ସମୂହର ବ୍ୟବହାର କରିପାରିବେ । ବିଶ୍ୱବିଦ୍ୟାଳୟର ନିଜସ୍ୱ ଉଦ୍ୟମରେ ହୋଇଥିବା ଏହି ଲର୍ନିଙ୍ଗ୍ ମ୍ୟାନେଜମେଂଟ ସିଷ୍ଟମ ଆଗାମୀ ନାକ୍ ମୂଲ୍ୟାଙ୍କନ ପାଇଁ ସହାୟକ ହେବ ବୋଲି କୁଳପତି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଏହି ଉଦ୍ଘାଟନ ଉତ୍ସବରେ ସ୍ନାତକୋତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରମୋଦ କୁମାର ଶତପଥି, କୁଳସଚିବ ସହଦେବ ସମାଧିଆ, କେନ୍ଦ୍ରୀୟ ଗ୍ରନ୍ଥାଗାରର ମୁଖ୍ୟ ତଥା ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ହେମନ୍ତ କୁମାର ସାହୁ, ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ଲକ୍ଷ୍ମୀଧର ଗିରି, ବିତ ନିୟନ୍ତ୍ରକ ଶୁକଦେବ ତରେଇ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର ବିଜ୍ଞାନର ସହକାରୀ ପ୍ରଫେସର ଡ. ଜନ୍ମେଂଜୟ ନାୟକ, କେନ୍ଦ୍ରୀୟ ଗ୍ରନ୍ଥାଗାରର ବରିଷ୍ଠ ସହକାରୀ ପ୍ରଦୀପ କୁମାର ଦ୍ୱିବେଦୀ ଓ କର୍ମକର୍ତାଗଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ ଗବେଷକ ମାନେ ଯୋଗଦାନ କରିଥିଲେ ।
